ପଞ୍ଜାବରେ ଆପର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନାଁ ଘୋଷଣା । ଭଗୱନ୍ତ ମାନଙ୍କ ନାଁରେ ବାଜିଲା ମୋହର ।

110

କନକ ବ୍ୟୁରୋ : ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ଆପ ନିଜର ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରିଛି । ୨୪ଲକ୍ଷ ଲୋକଙ୍କ ମତାମତ ଆଧାରରେ ଆପ୍ ଭଗବନ୍ତ ମାନଙ୍କ ନାଁରେ ମୋହର ମାରିଛି । ଚଣ୍ଡିଗଡରେ ଆୟୋଜିତ ଆପର ବିଶାଳ କାର୍ଯ୍ୟକ୍ରମରେ ଭଗବନ୍ତ ମାନଙ୍କ ନାଁ ଘୋଷଣା କରାଯାଇଛି । ଗତ ୧୦ବର୍ଷ ହେବ ପଞ୍ଜାବରେ ଆପର ମୂଳଦୂଆ ମଜୁବୁତ କରିବା ଦିଗରେ ମାନଙ୍କ ରହିଛି ବଡ ଭୂମିକା । ସେପଟେ ଆସନ୍ତାକାଲି ଗୋଆ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରିବ ଆମ୍ ଆଦମୀ ପାର୍ଟି ।

ପଞ୍ଜାବରେ ଆପର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନାଁ ଘୋଷଣା । ଭଗୱନ୍ତ ମାନଙ୍କ ନାଁରେ ବାଜିଲା ମୋହର । ସବୁ କଳ୍ପନାର ଅନ୍ତ ଘଟିଛି । ପଞ୍ଜାବର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହୋଇଛନ୍ତି ଭଗୱନ୍ତ ମାନ୍ । ମୋହାଲିରେ ସାମ୍ବାଦିକ ସମ୍ମିଳନୀ କରି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି ଦଳର ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଜନତାଙ୍କ ମତାମତ ଆଧାରରେ ଭଗୱନ୍ତ ମାନଙ୍କ ନାଁ ଘୋଷଣା କରିଛି ଆମ ଆଦମୀ ପାର୍ଟି । ଆପ୍ ୨୧ଲକ୍ଷ ଲୋକଙ୍କ ନିକଟକୁ ଫୋନ ଜରିଆରେ ଏକ ମେସେଜ ପଠାଇ ସେମାନଙ୍କ ପସନ୍ଦର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାଁ ବାଛିବାକୁ କହିଥିଲା । ଯେଉଁଥିରେ ୯୪ପ୍ରତିଶତରୁ ଅଧିକ ଲୋକ ମାନଙ୍କୁ ପସନ୍ଦ କରିଥିଲେ । ଏହାକୁ ଆଧାର କରି ଭଗୱନ୍ତ ମାନଙ୍କ ଉପରେ ଆସ୍ଥା ପ୍ରକଟ କରି ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ତାଙ୍କ ନାଁ ଘୋଷଣା କରିଛି ।

