ମୋଦିଙ୍କ ନୂଆ ଚ୍ୟାଲେଞ୍ଜ, ବିଜେତାଙ୍କୁ ମିଳିବ ୨୦ ଲକ୍ଷ ଟଙ୍କାର ପୁରସ୍କାର । ଜାଣନ୍ତୁ କେମିତି କରିବେ ଆବଦେନ ଓ କଣ କରିବାକୁ ପଡିବ କାମ?

12,997

କନକ ବ୍ୟୁରୋ : ୫୯ ଚାଇନିଜ ଆପକୁ ବ୍ୟାନ୍ କରି ମୋଦି ସରକାର ଚୀନକୁ ବଡ ଝଟକା ଦେଇଛନ୍ତି । ଡିଜିଟାଲ ଷ୍ଟ୍ରାଇକ କରି ବେଜିଂକୁ କଡା ଜବାବ ଦେଇଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ସରକାରଙ୍କ ଏଭଳି ନିଷ୍ପତ୍ତିକୁ ପୂରା ଦେଶବାସୀ ପ୍ରଂଶସା କରୁଥିବା ବେଳେ ଚୀନକୁ ଡବଲ ଝଟକା ଦେବାକୁ ପ୍ରସ୍ତୁତ ହୋଇଛି ନୀଳନକ୍ସା । ଚୀନ ସାମଗ୍ରୀ ସହ ଚୀନ ଆପକୁ ବୟକଟ କରିବା ନେଇ ଅଭିଯାନ ଦେଶରେ ଆରମ୍ଭ ହୋଇଥିବା ବେଳେ ଦେଶବାସୀଙ୍କୁ ନୂଆ ଚ୍ୟାଲେଞ୍ଜ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆତ୍ମନିର୍ଭର ଭାରତ ଆପ୍ ଇନୋଭେସନ ଚ୍ୟାଲେଞ୍ଜ ଲଞ୍ଚ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହି ଚ୍ୟାଲେଞ୍ଜରେ ଯୁବଗୋଷ୍ଠୀଙ୍କୁ ବିଭିନ୍ନ ଆପ୍ ନିର୍ମାଣ କରିବାକୁ ଆହ୍ୱାନ ଦେଇଛନ୍ତି ମୋଦି ।  ଟ୍ୱିଟ କରି ଏ ବାବଦରେ ସୂଚନା ଦେବା ସହ ମୋଦି କହିଛନ୍ତି, ପୂରା ଦେଶ ଏବେ ଆତ୍ମନିର୍ଭର ଭାରତର ସ୍ୱପ୍ନକୁ ସାକାର କରିବାକୁ ହାତ ମିଳାଇଛନ୍ତି । ତେଣୁ ଏବେ ଭାରତର ଯୁବଗୋଷ୍ଠୀ ଏଭଳି ଆପ୍ ନିର୍ମାଣ କରନ୍ତୁ ଯାହା ଦେଶ ସମେତ ବିଦେଶରେ ମଧ୍ୟ ଗ୍ରହଣଯୋଗ୍ୟ ହୋଇପାରିବ ।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଭାରତର ଯୁବକ ମାନେ ଆଗକୁ ଆସିବା ସହ ଟ୍ୱିଟର, ଫେସବୁକ, ଟିକଟକ ଭଳି ଭାରତୀୟ ଆପ୍ ଡେଭଲପ କରନ୍ତୁ । ମୁଁ ମଧ୍ୟ ଏହି ଭାରତୀୟ ବ୍ୟବହାର କରିବି । ଆଜି ଦେଶବାସୀଙ୍କ ମଧ୍ୟରେ ମେଡ ଇନ୍ ଇଣ୍ଡିଆ ଆପ୍ ବ୍ୟବହାର ପାଇଁ ଅପୂର୍ବ ଉତ୍ସାହ ରହିଛି । ତେଣୁ ଏଥିପାଇଁ ଇଲେକଟ୍ରୋନିକ୍ସ ଓ ଆଇଟି ମନ୍ତ୍ରାଳୟ ଓ ଅଟଳ ଇନୋଭେସନ ମିଶନ ମିଳିତ ଭାବେ ଏହି ଚ୍ୟାଲେଞ୍ଜ ଆରମ୍ଭ କରିଛନ୍ତି । ଏହି ନୂଆ ଚ୍ୟାଲେଞ୍ଜରେ ଦୁଇଟି ଦିଗ ଉପରେ ବିଶେଷ କରି ଗୁରୁତ୍ୱ ଦିଆଯାଇଛି । ପୂର୍ବରୁ ଥିବା ଭାରତୀୟ ଆପ୍ ଗୁଡିକୁ ପ୍ରମୋଟ କରାଯିବା ସହ ନୂଆ ଆପ୍ ଗୂୁଡିକୁ ବିକଶିତ କରାଯିବ ।

