କନକ ବ୍ୟୁରୋ : ଆଜି ସାରା ଦେଶରେ ପ୍ରତିବାଦ କରିବ ଆମ ଆଦମୀ ପାର୍ଟି । ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଗିରଫଦାରୀକୁ ବିରୋଧ କରି ଆପ୍ ଆଜି ପ୍ରତିବାଦ କରିବ । ସେହିପରି ଆଜି କୋର୍ଟରେ ହାଜର ହେବେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ । କୋର୍ଟରେ ହାଜର କରି ରିମାଣ୍ଡରେ ନେବାକୁ ଅନୁମତି ମାଗିବେ ତଦନ୍ତ ଅଧିକାରୀ । ଦିଲ୍ଲୀ ଅବକାରୀ ନୀତି ମାମଲାରେ ଅଧିକ ଜେରା ପାଇଁ ଗତକାଲି ସିବିଆଇରେ ହାଜର ହୋଇଥିଲେ ମନୀଷ ସିସୋଦିଆ । ଏହାପୂର୍ବରୁ ସିସୋଦିଆ ଏକ ରୋଡ ଶୋ କରିଥିଲେ ।

Advertisment

ତେବେ ଦୀର୍ଘ ୮ ଘଣ୍ଟାର ପଚରାଉଚରା ପରେ ତାଙ୍କୁ ଗିରଫ କରାଯାଇଛି । ପ୍ରମାଣ ନଷ୍ଟ କରିବା ଅଭିଯୋଗରେ ସିସୋଦିଆଙ୍କୁ ସିବିଆଇ ଗିରଫ କରିଛି ବୋଲି କହିଛି । ସିବିଆଇ ଏହି ମାମଲାରେ ପୂର୍ବରୁ ଗତବର୍ଷ ଅକ୍ଟୋବର ୧୭ରେ ସିସୋଦିଆଙ୍କୁ ଯେଉଁ ପ୍ରଶ୍ନ କରିଥିଲା ସେହି ସମାନ ପ୍ରଶ୍ନ ଗତକାଲି ମଧ୍ୟ କରିଥିଲା । ହେଲେ ସିସୋଦିଆ ଏହାର ଉତର ଏଡାଇ ଦେଇଥିଲେ ବୋଲି ସୂଚନା ରହିଛି । ସେହିପରି ସିସୋଦିଆ ଏହି ଦୁର୍ନୀତିରେ ସଂପୃକ୍ତ ଥିବା ନେଇ ପ୍ରମାଣ ଯୋଗାଡ଼ କରାଯାଇଛି । ତେଣୁ ଗିରଫ କରାଯାଇଛି ବୋଲି ସିବିଆଇ ପକ୍ଷରୁ ସୂଚନା ମିଳିଛି ।