ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲା । ଇଡି ଜାଲରେ ଆମ ଆଦମୀ ପାର୍ଟି ସାଂସଦ ।

57

କନକ ବ୍ୟୁରୋ: ଗିରଫ ହେଲେ ଆମ ଆଦମୀ ପାର୍ଟି ସାଂସଦ ସଂଜୟ ସିଂ । ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ସଂଜୟଙ୍କ ଘରେ ବୁଧବାର ସକାଳୁ ୧୦ଘଂଟା ଧରି ଜେରା କରିବା ପରେ ଗିରଫ କରିଛି ପ୍ରବର୍ତନ ନିର୍ଦ୍ଦେଶାଳୟ । ବିଜେପି ନିର୍ବାଚନ ପରାଜୟ ଭୟରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ଆପ କହିଛି । ବିରୋଧୀ ମଧ୍ୟ ବିଜେପି ଉପରେ ପ୍ରଶ୍ନ ଉଠାଇଛି । ପୂର୍ବରୁ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କୁ ମାମଲାରେ ଗିରଫ କରାଯାଇଥିଲା ।

ଗିରଫ ହେଲେ ଆମ ଆଦମୀ ପାର୍ଟି ସାଂସଦ ସଂଜୟ ସିଂ । ବୁଧବାର ସକାଳୁ ଆମ ଆଦମୀ ପାର୍ଟି ସାଂସଦ ସଂଜୟ ସିଂଙ୍କ ଘରେ ପହଁଚିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଏବେ ଇଡି ରାଡାରକୁ ଆସିଛନ୍ତି ସଂଜୟ ସିଂ । ତାଙ୍କ ଓ ତାଙ୍କ ସମ୍ପର୍କୀୟଙ୍କ ଘରେ ଚଢ଼ାଉ କରିଛି ତଦନ୍ତକାରୀ ସଂସ୍ଥା । ସୂଚନା ଅନୁସାରେ ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲା ଯେବେଠୁ ଆରମ୍ଭ ହୋଇଛି ସେବେଠୁ ଇଡିର ତଦନ୍ତ ତାଲିକାରେ ରହିଥିଲା ସଂଜୟଙ୍କ ନାଁ । ଚାର୍ଜସିଟରେ ଇଡି କହିଛି ଅବକାରୀ ଦୁର୍ନୀତି ମାମଲାର ମୁଖ୍ୟ ଅଭିଯୁକ୍ତ ଦିନେଶ ଆରୋଡା ଯେଉଁ ଦିନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସାକ୍ଷାତ କରିଥିଲା ସେହି ବୈଠକରେ ସଂଜୟ ସିଂ ମଧ୍ୟ ଉପସ୍ଥିତ ଥିଲେ । ଜେରା ସମୟରେ ସଂଜୟଙ୍କ ନାଁ ନେଇଥିଲା ଅଭିଯୁକ୍ତ ଦିନେଶ ଆରୋଡା । ଏହା ପରେ ସେ ମନିଷ ସିସୋଦିଆଙ୍କୁ ଭେଟିଥିଲା । ସେପଟେ ଇଡିର ଚଢ଼ାଉକୁ ନେଇ ପ୍ରତିକ୍ରିୟା ରଖି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ବିଧାନସଭା ନିର୍ବାଚନ ପରାଜୟ ଭୟରେ ବିଜେପି ଏଭଳି ଚଢାଉ କରୁଛି । ଆପ ନେତା, ମନ୍ତ୍ରୀଙ୍କୁ ମିଛ ମାମଲାରେ ଫଶାଉଛି । ବିଜେପି ଷଡଯନ୍ତ୍ର ଫେଲ ମାରିବ ।

ସେପଟେ ବିଜେପି ସାମ୍ବାଦିକ ସମ୍ମିଳନୀ କରି ଆପକୁ ଚ୍ୟାଂଲେଜ ଦେଇଛି । ବିଜେପି ମୁଖପାତ୍ର ଗୌରବ ଭାଟିଆ କହିଛନ୍ତି ଯଦି କେଜ୍ରିୱାଲଙ୍କର ସାହସ ରହିଛି ତେବେ ଦିନେଶ ଆରୋଡାଙ୍କ ଅଭିଯୋଗକୁ ମିଛ ପ୍ରମାଣିତ କରି ଦେଖାନ୍ତୁ ।

ମଦ ଦୁର୍ନୀତି ମାମଲାରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କୁ ଇଡି ଗିରଫ କରିସାରିଛି ଓ ସିବିଆଇ ମଧ୍ୟ ତଦନ୍ତ କରୁଛି । ଏହା ପୂର୍ବର ମନି ଲଡ୍ରିଂ ମାମଲାରେ କେଜ୍ରିୱାଲଙ୍କ ଘନିଷ୍ଟ ସହଯୋଗୀ ତଥା ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ମଧ୍ୟ ଗିରଫ କରିଯାଇଛି । ୨୦୨୦ ମସିହାରୁ ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାର ତଦନ୍ତ କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।