ଏହି ଚ୍ୟାଲେଞ୍ଜରେ ମୁଖ୍ୟତଃ ୮ଟି କାଟାଗୋରୀ ରହିବ । ଖାସକରି ୱାର୍କ ଫ୍ରର୍ମ ହୋମ, ସୋଶିଆଲ ନେଟୱାର୍କ, ଇ-ଲର୍ଣ୍ଣିଂ, ଏଣ୍ଟରଟେନମେଣ୍ଟ, ସ୍ୱାସ୍ଥ୍ୟ, ବାଣିଜ୍ୟ, ନ୍ୟୁଜ୍ ଓ ଖେଳ ସମ୍ବନ୍ଧୀୟ ଆପ୍ ବନାଇବା ଉପରେ ଜୋର ଦିଆଯାଇଛି । ଏହି ଚ୍ୟାଲେଞ୍ଜରେ କେବଳ ଭାରତୀୟ ଉଦ୍ୟୋକ୍ତା ଓ ଷ୍ଟାର୍ଟ ଅପ୍ କରୁଥିବା ଯୁବ ପ୍ରତିଭା ମାନେ ଭାଗ ନେଇପାରିବେ । ଏହି ଚ୍ୟାଲେଞ୍ଜରେ ଭାଗ ନେବା ପାଇଁ ଅନଲାଇନରେ ଆବେଦନ କରିବାକୁ ପଡିବ । ଏଥିପାଇଁ ଇନୋଭେଟ. ମାଇଁଗଭ୍.ଇନରେ କ୍ଲିକ କରି ବିସ୍ତୃତ ତଥ୍ୟ ଜାଣିବା ସହ ଆବେଦନ କରିପାରିବେ । ତେବେ ଜୁଲାଇ ୧୮ ମଧ୍ୟରାତ୍ର ସୁଦ୍ଧା ଆପଣ ନିଜର ପ୍ରୋଜେକ୍ଟ ସବମିଟ୍ କରିପାରିବେ । ଥରେ ଆବେଦନ କରିବା ପରେ ପ୍ରୋଜେକ୍ଟରେ କୌଣସି ପରିବର୍ତ୍ତନ କରାଯାଇପାରିବ ନାହିଁ ଏପରିକି ଭୁଲ ତଥ୍ୟ ଦେଇଥିଲେ ଆପଣଙ୍କୁ ଆବେଦନକୁ ଖାରଜ କରି ଦିଆଯିବ ।  ଆବେଦନ କରିବା ପରେ ୨ଟି ପର୍ଯ୍ୟାୟରେ ଚୟନ କରାଯିବ । ଜୁରୀ ମାନେ ପ୍ରୋଜେକ୍ଟକୁ ଯାଞ୍ଚ ଓ ମୂଲ୍ୟାଙ୍କନ କରିବା ସହ ବିଜେତା ବାଛିବେ । ସବୁଠୁ ବଡ କଥା ହେଉଛି ପ୍ରତ୍ୟେକ କାଟାଗୋରୀରେ ବିଜେତା ହୋଇଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ । ପ୍ରଥମ, ଦ୍ୱିତୀୟ ଓ ତୃତୀୟ ବିଜେତାଙ୍କୁ ଯଥାକ୍ରମେ ୨୦, ୧୫ ଓ ୧୦ ଲକ୍ଷ ଟଙ୍କା ପୁରସ୍କାର ଦିଆଯିବ । ବିଚାରକ ମଣ୍ଡଳୀ ଚାହିଁଲେ ପ୍ରତି କାଟାଗୋରୀର ସବ୍-କାଟାଗୋରୀ ପ୍ରସ୍ତୁତ କରି ପୁରସ୍କାର ରାଶି ଦେଇପାରିବେ ।

ଚୀନକୁ ସାବାଡ କରିବାକୁ ଦେଶବାସୀ ଏବେ ଆତ୍ମନିର୍ଭର ଅସ୍ତ୍ର ଉଠାଇଛନ୍ତି ।  ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଆତ୍ମନିର୍ଭର ଭାରତ ପାଇଁ ଆହ୍ୱାନ ଦେଇଛନ୍ତି  । ଆଉ ଏହାଦ୍ୱାରା ବେଜିଂର ଅର୍ଥନୀତିକୁ ଲାଗିବ ଶକ୍ତ ଝଟକା । ଭୁଷୁଡି ପଡିବ ଚୀନର ମେରୁଦଣ୍ଡ । ୧୩୦ କୋଟି ଭାରତୀୟ ଯଦି ଚାଇନା ସାମଗ୍ରୀକୁ ବୟକଟ କରିବାକୁ ପଣ କରନ୍ତି ତେବେ ସୀମାରେ ଦାଦାଗିରି କରୁଥିବା ଚୀନ ଚିତପଟାଙ୍ଗ ମାରିବ ।