ଆରୁଷିି ହତ୍ୟା ମାମଲାରେ ତଲୱାର ଦମ୍ପତି ନିର୍ଦ୍ଦୋଷ : ଦୋଷମୁକ୍ତ କଲେ ଆହ୍ଲାବାଦ ହାଇକୋର୍ଟ

37

କନକ ବ୍ୟୁରୋ : ବହୁ ଚର୍ଚ୍ଚିତ ଆରୁଷିି-ହେମରାଜ ହତ୍ୟା ମାମଲାରେ ଆଜି ତଲୱାର ଦମ୍ପତିଙ୍କୁ ଆହ୍ଲାବାଦ ହାଇକୋର୍ଟ ଦୋଷମୁକ୍ତ କରିଛନ୍ତି । ତଲୱାର ଦମ୍ପତି ନିର୍ଦ୍ଦୋଷ ବୋଲି କହିଛନ୍ତି ହାଇକୋର୍ଟ । ଉଭୟଙ୍କୁ ଶୀଘ୍ର ଜାଲରୁ ମୁକ୍ତ କରିବାକୁ କୋର୍ଟ ଦେଇଛନ୍ତି ନିର୍ଦ୍ଦେଶ । ତଦନ୍ତ ପ୍ରକ୍ରିୟାରେ ତ୍ରୁଟି ଥିବା ଦର୍ଶାଇଛନ୍ତି ଆହ୍ଲାବାଦ ହାଇକୋର୍ଟ ।

ଗାଜିଆବାଦ ସ୍ୱତନ୍ତ୍ର ସିବିଆଇ କୋର୍ଟଙ୍କ ରାୟ ବିରୋଧରେ ଏମାନେ ହାଇକୋର୍ଟରେ ଆବେଦନ କରିଥିଲେ । ଆରୁଶିର ବାପା ରାଜେଶ ତଲୱାର ଓ ମାଆ ନୂପୁର ତଲୱାରଙ୍କୁ ୨୦୧୩ରେ ଆଜୀବନ କାରାଦଣ୍ଡାଦେଶ କରିଥିଲେ ସ୍ୱତନ୍ତ୍ର ସିବିଆଇ କୋର୍ଟ । ନିଜ ଝିଅକୁ ହତ୍ୟା କରିବା ଅଭିଯୋଗରେ ଏହି ଡାକ୍ତର ଦମ୍ପତି ଦାସନା ଜେଲରେ ସଜା କାଟୁଛନ୍ତି । ସେତେବେଳେ ଏହି ହତ୍ୟାକାଣ୍ଡକୁ ନେଇ ପ୍ରବଳ ତୁମ୍ବିତୋଫାନ ହୋଇଥିଲା । କାରଣ ସମ୍ମାନ ପାଇଁ ଝିଅକୁ ବାପା, ମାଆ ମିଶି ହତ୍ୟା କରିଥାଇପାରନ୍ତି ବୋଲି ପୋଲିସ କହିଥିଲା । ପରେ ମାମଲା ସିବିଆଇକୁ ହସ୍ତାନ୍ତର ହୋଇଥିବାବେଳେ ପ୍ରମାଣ ଅଭାବରୁ ମାମଲା ବନ୍ଦ କରିବାକୁ କୋର୍ଟରେ ଆବେଦନ କରିଥିଲା କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା । ହେଲେ ଏହାକୁ ବିରୋଧ କରିଥିଲେ ତଲୱାର ଦମ୍ପତି ।

ଦେଖିବା ପୁରା ମାମଲା କଣ ଥିଲା – ୨୦୦୮ ମେ ୧୬ ତାରିଖରେ ତଲୱାର ଦମ୍ପତିଙ୍କ ଝିଅ ଆରୁଷି ତଲୱାରଙ୍କ ମୃତଦେହ ତାଙ୍କ ନୋଏଡାସ୍ଥିତ ଘରୁ ମିଳିଥିଲା । ଏହି ହତ୍ୟା ତାଙ୍କ ଘରର ଚପରାସୀ ହେମରାଜ କରିଥିବା ସନ୍ଦେହ କରାଯାଇଥିଲା । ତା ପରଦିନ ଅର୍ଥାତ ମେ ୧୭ ତାରିଖରେ ହେମରାଜଙ୍କ ମୃତଦେହ ମଧ୍ୟ ମିଳିଥିଲା । ଏହି ଘଟଣା ସେତେବେଳେ ଦେଶରେ ବେଶ ଚର୍ଚ୍ଚାର ବିଷୟ ହୋଇଥିଲା । ହତ୍ୟା ପଛରେ ପୋଲିସ ଆରୁଷିଙ୍କ ବାପା ରାଜେଶ ଓ ମା ନୁପୁର ତଲୱାରଙ୍କ ହାତଥିବା ସନ୍ଦେହ କରିଥିଲା । ୨୦୦୮ ମେ ୨୩ ତାରିଖରେ ଆରୁଷିଙ୍କ ବାପା ରାଜେଶ ତଲୱାର ଗିରଫ ହୋଇଥିଲେ ।

ସେହିବର୍ଷ ଜୁନ ପହିଲାରେ ଘଟଣାର ତଦନ୍ତଭାର ସିବିଆଇକୁ ଦିଆଯାଇଥିଲା । ଉତ୍ତରପ୍ରଦେଶର ତତ୍କାଳୀନ ମୁଖ୍ୟମନ୍ତ୍ରୀ ମାୟାବତୀ ଏହି ନିର୍ଦ୍ଦେଶ ଦେଇଥିଲେ । ଗାଜିଆବାଦର ସ୍ୱତନ୍ତ୍ର ସିବିଆଇ କୋର୍ଟ ୨୬ ନଭେମ୍ବର ୨୦୧୩ରେ ରାଜେଶ ଓ ତାଙ୍କ ସ୍ତ୍ରୀ ନୁପୁର ତଲୱାରଙ୍କୁ ଆଜୀବନ କାରାଦଣ୍ଡ ଆଦେଶ ଦେଇଥିଲେ । ଏହା ବିରୋଧରେ ତଲଓା୍ୱର ଦମ୍ପତି ଆହ୍ଲାବାଦ ହାଇକୋର୍ଟ ଯାଇଥିଲେ । ରାଜେଶ ଓ ନୁପୁର ବର୍ତମାନ ଗାଜିଆବାଦର ଏକ ଜେଲରେ ବନ୍ଦୀ ଜୀବନ କାଟୁଛନ୍ତି ।