ଅର୍ନ୍ତଜାତୀୟ କ୍ରିକେଟକୁ କମବ୍ୟାକ୍ କରିପାରନ୍ତି ଡିଭିଲିୟର୍ସ! ସଂକେତ ଦେଲେ ସ୍ମିଥ୍ ।

381

କନକ ବ୍ୟୁରୋ :  ପୁଣିଥରେ ଅର୍ନ୍ତଜାତୀୟ କ୍ରିକେଟକୁ ଫେରିପାରନ୍ତି ଏବି ଡିଭିଲିୟର୍ସ । ଦକ୍ଷିଣ ଆଫ୍ରିକା ଟିମ ପକ୍ଷରୁ ପୁଣିଥରେ ମିଷ୍ଟର ୩୬୦ ଡିଗ୍ରୀ ଖେଳିପାରନ୍ତି । ଏନେଇ ସଂକେତ ଦେଇଛନ୍ତି ଦକ୍ଷିଣ ଆଫ୍ରିକା କ୍ରିକେଟ ବୋର୍ଡର ନିର୍ଦ୍ଦେଶକ ଗ୍ରେମ୍ ସ୍ମିଥ୍ । ଆଗାମୀ ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜରେ ପୁଣିଥରେ ଦକ୍ଷିଣ ଆଫ୍ରିକା ଟିମରୁ ପ୍ରତିନିଧିତ୍ୱ କରିପାରନ୍ତି ଡିଭିଲିୟର୍ସ ।

ଆଗାମୀ ମାସରେ ଦକ୍ଷିଣ ଆଫ୍ରିକା ଟିମ୍ ୱେଷ୍ଟଇଣ୍ଡିଜ ଗସ୍ତରେ ଯିବ । ୱେଷ୍ଟଇଣ୍ଡିଜ ବିପକ୍ଷରେ ୨ଟି ଟେଷ୍ଟ ଓ ୫ଟି ଟି-୨୦ ମ୍ୟାଚର ସିରିଜ ଖେଳିବ ଦକ୍ଷିଣ ଆଫ୍ରିକା । ତେବେ ଏହି ଗସ୍ତ ପୂର୍ବରୁ ଡିଭିଲିୟର୍ସଙ୍କ କମବ୍ୟାକ୍ ନେଇ ସଂକେତ ଦେଇଛନ୍ତି ସ୍ମିଥ୍ । ଏହି ସିରିଜରେ ଡିଭିଲିୟର୍ସ, ଇମରାନ ତାହିର ଓ କ୍ରିସ୍ ମୋରିସ ଦକ୍ଷିଣ ଆଫ୍ରିକା ସ୍କ୍ୱାର୍ଡରେ ସାମିଲ ହେବା ନେଇ ସ୍ମିଥ୍ ଆଶାବାଦୀ ଥିବା କହିଛନ୍ତି ।

ଏହାପୂର୍ବରୁ ମାର୍କ ବାଉଚର ଚଳିତ ବର୍ଷ ହେବାକୁ ଥିବା ଟି-୨୦ ବିଶ୍ୱକପରେ ଡିଭିଲିୟର୍ସଙ୍କ କମବ୍ୟାକକୁ ନେଇ ସଂକେତ ଦେଇଛନ୍ତି । ଗତବର୍ଷ ଟି-୨୦ ବିଶ୍ୱକପରେ ମଧ୍ୟ ଡିଭିଲିୟର୍ସଙ୍କୁ ପୁଣିଥରେ ଦକ୍ଷିଣ-ଆଫ୍ରିକା ଟିମ୍ ପକ୍ଷରୁ ଦେଖିବାକୁ ମିଳିପାରେ ବୋଲି କୁହାଯାଉଥିଲା । ତେବେ କରୋନା କାରଣରୁ ଗତବର୍ଷ ହେବାକୁ ଥିବା ଟି-୨୦ ବିଶ୍ୱକପ୍ ବାତିଲ ହେବା କାରଣରୁ ଡିଭିଲିୟର୍ସଙ୍କ କମବ୍ୟାକ୍ ହୋଇପାରିନଥିଲା । କିନ୍ତୁ ସ୍ମିଥଙ୍କ ପ୍ରତିକ୍ରିୟା ପରେ ଏବେ ପୁଣିଥରେ ଡିଭିଲିୟର୍ସଙ୍କୁ ଅର୍ନ୍ତଜାତୀୟ ମ୍ୟାଚରେ ଦେଖିବାକୁ ମିଳିପାରେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି ।