ଭୋକିଲା ରହିବି ପଛେ ବିଜେପିରେ ସାମିଲ ହେବିନି, ଆଜିଯାଏଁ ଏମିତି ନୋଟ୍ ତିଆରି ହୋଇନି ଯିଏ ଭଗୱନ୍ତଙ୍କୁ କିଣିପାରିବ । ବିଜେପି ବିରୋଧରେ ଆପ୍ ସାଂସଦଙ୍କ ସାଂଘାତିକ ଅଭିଯୋଗ ।

596

କନକ ବ୍ୟୁରୋ : ଆମ ଆଦମୀ ପାର୍ଟି ଛାଡି ବିଜେପି ଆସ । ଟଙ୍କା ନବ ନା ମନ୍ତ୍ରୀପଦ । କିଛି ଏଭଳି ଅଫର ବିଜେପି ପକ୍ଷରୁ ମିଳିଥିବା ନେଇ ସାଂଘାତିକ ଅଭିଯୋଗ ଆଣିଛନ୍ତି ଆପ୍ ସାଂସଦ ଭଗୱନ୍ତ ମାନ୍ । ଭଗୱନ୍ତ କହିଛନ୍ତି, ମୋତେ କିଣିବାକୁ ଜୋରଦାର ଉଦ୍ୟମ କରାଯାଇଥିଲା, କିନ୍ତୁ ଏବେ ପର୍ଯ୍ୟନ୍ତ ସେଭଳି ଟଙ୍କା ତିଆରି ହୋଇନାହିଁ ଯାହା ମୋତେ କିଣିପାରିବ । ସାମ୍ବାଦିକ ସମ୍ମିଳନୀରେ ଏଭଳି ସାଂଘାତିକ ଅଭିଯୋଗ କରିଛନ୍ତି ଭଗୱନ ।

ସାମ୍ବାଦିକ ସମ୍ମିଳନୀରେ ଭଗୱନ୍ତ କହିଛନ୍ତି, ମୋତେ ବିଜେପିର ଜଣେ ବଡ ନେତା ୪ ଦିନ ତଳେ ଫୋନ୍ କରିଥିଲେ । ଆଉ କହିଥିଲେ, ବିଜେପିରେ ସାମିଲ ହେବାକୁ କଣ ନେବ । କେତେ ଟଙ୍କା ନେବ କହିଦିଅ । ଏପରିକି କେନ୍ଦ୍ର ମନ୍ତ୍ରୀମଣ୍ଡଳରେ କେଉଁ ମନ୍ତ୍ରାଳୟ ଚାହୁଁଛ କି ସଙ୍ଗଠନରେ କଣ ପଦବୀ ଚାହୁଁଛ କୁହ । ଯେହେତୁ ଆପଣ ଦଳର ଜଣେ ମାତ୍ର ସାଂସଦ ତେଣୁ ଆପଣଙ୍କ କ୍ଷେତ୍ରରେ ଦଳବଦଳ ନିୟମ ମଧ୍ୟ ଲାଗୁ ହେବ ନାହିଁ । କିନ୍ତୁ ଏଭଳି ଅଫର ଭଗୱନ୍ତଙ୍କୁ କିଣି ପାରିନଥିଲା ।

ଏଭଳି ଅଫର ପାଇବା ପରେ ଭଗୱନ୍ତ କହିଥିଲେ, ମୁଁ ରାଜନୀତିରେ ଏକ ମିଶନ ନେଇ ଆସିଛି, କମିଶନ ପାଇଁ ନୁହେଁ । ମିଶନ ଓ କମିଶନ ମଧ୍ୟରେ କେବଳ କ ଶବ୍ଦର ଅନ୍ତର ରହିଛି । ଅନ୍ୟ ନେତା ଅଛନ୍ତି ଯେଉଁମାନଙ୍କୁ ଆପଣ କିଣିପାରିବେ । କିନ୍ତୁ ଆଜି ଯାଏଁ ଏମିତି ନୋଟ ତିଆରି ହୋଇନି ଯାହା ଭଗୱନ୍ତ ମାନଙ୍କୁ କିଣିପାରିବ । ପଞ୍ଜାବବାସୀଙ୍କ ସେବା କରିବାକୁ ରାଜନୀତିକୁ ଯେତେବେଳେ ଆସିଥିଲି ସେତେବେଳେ କ୍ୟାରିୟରର ଶୀର୍ଷରେ ରହିଥିଲି । ଏହାଛଡା ଝାଳ, ରକ୍ତ ଦେଇ ଦଳକୁ ଛିଡା କରିଛି । ଲୋକଙ୍କର ବିଶ୍ୱାସ ମୋ ଉପରେ ରହିଛି । ବିଜେପି ଲୋକଙ୍କର ଏହି ବିଶ୍ୱାସକୁ କିଣିପାରିବ ନାହିଁ ।

ବିଜେପି ଏବେ ବି ଭାବୁଛି ଯେ, ଆମ ଦଳ ଭିତରେ ସବୁକିଛି ଠିକ୍ ନାହିଁ । କିନ୍ତୁ ଦଳ ଏକ ପରିବାର ଭଳି । ଆଉ ପରିବାରରେ ଛୋଟ ଛୋଟ ମନାନ୍ତର ଓ ମତାନ୍ତର ଦେଖିବାକୁ ମିଳେ । ଯାହା ଦଳ ଭିତରେ ସମାଧାନ କରାଯାଇଥାଏ । ଯେଉଁ ଦଳ ୭୫୦ ଜଣ ଚାଷୀଙ୍କ ଜୀବନ ନେଇଛି, ଯେଉଁ ଦଳର ନେତା ଚାଷୀଙ୍କ ଉପରେ ଗାଡି ଚଢାଇବାକୁ ପଛାଇନଥାଏ, ଯେଉଁ ଦଳ ଦିଲ୍ଲୀ ସୀମାରେ ବସିଥିବା ଚାଷୀଙ୍କୁ ଗୁଣ୍ଡା, ଆତଙ୍କବାଦୀ କହିବାକୁ ମଧ୍ୟ ପଛାଇ ନାହିଁ । ସେଭଳି ଦଳରେ ସାମିଲ ହେବା ନେଇ କେବେ ମଧ୍ୟ ଭାବିପାରିବି ନାହିଁ ବୋଲି କହିଛନ୍ତି ଭଗୱନ୍ତ ମାନ୍ ।

ମୁଁ ପେଟପୂରା ଖାଇବା ବଦଳରେ ଭୋକ ଉପାସରେ ରହିବି, କିନ୍ତୁ ନିଜର ଆଦର୍ଶକୁ ବଳି ପକାଇ ବିଜେପିରେ ସାମିଲ ହୋଇପାରିବି ନାହିଁ । ବିଜେପିକୁ ଘୋଡାବେପାର ବେଶ ଭଲ ଭାବେ ଜଣା । ଏହାପୂର୍ବରୁ ମଧ୍ୟପ୍ରଦେଶ, କର୍ଣ୍ଣାଟକ, ଗୋଆ, ମେଘାଳୟରେ ଏଭଳି କରି ସାରିଛି ବିଜେପି । ଏବେ ପଞ୍ଜାବରେ ମଧ୍ୟ ସମାନ ଫର୍ମୁଲା ଆପଣାଇବାକୁ ଚାହୁଁଛି । କିନ୍ତୁ ଆପର କୌଣସି କାର୍ଯ୍ୟକର୍ତ୍ତାଙ୍କୁ ବିଜେପି କିଣିବାକୁ ଚେଷ୍ଟା ନ କରୁ କାରଣ ଆମ ଆଦମୀ ପାର୍ଟିରେ କେହି ଆଦର୍ଶକୁ ଜଳାଞ୍ଜଳୀ ଦେଉଥିବା ମୁଣ୍ଡବିକା ନେତା ନାହାନ୍ତି ।

ଆଗକୁ ପଞ୍ଜାବ ବିଧାନସଭା ନିର୍ବାଚନ ରହିଛି । ଆଉ ଏହା ପୂର୍ବରୁ ପଞ୍ଜାବରେ ରାଜନୀତି ପାରା ଶୀର୍ଷ ଛୁଇଁଲାଣି । ଖାସକରି ଆପ୍ ଫୋକସରେ ଏବେ ପଞ୍ଜାବ ରହିଥିବା ବେଳେ ବଡ ବଡ ଘୋଷଣା ମଧ୍ୟ କରୁଛନ୍ତି ଆମ୍ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲ । ଆଉ ଏଭଳି ସମୟରେ ଭଗୱନ୍ତଙ୍କ ସାଂଘାତିକ ଅଭିଯୋଗ ପଞ୍ଜାବ ରାଜନୀତିରେ ବଡ ଧରଣର ହଲଚଲ ସୃ୍ଷ୍ଟି କରିଛି । ତେବେ କେଉଁ ନେତା ଫୋନ୍ କରି ଏଭଳି ଅଫର ଦେଇଥିଲେ ତାହା ସ୍ପଷ୍ଟ କରିନାହାନ୍ତି ଭଗୱନ୍ତ ମାନ୍ ।