୨ରୁ ୩ ଦିନ ମଧ୍ୟରେ କେଜ୍ରିୱାଲ ଗିରଫ ହୋଇପାରନ୍ତି । ବିଜେପି ଉପରେ ବର୍ଷିଲା ଆପ୍, କହିଲା ଗିରଫ କଲେ ବି କଂଗ୍ରେସ ସହ ମେଣ୍ଟ ନିଶ୍ଚୟ ହେବ ।

339

କନକ ବ୍ୟୁରୋ : ଆଗାମୀ ୨ରୁ ୩ ଦିନ ମଧ୍ୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ କରାଯାଇପାରେ । ଏନେଇ ଆମ ପାଖରେ ଖବର ଅଛି ବୋଲି କହିଛନ୍ତି ଆପ୍ ମୁଖପାତ୍ର ସୌରଭ ଭରଦ୍ୱାଜ । ଆପ୍ ପକ୍ଷରୁ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ସୌରଭ କହିଛନ୍ତି, ବିଜେପିର ଚିନ୍ତା ବଢି ଯାଇଛି । ବିଜେପିକୁ ଲାଗୁଛି ଯଦି କଂଗ୍ରେସ ଓ ଆପ୍ ଏକାଠି ଲଢିବେ ତେବେ ତାଙ୍କର ସମସ୍ୟା ବଢିବ । ଯେଉଁ ରାଜ୍ୟରେ କଂଗ୍ରେସ-ଆପର ମେଣ୍ଟ ହେବ ସେଠାରେ ବିଜେପିର ଅଡୁଆ ବଢିବ । ତେଣୁ କେଜ୍ରିୱାଲଙ୍କ ସ୍ୱର ଚାପିବାକୁ ତାଙ୍କୁ ଗିରଫ କରାଯାଇପାରେ ।

୪୦୦ରୁ ଅଧିକ ଆସନ ଜିତିବୁ ବୋଲି କହୁଥିବା ଦଳ ପୂର୍ବତନ ରାଜ୍ୟପାଳଙ୍କ ଘରକୁ ସିବିଆଇ ପଠାନ୍ତି ନାହିଁ । ଏଭଳି ଲକ୍ଷଣ ପରାଜୟ ନିଶ୍ଚିତ ବୋଲି ଜାଣିଥିବା ଦଳ ପାଖରେ ଦେଖିବାକୁ ମିଳିଥାଏ । ବିଜେପି ଓ କେନ୍ଦ୍ର ସରକାରଙ୍କୁ କହିବାକୁ ଚାହୁଁଛୁ ଯଦି କେଜ୍ରିୱାଲଙ୍କୁ ଗିରଫ କରିବା କଥା କରନ୍ତୁ, କିନ୍ତୁ ଆପ୍ ଓ କଂଗ୍ରେସ ମଧ୍ୟରେ ଇଣ୍ଡିଆ ଗଠବନ୍ଧନରେ ହୋଇଥିବା ମେଣ୍ଟକୁ କେହି ଅଟକାଇ ପାରିବେ ନାହିଁ ।

ସୌରଭ କହିଛନ୍ତି, କେଜ୍ରିୱାଲଙ୍କୁ ଗିରଫ କରିବାକୁ ସିଆରପିସିର ଧାରା ୧୪୧ର ବ୍ୟବହାର ହୋଇପାରେ । ଏନେଇ ଆଜି କେଜ୍ରିୱାଲଙ୍କୁ ନୋଟିସ ଆସିପାରେ । ଏହାପରେ ସିବିଆଇ ଓ ଇଡି ଜରିଆରେ କେଜ୍ରିୱାଲଙ୍କୁ ଗିରଫ କରିବାକୁ ପ୍ରୟାସ କରାଯିବ । ମନୀଷ ସିସୋଦିଆ ଓ ବିଜୟ ନାୟରଙ୍କୁ ଯେମିତି ଗିରଫ କରାଯାଇଥିଲା ଠିକ୍ ସେହି ଢଙ୍ଗରେ କେଜ୍ରିୱାଲଙ୍କୁ ଗିରଫ କରାଯିବ । କଂଗ୍ରେସ ସହ ମେଣ୍ଟ ହେବା କ୍ଷଣି କେଜ୍ରିୱାଲଙ୍କୁ ଗିରଫ କରାଯିବ । ବିଜେପିର କିଛି ନେତା ମଧ୍ୟ ଆମକୁ କହିଛନ୍ତି ଯେ, ଯଦି କେଜ୍ରିୱାଲ ଜେଲ ଯିବାକୁ ଚାହୁଁନାହାନ୍ତି ତେବେ କଂଗ୍ରେସ ସହ ଇଣ୍ଡିଆ ମେଣ୍ଟରୁ ଦୂରେଇ ରୁହନ୍ତୁ ।