୨୦ ବର୍ଷ ପରେ କାବୁଲ ପହଂଚିଲେ ମୁଲ୍ଲା ବରାଦର, ଆଫଗାନିସ୍ତାନରେ ସମ୍ଭାଳିବେ ତାଲିବାନ ସରକାର !

305

କନକ ବ୍ୟୁରୋ : ତାଲିବାନର ଦ୍ୱିତୀୟ ନେତା ତଥା ଦୋହା ରାଜନୈତିକ କାର୍ଯ୍ୟାଳୟର ପ୍ରମୁଖ ମୁଲ୍ଲା ବରାଦର ୨୦ ବର୍ଷ ପରେ କାବୁଲରେ ପହଂଚିଛନ୍ତି । ସେଠାରେ ସେ ତାଲିବାନ ନେତାଙ୍କ ବ୍ୟତୀତ ପୂର୍ବତନ ରାଷ୍ଟ୍ରପତି ହାମିଦ କରଜଇ ଓ ଅବ୍ଦୁଲ୍ଲା ଅବ୍ଦୁଲ୍ଲାଙ୍କ ସହିତ ବୈଠକ କରିବେ । ଅନୁମାନ କରାଯାଉଛି କି ମୁଲ୍ଲା ବରାଦରଙ୍କୁ ଆଫଗାନିସ୍ତାନର ପରବର୍ତ୍ତି ରାଷ୍ଟ୍ରପତି କରାଯିବ । କହିରଖୁ କି ନିଜ ଭିଣୋଇ ମୁଲ୍ଲା ଓମର ସହିତ ମିଶି ବରାଦର ତାଲିବାନର ସ୍ଥାପନା କରିଥିଲେ ।

ତାଲିବାନର ସହ ସଂସ୍ଥାପକ ମୁଲ୍ଲା ଓମରଙ୍କ ସବୁଠାରୁ ଭରଶାଯୋଗ୍ୟ କମାଣ୍ଡର ମୁଲ୍ଲା ଅବ୍ଦୁଲ ଗନି ବରାଦରକୁ ୨୦୧୦ ମସିହାରେ ପାକିସ୍ତାନର କରାଚି ଠାରେ ଗିରଫ୍ କରାଯାଇଥିଲା । ମାତ୍ର ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶ ଓ ତାଲିବାନର ସହ ଚୁକ୍ତି ହେବା ପରେ ପାକିସ୍ତାନ ୨୦୧୮ ମସିହାରେ ବରାଦରକୁ ଖଲାସ କରିଥିଲା ।

୩ ବର୍ଷ ପୂର୍ବେ ଜେଲରୁ ଛାଡ ପାଇବା ପରେ ତାଲିବାନ ନେତା ଅବ୍ଦୁଲ ବରାଦର ଆଫଗାନିସ୍ତାନରେ ୨୦ ବର୍ଷ ଧରି ଚାଲିଥିବା ଯୁଦ୍ଧର ନିର୍ବିବାଦୀୟ ବିଜେତା ଭାବେ ଉଭା ହୋଇଛନ୍ତି । ତାଙ୍କୁ ତାଲିବାନର ହିରୋଭାବେ ଗଣନା କରାଯାଏ ।

ଅବ୍ଦୁଲ ଗନି ବରାଦର ୧୯୬୮ ମସିହାରେ ଓରୁଜଗାନରେ ଜନ୍ମଗ୍ରହଣ କରିଥିଲେ । ଆରମ୍ଭରୁ ସେ ଜଣେ କଠୋର ଧର୍ମ ସହଯୋଗୀ ଥିଲେ । ସେ ୧୯୮୦ ମସିହାରେ ସୋଭିଏତ ସଂଘ ବିରୋଧରେ ଆଫଗାନ ମୁଜାହିଦ୍ଦିନ ସହ ମିଶି ଲଢେଇ କରିଥିଲେ । ୧୯୯୨ ମସିହାରେ ଆଫଗାନିସ୍ତାନରୁ ରୁଷକୁ ଘଉଡାଇଦେବା ପରେ ଆଫଗାନିସ୍ତାନ ପ୍ରତିଦ୍ୱନ୍ଦୀ ସରଦାର ମଧ୍ୟରେ ଗୃହଯୁଦ୍ଧ ଆରମ୍ଭ ହୋଇଥିଲା । ଏହାପରେ ବରାଦର ନିଜ ସଂଗଠନର ପୂର୍ବତନ କମାଣ୍ଡର ମୁଲ୍ଲା ଓମର ସହ ମିଶି କାନ୍ଦାହାରରେ ଏକ ମାଦ୍ରାସା ସ୍ଥାପନ କରିଥିଲେ ।