ଆସନ୍ତାକାଲି ଠାରୁ ମିଳିବ ବରାଦି ଅବଢ଼ା ! ପଦାକୁ ଆସିଲା ଶ୍ରୀମନ୍ଦିର ଅଚଳାବସ୍ଥାର ଅସଲ କାରଣ, ହାଇକୋର୍ଟ କହିଲେ, ଗର୍ଭଗୃହକୁ ପ୍ରବେଶ ନେଇ ନଥିଲା କୌଣସି ନିର୍ଦ୍ଦେଶ

59

କନକ ବ୍ୟୁରୋ : ହାଇକୋର୍ଟଙ୍କ ରାୟ ପରେ ପୁରୀ ଶ୍ରୀମନ୍ଦିରରେ ଅଚଳାବସ୍ଥା ସୃଷ୍ଟି ହୋଇଥିଲା, ୪ ଦିନ ହେଲାଣି ମହାପ୍ରସାଦ ବି ପ୍ରସ୍ତୁତ ହୋଇପାରୁନି । ଏଭଳି ପରିସ୍ଥିିତିରେ ଆଜି ହାଇକୋର୍ଟ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ରାୟକୁ ଭୁଲ୍ ଭାବେ ଉପସ୍ଥାପନ କରାଯାଇଛି ବୋଲି ହାଇକୋର୍ଟ କହିଛନ୍ତି । ଗର୍ଭଗୃହ କିମ୍ବା ନୀତିକାନ୍ତି ସମ୍ପର୍କରେ କିଛି ରାୟ ଦିଆଯାଇନି ବୋଲି ହାଇକୋର୍ଟ ଆଜି ସ୍ପଷ୍ଟ କରିଛନ୍ତି ।

ଗତ ୪ ଦିନ ଧରି ପୁରୀ ଶ୍ରୀମନ୍ଦିରରେ ସୃଷ୍ଟି ହୋଇଥିବା ଅଚଳାବସ୍ଥା ସୃଷ୍ଟିର କାରଣ କଣ, ତାହା ଏବେ ସାମନାକୁ ଆସିଛି । ଶ୍ରୀମନ୍ଦିର ଗର୍ଭଗୃହର ପ୍ରବେଶକୁ ନେଇ ଯେଉଁ ବିବାଦ ସୃଷ୍ଟି ହୋଇଥିଲା ତାହାର କାରଣ କ’ଣ ଜଣାପଡିଛି । ଆଜି ହାଇକୋର୍ଟ କହିଛନ୍ତି, ଗର୍ଭଗୃହକୁ ପ୍ରବେଶ କଟକଣା ନେଇ କିଛି ନିର୍ଦ୍ଦେଶ ନଥିଲା । କୋର୍ଟଙ୍କ ନିର୍ଦ୍ଦେଶକୁ ତ୍ରୁଟିପୂର୍ଣ୍ଣ ଭାବେ ଉପସ୍ଥାପିତ କରାଯାଇଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ଉଚ୍ଚ ନ୍ୟାୟାଳୟ ।

କେବଳ ଜଗମୋହନ ମରାମତି ଓ ଖୋଲାଯିବା ସଂକ୍ରାନ୍ତରେ ରାୟ ଦେଇଥିଲେ ହାଇକୋର୍ଟ । ତେବେ ଜଷ୍ଟିସ ବିପି ଦାସ କମିଶନଙ୍କ ସୁପାରିଶ ପାଳନ କରିବାକୁ ପ୍ରଶାସନ ଚାହିଁଥିଲା । ପାଳିଆ ସେବକଙ୍କ ବ୍ୟତୀତ ସେମାନଙ୍କ ପରିବାରର ଅନ୍ୟମାନଙ୍କୁ ଗର୍ଭଗୃହକୁ ଛାଡିବା ଉପରେ କଟକଣା ଲଗାଇଥିଲା । ମାତ୍ର ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଏପରି ହେଉଥିବା ନେଇ ଚର୍ଚ୍ଚା ହୋଇଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ହାଇକୋର୍ଟ । ଏହି ବିବାଦ ପରେ ବିଶୃଙ୍ଖଳିତ ହୋଇପଡିଥିଲା ଶ୍ରୀମନ୍ଦିରର ନୀତିକାନ୍ତି । ୪ ଦିନ ଧରି ଖାଁ ଖାଁ ହୋଇପଡିଛି ଆନନ୍ଦବଜାର । ଆଜି ମଧ୍ୟ ଭକ୍ତଙ୍କୁ ମିଳିପାରିନି ମହାପ୍ରସାଦ । କେବଳ କୋଠଭୋଗ ହେଉଛି, ମାତ୍ର ବରାଦି ଅବଢ଼ା ପ୍ରସ୍ତୁତ ହେଉନି । ଶ୍ରୀମନ୍ଦିର ପ୍ରଶାସନ ଓ ସୁଆର ନିଯୋଗ ସେବାୟତ ନିଜ ନିଜ ଜିଦରେ ଅଟଳ ରହିଥିବାରୁ ଭକ୍ତମାନେ ନିରାଶ ହୋଇ ଫେରୁଛନ୍ତି ।

