ଅଗ୍ରଣୀ ସ୍ଥିତିକୁ ବଜାୟ ରଖିଛନ୍ତି କେଜ୍ରିୱାଲ୍:ଟ୍ରେଣ୍ଡରେ କମୁଛି ବିଜେପି, ବଢୁଛି ଆପ୍ ହେଲେ ଖାତା ଖୋଲିପାରୁନି କଂଗ୍ରେସ; ୫୬ ଆସନରେ ଆଗୁଆ ରହିବା ସହ ସରକାର ଗଢିବା ସଙ୍କେତ ଦେଲା ଆମ ଆଦମୀ ପାର୍ଟି

ଟ୍ରେଣ୍ଡରେ ଆପ୍ ଆଗୁଆ ରହିବା ପରେ ଅମୃତସରରେ ପରସ୍ପରକୁ ମିଠା ଖୁଆଇ ସେଲିବ୍ରେଟ କଲେ ଦଳୀୟ କର୍ମୀ ।

163

କନକ ବ୍ୟୁରୋ:  ଦିଲ୍ଲୀରେ ଆମ ଆଦମି ପାର୍ଟି (ଆପ) ନିଜର ଅଗ୍ରଣୀ ସ୍ଥିତିକୁ ବଜାୟ ରଖିଛି । ଏପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁସାରେ ମୋଟ ୭୦ଟି ଆସନରୁ ଆପ ୫୬ରେ ଓ ବିଜେପି ୧୪ଟି ଆସନରେ ଆଗୁଆ ରହିଛି । ତେବେ ଗତଥର ଭଳି ଏଥରମଧ୍ୟ କଂଗ୍ରେସ ଖାତା ଖୋଲି ନପାରିବାର ଆଶଙ୍କା ରହିଛି । ଆଜି ସକାଳ ୮ଟାରେ ଭୋଟଗଣତି ୨୧ କେନ୍ଦ୍ରରେ କଡ଼ା ସୁରକ୍ଷା ମଧ୍ୟରେ ଆରମ୍ଭ ହୋଇଥିଲା । ୨୦୧୫ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆପ୍‌ ବିପୁଳ ବହୁମତ ହାସଲ କରିଥିଲା । ଦଳ ମୋଟ ୭୦ଟି ଆସନରୁ ୬୭ଟିରେ ଜିତିଥିଲା । ବିଜେପି ମାତ୍ର ୩ଟିରେ ଜିତିଥିବାବେଳେ କଂଗ୍ରେସ ମୂଳପୋଛ ହୋଇଯାଇଥିଲା ।

ଅନ୍ୟପଟେ ପ୍ରାରମ୍ଭିକ ଟ୍ରେଣ୍ଡରେ ବହୁମତ ସ୍ପଷ୍ଟ ହେବା ପରେ ଆପ୍ ଶିବିରରେ ଦେଖିବାକୁ ମିଳିଛି ଉତ୍ସାହର ମାହୋଲ୍ । ଆପର କର୍ମକର୍ତ୍ତା ମାନେ ପରସ୍ପରକୁ ମିଠା ଖୁଆଇ ସେଲିବ୍ରେସନ କରୁଛନ୍ତି । ୭୦ ଆସନ ବିଶିଷ୍ଟ ଏହି ବିଧାନସଭାରେ ବହୁମତ ହାସଲ କରି ସରକାର ଗଠନ ଲାଗି ମାତ୍ର ୩୬ଟି ଆସନ ଦରକାର ପଡ଼ୁଥିବା ବେଳେ ଶାସନରେ ଥିବା ଆମ୍ ଆଦମୀ ପାର୍ଟି ଏଯାବତ୍ ମିଳିଥିବା ଟ୍ରେଣ୍ଡ୍ ଅନୁସାରେ ୫୬ଟିରେ ଆଗୁଆ ରହିଛି। ଆପ୍ ବହୁମତ ହାସଲ କରିବା ଏକ ପ୍ରକାର ନିଶ୍ଚିତ ବୋଲି କୁହାଯାଇପାରେ । ଫଳାଫଳ ଆସିବା ପୂର୍ବରୁ କେଜ୍ରିୱାଲଙ୍କ ଘର ସମ୍ମୁଖରେ ଆପ୍ ସମର୍ଥକ ‘ଅଲ ଦ ବେଷ୍ଟ’ ଲେଖିଛନ୍ତି । ଦଳ ପକ୍ଷରୁ ବିଜୟ ଉତ୍ସବ ପାଇଁ ପ୍ରସ୍ତୁତି ପର୍ବ ଶେଷ ହୋଇଛି, କେବଳ ଫଳାଫଳକୁ ଅପେକ୍ଷା । ତୃତୀୟ ଥର ପାଇଁ କେଜ୍ରିୱାଲଙ୍କ ହାତକୁ ଯିବ ଦିଲ୍ଲୀ । ରୋଡ଼୍ ସୋ’ କରିବା ପାଇଁ ଏକ ଖୋଲା ଜିପ୍ ପ୍ରସ୍ତୁତ କରାଯାଇଛି । ତେଣେ ଫଳାଫଳ ଆସିବା ପୂର୍ବରୁ ଆପ୍ କାର୍ଯ୍ୟାଳୟରେ ପହଞ୍ଚି ସାରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ସମ୍ପୂର୍ଣ୍ଣ କାର୍ଯ୍ୟାଳୟକୁ ବେଲୁନରେ ସଜାଇଛନ୍ତି କାର୍ଯ୍ୟକର୍ତ୍ତା ।

ଟ୍ରେଣ୍ଡ ଅନୁସାରେ ଉଭୟ ଜାତୀୟ ଦଳ ଠାରୁ ଢ଼େରୁ ଆଗୁଆ ରହିଛି ଆପ୍ । ବର୍ତ୍ତମାନ ସୁଦ୍ଧା ମିଳିଥିବା ଫଳାଫଳରୁ ଆପ୍ ୫୬ଟି ଆସନରେ, ବିଜେପି ୨୧ଟି ଆସନ ଆଗୁଆ ଥିବା ଜଣାପଡ଼ିଛି । ମଧ୍ୟାହ୍ଣ ସୁଦ୍ଧା ଦିଲ୍ଲୀ କାହା ହାତକୁ ଯିବ ତାହା ସ୍ପଷ୍ଟ ହୋଇଯିବ ।