ପଞ୍ଜାବରେ ‘କେଜ୍ରିୱାଲ୍’ କମାଲ୍ । କଂଗ୍ରେସ-ବିଜେପିକୁ ପଛରେ ପକାଇଲା ଆପ୍ । 

343

କନକ ବ୍ୟୁରୋ : ସୋମବାର ପଞ୍ଜାବର ଚଣ୍ଡୀଗଡ଼ ମ୍ୟୁନିସିପାଲିଟି କର୍ପୋରେସନ୍ ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି ।  ଆଉ ଏହି ଫଳାଫଳ, ରାଜନୀତି ପଣ୍ଡିତମାନଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ଆଜି ଘୋଷଣା ହୋଇଥିବା ସମସ୍ତ ୩୫ ୱାର୍ଡ ଫଳାଫଳରେ ଅରବିନ୍ଦ କେଜ୍ରିୱାଲଙ୍କ ଦଳ ଆମ୍ ଆଦମୀ ପାର୍ଟି ବିଜେପି ଏବଂ କଂଗ୍ରେସର ଦୁର୍ଗ ଭାଙ୍ଗି ୧୪ଟି ୱାର୍ଡ ଜିତିଛି । ତେବେ କୌଣସି ଦଳ ସଂଖ୍ୟା ଗରିଷ୍ଠତା ହାସଲ କରିନାହାନ୍ତି । ବିଜେପି ଏବଂ କଂଗ୍ରେସ ଯଥାକ୍ରମେ ୧୨ ଏବଂ ୮ଟି ୱାର୍ଡ ଜିତିଛନ୍ତି । ଗୋଟିଏ ସିଟ୍ ଅକାଳୀ ଦଳ ଜିତିଥିବାବେଳେ ବିଜେପି ପ୍ରାର୍ଥୀ ତଥା ବର୍ତ୍ତମାନର ମେୟର ରବିକାନ୍ତ ଶର୍ମାଙ୍କୁ ଆମ ଆଦମୀ ପାର୍ଟିର ପ୍ରାର୍ଥୀ ପରାସ୍ତ କରିଛନ୍ତି । ଚଣ୍ଡୀଗଡ଼ ମ୍ୟୁନିସିପାଲଟିର ୩୫ଟି ୱାର୍ଡ ପାଇଁ ଆଜି ସକାଳ ୯ଟାରୁ ଗଣନା ଆରମ୍ଭ ହୋଇଥିଲା ।

ରାଜ୍ୟ ନିର୍ବାଚନ ଆୟୋଗଙ୍କ ଅନୁଯାୟୀ ଅରବିନ୍ଦ କେଜ୍ରିୱାଲଙ୍କ ଦଳ ଆମ୍ ଆଦମୀ ପାର୍ଟି ୧୪ଟି ୱାର୍ଡ ଜିତିଛି । ତେବେ ଆପ ଦଳର ନିର୍ବାଚନ ପ୍ରଚାର କମିଟି ମୁଖ୍ୟ ଚନ୍ଦର ମୁଖୀ ଶର୍ମା ନିର୍ବାଚନରେ ​​ହାରିଯାଇଛନ୍ତି । ତେବେ ନିର୍ବାଚନ ଫଳାଫଳକୁ ନେଇ ଆମ୍ ଆଦମୀ ପାର୍ଟି ଖୁସିରେ ଗଦଗଦ ହୋଇଯାଇଛି ।

ନିର୍ବାଚନ ଫଳାଫଳକୁ ନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଖୁସି ବ୍ୟକ୍ତ କରି କହିଛନ୍ତି, “ଚଣ୍ଡୀଗଡ଼ ମ୍ୟୁନିସିପାଲିଟି କର୍ପୋରେସନରେ ଆମ୍ ଆଦମୀ ପାର୍ଟିର ଏହି ବିଜୟ ସଙ୍କେତ ଦେଉଛି ଯେ ପଞ୍ଜାବରେ ପରିବର୍ତ୍ତନ ଆସିବ । ଆଜି ଚଣ୍ଡୀଗଡ଼ର ଲୋକମାନେ ଦୁର୍ନୀତିଗ୍ରସ୍ତ ରାଜନୀତିକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଏବଂ ଆପର ସଚ୍ଚୋଟ ରାଜନୀତିକୁ ବାଛିଛନ୍ତି । ଏଥର ପଞ୍ଜାବ ପରିବର୍ତ୍ତନ ପାଇଁ ପ୍ରସ୍ତୁତ ଅଛି’।