ନୀତି ବିଳମ୍ବ ଯୋଗୁଁ ନଷ୍ଟ ହୋଇଥିବା ଅମୁଣିଆ ମହାପ୍ରସାଦର କ୍ଷତିପୂରଣ ଦାବି କରୁଛନ୍ତି ସୁଆର ମହାସୁଆର ନିଯୋଗ । ନୀତି ଶୃଙ୍ଖଳିତ କରିବା ପାଇଁ ହାଇକୋର୍ଟ ରାୟ ଦେବା ପରେ ଆସନ୍ତାକାଲି ମହାପ୍ରସାଦ ପ୍ରସ୍ତୁତ ହେବ ବୋଲି କହିଛନ୍ତି ସୂପକାର ସେବାୟତ । କାଲିଠୁ ଭକ୍ତଙ୍କ ପାଇଁ ବାହାରିବ ବରାଦି ଅବଢା । ହାଇକୋର୍ଟଙ୍କ ନିଷ୍ପତିକୁ ସ୍ୱାଗତ କରିଛନ୍ତି ସୁଆର ମହାସୁଆର ନିଯୋଗ ।

ଆଜି ବି ଭକ୍ତଙ୍କ ପାଇଁ ମହାପ୍ରସାଦ ବାହାରିନଥିଲା । କୋଠ ଭୋଗକୁ ଭକ୍ତଙ୍କୁ ବଂଟାଯାଇଥିଲା । ଚାରି ଦିନ ହେବ ସୁଆର ସେବାୟତ ନିଜ ଜିଦରେ ଅଟଳ ରହିବାରୁ ଭକ୍ତ ମହାପ୍ରସାଦ ପାଇନଥିଲେ । ମହାପ୍ରଭୁଙ୍କ ନିକଟରେ କୋଠଭୋଗ ହେଉଥିଲେ ବି ପ୍ରଶାସନ ଓ ସୁଆର ନିଯୋଗ ସେବାୟତ ନିଜ ନିଜ ଜିଦରେ ଅଟଳ ରହିଥିବାରୁ ଭକ୍ତମାନେ ନିରାଶ ହୋଇଥିଲେ । ଏହାକୁ ନେଇ ଭକ୍ତଙ୍କ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ୩ ଦିନ ତଳେ ନୀତି ବିଳମ୍ବ ଯୋଗୁଁ ନଷ୍ଟ ହୋଇଥିବା ଅମୁଣିଆ ମହାପ୍ରସାଦର କ୍ଷତିପୂରଣ ଦାବିରେ ଅଡି ବସିଥିଲେ ସୁଆର ମହାସୁଆର ନିଯୋଗ । ହାଇକୋର୍ଟ ତାଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିବା ପରେ ଏବେ ପ୍ରଶାସନ ଓ ସେବାୟତ, ଭକ୍ତଙ୍କ ଭାବାବେଗକୁ ଆଖି ଆଗରେ ରଖି ସ୍ଥିତି ସ୍ୱାଭାବିକ କରିବେ ବୋଲି ଆଶା କରାଯାଉଛି ।