ଡିଭିଲିୟର୍ସଙ୍କ ଅବସର ଘୋଷଣା ପରେ ଟୁଇଟ୍ କଲେ ବିରାଟ କୋହଲି । ଲେଖିଲେ, I Love You…

152

କନକ ବ୍ୟୁରୋ: କ୍ରିକେଟର ସମସ୍ତ ପ୍ରକାର ଫର୍ମାଟରୁ ଅବସର ଘୋଷଣା କରିଛନ୍ତି ମିଷ୍ଟର ୩୬୦ । ଦକ୍ଷିଣ ଆଫ୍ରିକାର ଷ୍ଟାର କ୍ରିକେଟର ତଥା ଆଇପିଏଲ ଦଳ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋରର ଧୂଆଁଧାର୍ ବ୍ୟାଟ୍ସମ୍ୟାନ୍ ଏବି ଡିଭିଲିୟର୍ସ ଶୁକ୍ରବାର ସମସ୍ତ ପ୍ରକାର କ୍ରିକେଟକୁ ଅଲବିଦା କହିବା ସହିତ କ୍ରିକେଟ ଜଗତରେ ଡିଭିଲିୟର୍ସ ଯୁଗର ଅନ୍ତ ଘଟିଛି । ଆଉ ଏହାକୁ ନେଇ ଟୁଇଟରରେ ନିଜ ଦୁଃଖ ଜାହିର କରିଛନ୍ତି ଟିମ୍ ଇଣ୍ଡିିଆର ଅଧିନାୟକ ତଥା ଆରସିବିର ପୂୂର୍ବ ଅଧିନାୟକ ବିରାଟ କୋହଲି ।

ବିରାଟ କୋହଲି ଟୁଇଟ୍ କରି ଲେଖିଛନ୍ତି, ଆମ ସମୟର ଜଣେ ସବୁଠୁ ଚମକ୍ରାର ଖେଳାଳି ଓ ପ୍ରେରଣାଦାୟୀ ବ୍ୟକ୍ତିତ୍ୱ ହେଉଛନ୍ତି ଏବି ଡିଭିଲିୟର୍ସ । ସେ ଯାହା କରି ଦେଖାଇଛନ୍ତି ଓ ଆରସିବିକୁ ଯାହା ଦେଇଛନ୍ତି ତାହା ଆମ ସମସ୍ତଙ୍କ ପାଇଁ ଗର୍ବର ବିଷୟ । ଖାଲି ସେତିକି ନୁହେଁ, କୋହଲି ଓ ଡିଭିଲିୟର୍ସଙ୍କ ସମ୍ପର୍କ ଆଗକୁ ମଧ୍ୟ ଜାରି ରହିବ ବୋଲି ସେ ଟୁଇଟରରେ ଲେଖିଛନ୍ତି । ଅନ୍ୟପଟେ ଏହି ନିଷ୍ପତ୍ତି ଅତ୍ୟନ୍ତ ଦୁଃଖଦାୟକ, ତେବେ ନିଜ ପାଇଁ ଓ ନିଜ ପରିବାର ପାଇଁ ଡିଭିଲିୟର୍ସଙ୍କ ଏହି ନିଷ୍ପତ୍ତିକୁ ନେଇ କୋହଲି ପ୍ରଂଶସା କରିଛନ୍ତି । ଶେଷରେ କୋହଲି , ଡିଭିଲିୟର୍ସଙ୍କୁ ଆଇ ଲଭ୍ ୟୁ କହି ତାଙ୍କୁ ସମସ୍ତ ପ୍ରକାର କ୍ରିକେଟରେ ଅଲବିଦା ଜଣାଇଛନ୍ତି । ଆଉ ଏବି ଡିଭିଲିୟର୍ସ ମଧ୍ୟ କୋହଲିଙ୍କ ଆଇ ଲଭ୍ ୟୁ ଠୁ କହି ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ତେବେ କ୍ରିକେଟରୁ ସନ୍ନ୍ୟାସ ନେଉଥିବା ନେଇ ଟ୍ୱିଟରରେ ସୂଚନା ଦେଇଥିଲେ ଡିଭିଲିୟର୍ସ । ଟ୍ୱିଟ୍ କରି ଡିଭିଲିୟର୍ସ ଲେଖିଛନ୍ତି, ଏହା ଏକ ଅବିଶ୍ୱସନୀୟ ଯାତ୍ରା ଥିଲା  କିନ୍ତୁ ଏବେ କ୍ରିକେଟରୁ ସନ୍ନ୍ୟାସ ନେବାକୁ ନିଷ୍ପତ୍ତି ନେଉଛି । ଯେତେବେଳେ ବଡ ଭାଇଙ୍କ ସହ କ୍ରିକେଟ ଖେଳିବା ଆରମ୍ଭ କରିଥିଲି ସେତେବେଳେ ଏହାର ପୂରା ଆନନ୍ଦ ଓ ବେଲଗାମ ଊତ୍ସାହ ସହ ଖେଳିଥିଲି । କିନ୍ତୁ ଏବେ ୩୭ ବର୍ଷରେ ପାଦ ଦେବା ପରେ ସେହି ଜୋଶ ଓ ଚଞ୍ଚଳତା ଆଉ ନାହିଁ । ଧନ୍ୟବାଦ ସମସ୍ତଙ୍କୁ ଏହି ଯାତ୍ରାରେ ଯୋଡି ହୋଇ ରହିଥିବାରୁ । ଏହି ପୋଷ୍ଟରେ ୩ଟି ଭାଷାରେ ଧନ୍ୟବାଦ ଜଣାଇଛନ୍ତି ଡିଭିଲିୟର୍ସ । ଯେଉଁଥିରେ ହିନ୍ଦୀରେ ଧନ୍ୟବାଦ ଲେଖିଛନ୍ତି ଡିଭିଲିୟର୍ସ । କାରଣ ଭାରତରେ ମଧ୍ୟ ଡିଭିଳିୟର୍ସଙ୍କର କୋଟି କୋଟି ଫ୍ୟାନ୍ ରହିଛନ୍ତି । ଯେଉଁମାନେ ଡିଭିଲିୟର୍ସଙ୍କ ବ୍ୟାଟିଂ ଦେଖିବାକୁ ଚାତକ ଭଳି ଚାହିଁ ରହିଥାନ୍ତି । କାରଣ ଡିଭିଲିୟର୍ସଙ୍କ ଷ୍ଟାଇଲିସ ବ୍ୟାଟିଂ ଶୈଳୀକୁ ଅନେକ ପସନ୍ଦ କରନ୍ତି । ପଡିଆର ଚତୁଃଦିଗରେ ସଟ୍ ଖେଳି ପାରୁଥିବା ଡିଭିଲିୟର୍ସଙ୍କୁ ମିଷ୍ଟର ୩୬୦ ଡିଗ୍ରୀ କୁହାଯାଏ । ଥରେ କ୍ରିଜରେ ସେଟ୍ ହେବା ମାତ୍ରେ ଅବିଶ୍ୱସନୀୟ ସଟ୍ ଖେଳିଥାନ୍ତି ଏବିଡି । ଯେଉଁଥିପାଇଁ ବୋଲର ଡିଭିଲିୟର୍ସଙ୍କୁ ବୋଲିଂ କରିବାକୁ ବି ଭୟ କରିଥାନ୍ତି ।

