ବରିଷ୍ଠଙ୍କୁ ଅଣଦେଖା କରି କର୍ଣାଟକ ରାଜ୍ୟପାଳ ୫ ଥରର ବିଧାୟକଙ୍କୁ ବାଚସ୍ପତି କରିଥିବା ଅଭିଯୋଗ । କେଜି ବୋପୈୟାଙ୍କ ନିଯୁକ୍ତି ଉପରେ ଆପତି ଉଠାଇଲା କଂଗ୍ରେସ
କନକ ବ୍ୟୁରୋ: ବରିଷ୍ଠ ବିଧାୟକଙ୍କୁ ଅଣଦେଖା କରି ଜଣେ କନିଷ୍ଠ ବିଧାୟକ କେଜି ବୋପୈୟାଙ୍କୁ ଅସ୍ଥାୟୀ ବାଚସ୍ପତି କରିବା ନିଷ୍ପତି ବିରୋଧରେ ହୋଇଥିବା ଆବେଦନକୁ ଗ୍ରହଣ କରିଛନ୍ତି ସୁପ୍ରିମକୋର୍ଟ । କଂଗ୍ରେସ କରିଥିବା ରିଟ ପିଟିସନର ଶୁଣାଣି ଆଜି ସାଢେ ୧୦ଟାରେ କରିବେ କୋର୍ଟ । ୫ଥରର ବିଧାୟକ କେଜି ବୋପୈୟାଙ୍କୁ ଅସ୍ଥାୟୀ ବାଚସ୍ପତି କରିବା ପଛରେ ଫ୍ଲୋରଟେଷ୍ଟ ଜିତିବାକୁ ବିଜେପିର ଚକ୍ରାନ୍ତ ରହିଥିବା କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ଅଭିଶେକ ମନୁ ସିଙ୍ଗଭି । ୨୦୧୦ରେ ୟେଦିୟୁରପ୍ପା ଖଣି ଦୁର୍ନୀତି ମାମଲାରେ ଅଭିଯୁକ୍ତ ହେବା ପରେ ତାଙ୍କ ବିରୋଧରେ ଉଠୁଥିବା ବିଦ୍ରୋହକୁ ଦମନ କରିବା ପାଇଁ ସେ ୧୧ ଜଣ ବିଜେପି ବିଧାୟକଙ୍କୁ ନିଲମ୍ବିତ କରିଥିଲେ । ଫଳରେ ୟେଦିୟୁରପ୍ପା ଆସ୍ଥା ଭୋଟରେ ବିଜୟୀ ହେବା ପାଇଁ ସହାୟକ ହୋଇଥିଲା । ତେଣୁ ବୋପୈୟାଙ୍କ ନିଯୁକ୍ତିକୁ ଅସାମ୍ବିଧାନିକ କହି ସୁପ୍ରିମକୋର୍ଟ ଯାଇଛି କଂଗ୍ରେସ ।
Kanak News is now on WhatsApp
Join and get latest news updates delivered to you via WhatsApp
ସୂଚନା ଥାଉ କି, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ୟେଦିୟୁରପ୍ପାଙ୍କ ଶକ୍ତି ପରୀକ୍ଷା ପୂର୍ବରୁ ଗତକାଲି ୫ ଥରର ବିଧାୟକ କେଜି ବୋପୈୟାଙ୍କୁ ଅସ୍ଥାୟୀ ବାଚସ୍ପତି ଭାବେ ନିଯୁକ୍ତ କରିଛନ୍ତି ରାଜ୍ୟପାଳ ବାଜୁଭାଇ ଭଲ୍ଲା । ଯାହାକୁ ନେଇ ଆପତି ଉଠାଇଛି କଂଗ୍ରେସ । ନିୟମ ଅନୁସାରେ, ସବୁଠାରୁ ବରିଷ୍ଠ ବିଧାୟକଙ୍କୁ ବାଚସ୍ପତ କରିବା କଥା । ହେଲେ ବରିଷ୍ଠ ବିଧାୟକ ଆରଭି ଦେଶପାଣ୍ଡେଙ୍କୁ ଅଣଦେଖା କରି ଜଣେ କନିଷ୍ଠ ବିଧାୟକଙ୍କୁ ବାଚସ୍ପତି କରାଯାଇଥିବା କଂଗ୍ରେସ ଅଭିଯୋଗ କରିଛି । ୟେଦିୟୁରପ୍ପାଙ୍କୁ ଆସ୍ଥା ଭୋଟରେ ବିଜୟୀ କରିବା ଲାଗି ରାଜ୍ୟପାଳ ଏଭଳି ନିଷ୍ପତି ନେଇଥିବା କଂଗ୍ରେସ କହିଛି । କାରଣ ୨୦୧୦ରେ ବିଏସ ୟେଦିୟୁରପ୍ପାଙ୍କ ବିରୋଧରେ ଆସିଥିବା ଅନାସ୍ଥା ଭୋଟ ବେଳେ ସେ ଅନୈତିକ ଭାବେ ୧୧ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିଥିଲେ । ଯାହାକୁ ପରବର୍ତି ସମୟରେ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା ଓ କୋର୍ଟ ଏହି ନିଷ୍ପତିକୁ ବେଆଇନ ବୋଲି ଟିପ୍ପଣୀ କରିଥିଲେ । ୨୦୦୮ରେ ୟେଦିୟୁରପ୍ପାଙ୍କ ଆସ୍ଥାଭୋଟ ସମୟରେ ମଧ୍ୟ ବାଚସ୍ପତି ଥିଲେ କେଜି ବୋପୈୟା ।
ସେପଟେ, ଆଜି ଦିନ ୧୧ଟାରେ କର୍ଣ୍ଣାଟକ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡକାଇଛନ୍ତି ରାଜ୍ୟପାଳ ବାଜୁଭାଇ ଭଲ୍ଲା । ଯେଉଁଠି ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବେ ନବ ନିର୍ବାଚିତ ମୁଖ୍ୟମନ୍ତ୍ରୀ ବିଏସ ୟେଦିୟୁରପ୍ପା । ଏବେ ଆସନ୍ତୁ ଦେଖିବା କିଭଳି ହୁଏ ଏହି ଆସ୍ଥା ଭୋଟର ପରୀକ୍ଷା ।
– ଏକାଧିକ ଦଳ ସରକାର ଗଠନ ପାଇଁ ଦାବି କରୁଥିଲେ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକି ପାରନ୍ତି ରାଜ୍ୟପାଳ
– ଏପରି ସ୍ଥଳେ ଗୃହରେ କିଛି ସଦସ୍ୟ ଅନୁପସ୍ଥିତ ରହିପାରନ୍ତି କିମ୍ବା ଭୋଟଦାନରୁ ଦୂରେଇ ରହିପାରନ୍ତି
– ଗୃହରେ ଉପସ୍ଥିତ ଥିବା ସଦସ୍ୟ ସଂଖ୍ୟାକୁ ନେଇ ସଂଖ୍ୟା ଗରିଷ୍ଠତା ବିଚାର କରାଯିବ
– ବାଚସ୍ପତି ବାଚନିକ ଭୋଟ୍ କିମ୍ବା ଭୋଟ ବିଭାଜନ ଜରିଆରେ ସଂଖ୍ୟା ଗରିଷ୍ଠତା ପ୍ରମାଣ କରିପାରନ୍ତି
– କର୍ଣ୍ଣାଟକ କ୍ଷେତ୍ରରେ ଭୋଟ ବିଭାଜନ କରାଇବାକୁ ନିଷ୍ପତି ନେଇପାରନ୍ତି ବାଚସ୍ପତି କେଜି ବୋପୈୟା
– ଭୋଟ୍ ବିଭାଜନ ଇଲେକ୍ଟ୍ରୋନିକ ମେସିନ୍ କିମ୍ବା ସ୍ଲିପ ଓ ବାଲଟ ବକ୍ସ ମାଧ୍ୟମରେ କରାଯାଇଥାଏ
– ହେଲେ କର୍ଣ୍ଣାଟକ ମାମଲାରେ ଗୁପ୍ତ ମତଦାନ ବା ବାଲଟ ବକ୍ସରେ ଭୋଟିଂ ପାଇଁ ଅନୁମତି ଦେଇନାହାନ୍ତି ସୁପ୍ରିମକୋର୍ଟ
– ତେଣୁ ଓପନ୍ ବାଲଟ ବା ଖୋଲା ମତଦାନ କରାଇପାରନ୍ତି ବାଚସ୍ପତି କେଜି ବୋପୈୟା
– ଯେଉଁଦଳ ସଂଖ୍ୟାଗରିଷ୍ଠ ହୁଏ ତାକୁ ସରକାର ଗଠନ ପାଇଁ ଅନୁମତି ମିଳେ, ଟାଇ ହେଲେ ବାଚସ୍ପତିଙ୍କ ଭୋଟ୍ ନିର୍ଣ୍ଣାୟକ ହୋଇଥାଏ