ପଞ୍ଜାବ ନିର୍ବାଚନ ପାଇଁ ଦଳ ଏକ ଭରଷାଯୋଗ୍ୟ ପ୍ରାର୍ଥୀଙ୍କୁ ସାମ୍ନାକୁ ଆଣିବା ନେଇ ପୂର୍ବରୁ ଘୋଷଣା କରଥିଲା । ଚାଷୀ ଆନ୍ଦୋଳନକୁ ଆଧାର କରି ଦଳ ଭୋଟ ଗୋଟାଇବାକୁ ବିଚାର କରି ଚାଷୀ ନେତା ବଲବୀର ସିଂ ରାଜଭରଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ପାଇଁ ବିଚାର କରୁଥିଲା । କିନ୍ତୁ ଯୋଜନା କୌଣସି କାରଣରୁ ସଫଳ ହୋଇନଥିଲା । ପରେ ଭଗୱନ୍ତଙ୍କ ନାଁକୁ ନେଇ ନିର୍ଣ୍ଣାୟକ ନିଷ୍ପତି ନେଇଥିଲା ଆପ  । ନିଜ ନାଁ ଘୋଷଣା ପରେ ଭଗୱନ୍ତ ମାନ ଦଳକୁ ଧନ୍ୟବାଦ ଜଣାଇଛନ୍ତି । ଦଳ ତାଙ୍କ ଉପରେ ବିଶ୍ୱାସ ପ୍ରକଟ କରିଛି ଓ ଗୁରୁ ଦାୟିତ୍ୱ ଦେଇଛି । ଏହାକୁ ସଫଳତା ସହ ପୂରା କରିବା ଦିଗରେ ସେ ପ୍ରୟାସ କରିବେ ବୋଲି ମାନ କହିଛନ୍ତି । ପଞ୍ଜାବରେ ଶାନ୍ତି ଓ ରାଜ୍ୟବାସୀଙ୍କ ସୁରକ୍ଷା ତାଙ୍କର ପ୍ରାଥମିକତା ବୋଲି ମାନ କହିଛନ୍ତି ।

ଆସନ୍ତୁ ନଜର ପକାଇବା ଭଗୱନ୍ତ ମାନଙ୍କ କ୍ୟାରିୟର ଉପରେ । ୨୦୧୨ ମସିହାରେ ପଞ୍ଜାବ ପିପୁଲସ ପାର୍ଟିରେ ଯୋଗ ଦେଇ ରାଜନୀତି ଜୀବନ ଆରମ୍ଭ କରିଥିଲେ । ସମାନ ବର୍ଷରେ ଲହରା ବିଧାନସଭା ଆସନରେ ଲଢି ପରାଜିତ ହୋଇଥିଲେ । ଏହା ପରେ ୨୦୧୪ରେ ସେ ଆମ ଆଦର୍ମି ପାର୍ଟିରେ ଯୋଗ ଦେଇଥିଲେ । ଭଗବନ୍ତ ମାନ ୨୦୧୪ ମସିହାରେ ପଂଜାବ ସଂଗରୁର ନିର୍ବାଚନ କ୍ଷେତ୍ରରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ୨୦୧୯ରେ ଦ୍ୱିତୀୟ ଥର ପାଇଁ ମାନଙ୍କୁ ମିଳିଥିଲା ସମାନ ସଫଳତା । ପଂଜାବର ଜଣେ ହାସ୍ୟ କଳାକାରଭାବେ ପରିଚିତ ଭଗବନ୍ତ ମାନ । ବିଭିନ୍ନ ରିୟଲଟି ଶୋରେ ସେ ଅଭିନୟ କରିଛନ୍ତି ।

ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ଦଳମାନେ ପାର୍ଟି ପ୍ରାର୍ଥୀଙ୍କ ନାଁ ଘୋଷଣା କରିସାରିଛନ୍ତି । ବର୍ତମାନ ଆପ୍ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ମଧ୍ୟ ଘୋଷଣା କରିଛି । ସେପଟେ କଂଗ୍ରେସର ଟୁଇଟର ହ୍ୟାଣ୍ଡେଲରେ ଜାରି ହେଉଥିବା ପଲଟିକାଲ ପ୍ରମୋସନ ଭିଡିଓରୁ ସୂଚନା ମିଳୁଛି କି କଂଗ୍ରେସ ନିଜ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଚଣରଜିତ ସିଂ ଚନ୍ନୀଙ୍କ ନାଁ ଘୋଷଣା କରିପାରେ । ତେବେ ଆଗକୁ ଦେଖିବାକୁ ବାକି ରହିଲା କଂଗ୍ରେସ ଓ ବିଜେପି ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବା ପାଇଁ କେଉଁ ଚେହେରାଙ୍କୁ ମଇଦାନକୁ ଓହ୍ଲାଉଛନ୍ତି ।