ନିଖୋଜ ଓ ମୃତ୍ୟୁ ଖବର ଭିତରେ ସାମ୍ନାକୁ ଆସିଲେ ତାଲିିବାନୀ ଉପ-ପ୍ରଧାନମନ୍ତ୍ରୀ ମୁଲ୍ଲା ବରାଦର । କହିଲେ, ମୁଁ ଏବେ ବି ଜୀବିତ ଅଛି ।

238

କନକ ବ୍ୟୁରୋ: ଆଫଗାନିସ୍ତାନ ଦଖଲ ପରେ ଏବେ ସେଠାରେ ଚାଲିଛି ତାଲିବାନୀ ରାଜ । ତାଲିବାନୀ ସରକାର ଏବେ ସେଠାରେ ମୁଖ୍ୟ ହୋଇ ଶାସନ କରୁଛି । ଯାହାର ଉପ-ପ୍ରଧାନମନ୍ତ୍ରୀ ଅଛନ୍ତି ମୁଲ୍ଲା ବରାଦର । ହେଲେ ଗତ କିଛି ଦିନ ହେଲା ସେ ନିଖୋଜ୍ ଏବଂ ମୃତ୍ୟୁବରଣ କରିଥିବା ନେଇ ଖବର ଆସୁଥିଲା । ଯାହାର ଏବେ ଜବାବ ରଖିଛନ୍ତି ଖୋଦ୍ ମୁଲ୍ଲା ବରାଦର ।

ଆଫଗାନିସ୍ତାନର ଏକ ଟିଭି ଚ୍ୟାନେଲରେ ସେ ବହୁଦିନ ପରେ ଦେଖାଯିବା ସହିତ ତାଙ୍କ ମୃତ୍ୟୁ ଓ ନିଖୋଜ ହେବା ଖବରକୁ ଭୁଲ ବୋଲି ପ୍ରମାଣିତ କରିଛନ୍ତି । ଏଥିସହିତ ଇଣ୍ଟରଭ୍ୟୁ ଦେଇ ମୁଲ୍ଲା ବରାଦର କହିଛନ୍ତି, ସେ ଏବେ ବି ଜୀବିତ ଅଛନ୍ତି । ଖାଲି ସେତିକି ନୁହେଁ, ହକ୍କାନୀ ଗ୍ରୁପ ଓ ମୁଲ୍ଲା ବରାଦରଙ୍କ ଭିତରେ କ୍ଷମତାକୁ ନେଇ ଯେଉଁ ସଂଘର୍ଷ ଚାଲିଛି ବୋଲି ଖବର ଆସୁଥିଲା, ତାକୁ ମଧ୍ୟ ସେ ଖଣ୍ଡନ କରିଛନ୍ତି । ସେ କହିଛନ୍ତି, ହକ୍କାନୀ ଗ୍ରୁପ୍ ଓ ତାଙ୍କ ଭିତରେ କୌଣସି ସଂଘର୍ଷ ଚାଲିନି । ଏ ସମସ୍ତ ଖବରର କୌଣସି ଆଧାର ନାହିଁ ।

ଅନ୍ୟପଟେ ସେମାନେ ସମସ୍ତେ ଗୋଟିଏ ପରିବାର ଭଳି । ସମସ୍ତେ ସାଙ୍ଗ ହୋଇ କାମ କରୁଛନ୍ତି ଏବଂ ସେ ଗୋଟିଏ କାମରେ ବାହାରକୁ ଯାଇଥିଲେ , ଯେଉଁ କାରଣରୁ ସେ ଦୀର୍ଘ ଦିନ ଧରି ସାମ୍ନାକୁ ଆସିନଥିଲେ । ହେଲେ ତାଙ୍କୁ ନେଇ ଯେଉଁ ନିଖୋଜ ଓ ମୃତ୍ୟୁ ଖବର ଖେଳାଯାଉଛି, ତାହା ଭୁଲ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଆଫଗାନିସ୍ତାନର ଶାସନ କରୁଥିବା ତାଲିବାନୀ ସରକାରରେ ଏବେ ଉପ-ପ୍ରଧାନମନ୍ତ୍ରୀ ଅଛନ୍ତି ମୁଲ୍ଲା ବରାଦର । ହେଲେ ସରକାର ଗଠନ ହେବା ପୂୂର୍ବରୁ ସେ ପ୍ରଧାନମନ୍ତ୍ରୀ ହେବା ନେଇ ଚର୍ଚ୍ଚା ହେଇ ଆସୁଥିଲା । ହେଲେ ଶେଷରେ ତାଙ୍କୁ ଉପ-ପ୍ରଧାନମନ୍ତ୍ରୀ ପଦ ମିଳିଛି । ଯାହାକୁ ନେଇ ସେ ଅସନ୍ତୋଷ ଥିବା ଜଣାପଡିଥିଲା । ଏହାପରେ ସେ ନିଖୋଜ୍ ଏବଂ ପରେ କ୍ଷମତା ସଂଘର୍ଷରେ ମୃତ୍ୟୁବରଣ କରିଥିବା ମଧ୍ୟ ଖବର ପ୍ରକାଶ ପାଇଥିଲା । ଯାହା ପରେ ଖୋଦ୍ ତାଲିବାନୀ ମୁଖପାତ୍ର ଏହାକୁ ମିଛ ବୋଲି କହିଥିଲେ । ଆଉ ଆଜି ଖୋଦ୍ ମୁଲ୍ଲା ବରାଦର ସାମ୍ନାକୁ ଆସିବା ସହିତ ସେ ଜୀବିତ ଥିବା କହିଛନ୍ତି ।