୧୦ ଛକା, ୭ ଚୌକା । ଆଇପିଏଲ ପୂର୍ବରୁ ଡିଭିଲିୟର୍ସଙ୍କ ବ୍ୟାଟରୁ ରନ ବର୍ଷା, ମାରିଲେ ଦମଦାର ଶତକ । ଦେଖନ୍ତୁ ପୂରା ଭିଡ଼ିଓ ।

615

କନକ ବ୍ୟୁରୋ : ୟୁଏଇରେ ଖେଳାଯିବାକୁ ଥିବା ଆଇପିଏଲର ବଳକା ମ୍ୟାଚକୁ ଆଉ ଦିନ କେଇଟା ବାକି ।ଆଉ ଏଥିପାଇଁ ସବୁ ଟିମ୍ ପ୍ରସ୍ତୁତିକୁ ଜୋରଦାର କରିଛନ୍ତି । ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟ ପ୍ରାକ୍ଟିସ ମ୍ୟାଚରେ ଜୋରଦାର ଝାଳ ବୁହାଉଛି । କ୍ୟାପଟେନ କୋହଲି ସଙ୍ଗରୋଧରେ ଥିବା ବେଳେ ପଡିଆରେ ଜୁନିୟର ପ୍ଲେୟାର ଦୁଇଟି ଟିମରେ ବିଭକ୍ତ ହୋଇ ମ୍ୟାଚ୍ ଖେଳୁଥିବାର ଦେଖିବାକୁ ମିଳିଛି । ଆଉ ଏହି ଅଭ୍ୟାସ ମ୍ୟାଚରେ ପୁଣି ଗର୍ଜିଛି ଡିଭିଲିୟର୍ସଙ୍କ ବ୍ୟାଟ୍ । ଦେବଦତ୍ତ ଏକାଦଶ ବିପକ୍ଷରେ ଧୂଆଁଧାର ବ୍ୟାଟିଂ କରିଛନ୍ତି ଡିଭିଲିୟର୍ସ । ମାତ୍ର ୪୬ ବଲରୁ ଧୂଆଁଧାର ୧୦୪ ରନର ଇନିଂସ ଖେଳି ପୁଣିଥରେ ଫର୍ମକୁ ଫେରିଥିବାର ସଂକେତ ଦେଇଛନ୍ତି ଏବିଡି । ଯେଉଁଥିରେ ଦଶଟି ବିଶାଳ ଛକା ଓ ୭ଟି ଚୌକା ରହିଛି ।

ଡିଭିଲିୟର୍ସଙ୍କ ସହ ମହମ୍ମଦ ଆଝାରୁଦ୍ଦିନ ମଧ୍ୟ ୬୬ ରନର ଦମଦାର ଇନିଂସ ଖେଲିଛନ୍ତି । ଏବିଡି ଓ ଆଝାରୁଦ୍ଦିନଙ୍କ ଧୂଆଁଧାର ଇନିଂସ ବଳରେ ହର୍ଷଲ ଏକାଦଶ ୨୦ ଓଭରରେ ୨୧୨ ରନ କରିଥିବା ବେଳେ ଏହି ଲକ୍ଷ୍ୟକୁ ବେଶ ସହଜରେ ହାସଲ କରିଛି ଦେବଦତ୍ତ ଏକାଦଶ । କେଏସ ଭରତଙ୍କ ୯୫ ଓ ପାଡିକଲଙ୍କ ୩୬ ରନର ଉପଯୋଗୀ ଇନିଂସ ବଳରେ ଦେବଦତ୍ତ ଏକାଦଶ ବିଜୟୀ ହୋଇଛି । ଯାହାର ଭିଡ଼ିଓ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛି ଆରସିବି ।

 

୩୭ ବର୍ଷୀୟ ଡିଭିଲିୟର୍ସ ଆଇପିଏଲର ସଫଳ ତଥା ଦୁର୍ଦ୍ଦଷ ବ୍ୟାଟସମ୍ୟାନ ଭାବେ ଜଣାଶୁଣା । ୧୭୬ଟି ଆଇପିଏଲ ମ୍ୟାଚରେ ୫୦୫୬ ରନ୍ କରିଛନ୍ତି ଏବିଡି । ଯେଉଁଥିରେ ୩ ଶତକ ଓ ୪୦ ଅର୍ଦ୍ଧଶତକ ରହିଛି । ଏପରିକି ଚଳିତ ଆଇପିଏଲରେ ମଧ୍ୟ ଧୂଆଁଧାର ପ୍ରଦର୍ଶନ କରିଛନ୍ତି ଡିଭିଲିୟର୍ସ । ୭ଟି ମ୍ୟାଚରୁ ୨୦୭ ରନ ହାସଲ କରିଛନ୍ତି ଏବିଡି । ଏହାସହ ବାଙ୍ଗାଲୋର ଏବେ ପଏଣ୍ଟ ତାଲିକାର ତୃତୀୟ ସ୍ଥାନରେ ରହିଛି । ଆସନ୍ତା ୨୦ ସେପ୍ଟେମ୍ବରରେ କୋଲକାତା ବିପକ୍ଷରେ ମ୍ୟାଚ୍ ଖେଳି ବାଙ୍ଗାଲୋର ୟୁଏଇରେ ନିଜ ଅଭିଯାନ ଆରମ୍ଭ କରିବ ।