ଆମ ଆଦମୀ ପାର୍ଟିର ସାଂଘାତିକ ଅଭିଯୋଗ । ବିଜେପି ଉପରେ ଅପରେସନ ଲୋଟସ ଅଭିଯୋଗ ଆଣି ପ୍ରମାଣ ଦେଲା ଆପ

107

କନକ ବ୍ୟୁରୋ : ନିର୍ବାଚନ ତାତି ଭିତରେ ସାଂଘାତିକ ଅଭିଯୋଗ । ବିଜେପି ଉପରେ ଦିଲ୍ଲୀ ସରକାର ଭାଙ୍ଗିବା ଅଭିଯୋଗ ଆଣିଛି ଆମ ଆଦମୀ ପାର୍ଟି । ସୋସିଆଲ ମିଡିଆ ଏକ୍ସରେ ଏକ ଲେଖା ପୋଷ୍ଟ କରି ବିଜେପି ଉପରେ ସିଧାସଳଖ ଅଭିଯୋଗ କରିଛନ୍ତି ଦିଲ୍ଲୀ ମୁଖମନ୍ତ୍ରୀ ଅରବିନ୍ଦ କେଜଅିୱାଲ ।

କେଜ୍ରିୱାଲ କହିଛନ୍ତି—-ଦିଲ୍ଲୀରେ ସରକାର ଭାଙ୍ଗିବାକୁ ଷଡ଼ଯନ୍ତ୍ର କରୁଛି ବିଜେପି । ଆପ ବିଧାୟକଙ୍କୁ କୋଟି କୋଟି ଟଙ୍କାର ଅଫର ଦେଇଛି ଦଳ । ୭ଜଣ ବିଧାୟକଙ୍କୁ ବିଜେପି ୨୫କୋଟି ଟଙ୍କା ଲେଖାଏଁ ଅଫର ଦେଇଛି । ଅନ୍ୟ ୨୧ ବିଧାୟକଙ୍କୁ ଯୋଗାଯୋଗ କରିବାକୁ ପ୍ରୟାସ ଚାଲିଛି । ବିଧାୟକଙ୍କୁ କିଣି ସେମାନଙ୍କ ଟିକେଟ ଦେବାକୁ ଲୋଭ ଦେଖାଉଛି ବିଜେପି । ଆପ ସରକାର ଭାଙ୍ଗି ନିଜ ସରକାର ଗଢ଼ିବାକୁ ବିଜେପି ଅପରେସନ ଲୋଟୋସ ଆରମ୍ଭ କରିଛି । ସରକାର ଭାଙ୍ଗିବା ପାଇଁ ତାଙ୍କୁ ମଧ୍ୟ ଗିରଫ କରାଯାଇପାରେ । ସେପଟେ ସାମ୍ବାଦିକ ସମ୍ମିଳନୀ କରି ବିଜେପି ବିରୋଧରେ ଠୋସ ପ୍ରମାଣ ରଖିଛି ଆମ ଆଦମୀ ପାର୍ଟି । ବିଜେପି ବିଧାୟକଙ୍କ ଫୋନକଲ ରେକର୍ଡ ପ୍ରମାଣ ଆପକୁ ମିଳିଥିବା କହିଛନ୍ତି ଦିଲ୍ଲୀ କ୍ୟାବିନେଟମନ୍ତ୍ରୀ ଅତସୀ ମର୍ଲେନା ।

ଘଟଣାକୁ ନେଇ ବିଜେପି ଜବାବ ରଖିଛି । ଅଭିଯୋଗକୁ ଖଣ୍ଡନ କରିବା ସହ ଦଳ କହିଛି ଦୁର୍ନୀତିଗସ୍ତ ଆପ ସରକାର ନିଜ ଦୋଷ ଓ ଦୁର୍ବଳତାକୁ ଲୁଚାଇବା ପାଇଁ ଏଭଳି ଅପ୍ରଚାର କରୁଛି । ସେପଟେ କଂଗ୍ରେସ କହିଛି ଏହା କିଛି ନୂଆ କଥା ନୁହେଁ । ନିର୍ବାଚନ ଆସିେଊ ବିଜେପି ନିଜ ଅର୍ଥ ବଳରେ ବିଧାୟକଙ୍କୁ କିଣି ସରକାର ଭାଙ୍ଗିବାକୁ ଚେଷ୍ଟା କରେ ।

ବିଜେପି ବିିରୋଧରେ କେଜ୍ରିୱାଲ ବାରମ୍ବାର ଗୋଟିଏ ଅଭିଯୋଗ କରିଆସୁଛନ୍ତି । ଗତ ୯ବର୍ଷ ଧରି ବିଜେପି କଳେବଳେ କୌଶଳେ ଦିଲ୍ଲୀ ସରକାରଙ୍କୁ ଭାଙ୍ଗିବାକୁ ବାରମ୍ବାର ଷଡ଼ଯନ୍ତ୍ର କରିଛି । ଆଗକୁ ନିର୍ବାଚନ । ପରାଜୟ ଭୟରେ ପୁଣି ଥରେ ବିଜେପି ଅପରେସନ ଲୋଟୋସ ଆରମ୍ଭ କରିଥିବା କହିଛି ଆମ ଆଦମୀ ପାର୍ଟି ।