କନକ ବ୍ୟୁରୋ : କାହିଁକି ଓ କେମିତି ହତ୍ୟାର ଶିକାର ହେଲେ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର କେ. ଖରିଡ଼ା ଗାଁର ଦୀପୁ ପାତ୍ର । ଜିଲ୍ଲାରେ କିଛି ଦିନ ହେବ ହତ୍ୟାକାଣ୍ଡ ମାମଲା ସାମ୍ନାକୁ ଆସିଛି । ଏହି ସମୟରେ ଦୀପୁଙ୍କ ମୃତ୍ୟୁକୁ ନେଇ ପ୍ରଶ୍ନ ଉଠିଛି । ଅପହରଣର ତିନି ଦିନ ପରେ ରବିବାର କୋଦଳା ଥାନା ସାତନଳ ଛକ ହ୍ରଦ ନିକଟ ଏକ ବୁଦାରୁ ଠାବ ହୋଇଛି ଦୀପୁଙ୍କ କ୍ଷତାକ୍ତ ମୃତଦେହ ।
ଦୀପୁ ଅପହରଣର ଶିକାର ପରେ ଥାନାରେ ଏତଲା ଦେଇଥିଲେ । ହେଲେ ପୋଲିସ ସେଭଳି କୌଣସି ତ୍ୱରିତ ପଦକ୍ଷେପ ନେଇନଥିବା ଦୀପୁଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ । ଆଉ ଏହି ସମୟରେ ଦୀପୁଙ୍କ ମର ଶରୀର ଉଦ୍ଧାର ହୋଇଛି । ଦୀପୁଙ୍କ ହତ୍ୟା ହୋଇଥିବା ପରିବାର ଲୋକେ ଦାବି କରିଛନ୍ତି । କୋଦଳା ପୁଲିସ ମୃତଦେହ ଜବତ କରିବା ସହିତ ଶବ ବ୍ୟବଚ୍ଛେଦ ବନ୍ଦୋବସ୍ତ କରି ତଦନ୍ତ ଆରମ୍ଭ କରିଛି ।
ଶୁକ୍ରବାର ଦିନ କୋଦଳା କୋର୍ଟକୁ କୌଣସି ଏକ ମାମଲା ନେଇ ଓକିଲଙ୍କ ସହ କଥା ହୋଇସାରି ଦୀପୁ ନିଜ ଘରକୁ ଫେରୁଥିବା ବେଳେ ଜେ. ଛଚିନା ଗାଁ ନିକଟରୁ ଅପହରଣ ହୋଇଥିବା ନେଇ ପରିବାର ଲୋକ ଅଭିଯୋଗ କରିଥିଲେ । ଆଉ ଏବେ ମର ଶରୀର ମିଳିବା ପରେ ଅପହରଣକାରୀଙ୍କୁ ଧରିବାରେ ପୋଲିସ କି ପଦକ୍ଷେପ ନେଉଛି ତାଉପରେ ନଜର ରହିଛି । ସେହିପରି ଅପହରଣକାରୀ ଓ ଦୀପୁଙ୍କ ମଧ୍ୟରେ ବ୍ୟକ୍ତିଗତ ଶତ୍ରୁତା ଥିଲା ନା ସେମାନେ କାହା ଇଂଗିତରେ ଅପହରଣ କରିଥିଲେ ତାହା ମଧ୍ୟ ବଡ ପ୍ରଶ୍ନ ।