ଏହାସହ ଡିଭିଲିୟର୍ସ କହିଛନ୍ତି, ମୁଁ ଜୀବନସାରା ଆରସିବିର ହୋଇ ରହିବି । ଆରସିବି ସହ ଜଡିତ ପ୍ରତ୍ୟେକ ବ୍ୟକ୍ତି ମୋର ପରିବାର । ଜୀବନରେ ଅନେକ ଲୋକ ଆସନ୍ତି ଓ ଚାଲି ଯାଆନ୍ତି କିନ୍ତୁ ଆରସିବି ଟିମରେ ପ୍ରତ୍ୟେକଙ୍କ ମଧ୍ୟରେ ଯେଉଁ ବଣ୍ଡିଂ ରହିଛି ତାହା କେବେ ବି ଭାଙ୍ଗିବନି । ମୁଁ ଏବେ ଅଧା ଭାରତୀୟ ହୋଇଗଲିଣି ଏବଂ ଏଥିପାଇଁ ମୁଁ ଗର୍ବିତ । ଏହାସହ ଡିଭିଲିୟର୍ସ କହିଛନ୍ତି, ଆରସିବି ପକ୍ଷରୁ ୧୧ ବର୍ଷ ଖେଳିଛି । ଏହି ସମୟରେ ଅନେକ ଅନୁଭୂତି ରହିଛି । ଏଭଳି ନିଷ୍ପତ୍ତି ନେବାକୁ ଲମ୍ବା ସମୟ ନେଇଥିଲି ଏବଂ ନିଜ ପରିବାର ସହ ସମୟ ବିତାଇବାକୁ ଏଭଳି ନିଷ୍ପତ୍ତି ଭାବିଚିନ୍ତି ନେଇଛି ।