କନକ ବ୍ୟୁରୋ : ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ସମନ ପାଇବା ସତ୍ୱେ ଇଡି ନିକଟରେ ହାଜର ହୋଇନାହାଁନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ୫ମ ଥର ପାଇଁ ଅରବିନ୍ଦ କେଜ୍ରିୱାଲଙ୍କୁ ମିଳିଥିଲା ଇଡିର ସମନ । ତେବେ ଏହାକୁ ବେଆଇନ କହି କେଜ୍ରିୱାଲ ଜେରା ପାଇଁ ଇଡି ନିକଟରେ ହାଜର ହେବେନି ବୋଲି ଆମ ଆଦମୀ ପାର୍ଟି ପକ୍ଷରୁ କୁହାଯାଇଛି । ନିର୍ବାଚନ ପ୍ରଚାରରୁ ଦୂରେଇ ରଖିବାକୁ ଓ ଗିରଫ କରିବାକୁ ଏହା କେବଳ ଏକ ଷଡ଼ଯନ୍ତ୍ର ବୋଲି ଦଳ କହିଛି । ସେପଟେ ଚଣ୍ଡିଗଡ଼ରେ ପହଁଚି ବିଜେପି ଉପରେ ବର୍ଷିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ।

Advertisment

ନଭେମ୍ବର ୨, ଡିସେମ୍ବର ୨୧, ଜାନୁଆରୀ ୩ ଓ ୧୭ ତାରିଖରେ ସମନ ପଠାଇଥିଲା ଇଡି । ତେବେ ଏହାକୁ ବିଜେପିର ଏକ ଷଡଯନ୍ତ୍ର କହି ଜେରା ପାଇଁ ପହଁଚିନଥିଲେ କେଜ୍ରିୱାଲ । ସେପଟେ ବାରମ୍ବାର ସମନ ଜାରି ସତ୍ୱେ କେଜ୍ରିୱାଲ ଇଡିରେ ହାଜର ନହେବା ଘଟଣା ସମ୍ବିଧାନ ବିରୋଧୀ ବୋଲି ବିଜେପି କହିଛି । ଦୁର୍ନୀତିଗସ୍ତ ଦିଲ୍ଲୀ ସରକାରଙ୍କ ନିକଟରେ ଠୋସ ଜବାବ ନାହିଁ ତେଣୁ ଜେରାକୁ ଭୟ କରୁଥିବା କହିିଛି ବିଜେପି ।

ହେମନ୍ତ ସୋରେନ, ଅରବିନ୍ଦ କେଜ୍ରିୱାଲଙ୍କ ବ୍ୟତିିତ କେନ୍ଦ୍ର ତଦନ୍ତକାରୀ ସଂସ୍ଥା ରାଡ଼ାରରେ ଆଉ କିଛି ମୁଖ୍ୟମନ୍ତ୍ରୀ ରହିଛନ୍ତି । ଯାହାର ତାଲିକା ଦିଲ୍ଲୀରୁ କେରଳ ଯାଏଁ ଲମ୍ବିଛି । ଇଡି, ସିବିଆଇ ଓ ଆଇଟି ରାଡ଼ାରରେ କେରଳ ମୁଖ୍ୟମନ୍ତ୍ରୀ ପି. ବିଜୟନ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ, ଆନ୍ଧ୍ରପଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ମଧ୍ୟ ରହିଛନ୍ତି । ଦେଖିବାକୁ ବାକି ରହିଲା, ବାରମ୍ବାର ସମନ ସତ୍ୱେ କେଜ୍ରିୱାଲ ହାଜର ନହେବା ପରେ ଆଗକୁ ଇଡି କି ପଦକ୍ଷେପ ଗ୍ରହଣ କରୁଛି? କ’ଣ ଝାଡଖଣ୍ଡ ପରି ଦିଲ୍ଲୀର ପରିସ୍ଥିତି ହେବ ନା ତଦନ୍ତକାରୀ ସଂସ୍ଥାକୁ ଚେକ ଦେବାରେ ସଫଳ ହେବେ କେଜ୍ରିୱାଲ ।

ସେପଟେ ପ୍ରତିବାଦ,ବିକ୍ଷୋଭ ଓ ଧାରଣାରେ କମ୍ପିଛି ଦିଲ୍ଲୀ । ପରମ ପ୍ରତିଦ୍ୱନ୍ଦୀ ବିଜେପି ଓ ଆମ ଆଦମୀ ପାର୍ଟିର କର୍ମୀ ପରସ୍ପର ବିରୋଧରେ ଜୋରଦାର ବିରୋଧ ପ୍ରଦର୍ଶନ କରିଛନ୍ତି । ଚଣ୍ଡିଗଡ ମେୟର ନିର୍ବାଚନରେ ବିଜେପି ବିଶ୍ୱାସଘାତକତା କରି ଜିତିଥିବା ଅଭିଯୋଗ ଆଣି ବିକ୍ଷୋଭ କରିଛି ଆପ୍ । ଅର୍ଥ ବଳରେ ଭୋଟ କିଣି ମେୟର ନିର୍ବାଚନ ବିଜେପି ଜିତିଥିବା ଅଭିଯୋଗ ହୋଇଛି । ସେପଟେ ସମନ ସତ୍ୱେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଜେରା ପାଇଁ ହାଜର ନହେବା ପରେ ବିଜେପି ଟାର୍ଗେଟ କରିଛି । ଦଳ କହିଛି ଯଦି ଇଡିର ସମନ ବେଆଇନ ତେବେ କେଜ୍ରିୱାଲ କୋର୍ଟଙ୍କ ଦ୍ୱାରସ୍ଥ ହେବା ବଦଳରେ କ’ଣ ପାଇଁ ଲୁଚି ବସିଛନ୍ତି ।