‘ରଦ୍ଦ ହେଉ ଭାରତ-ପାକ୍ ମ୍ୟାଚ୍, ପ୍ରଧାନମନ୍ତ୍ରୀ ମୋଦୀ ବି ଏଥିରେ ହେବେ ସହମତ’ – ଆପ୍ ବିଧାୟକ

307

କନକ ବ୍ୟୁରୋ: ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ୍ ପୂର୍ବରୁ ଏବେ ଏହାକୁ ନେଇ ଦେଶରେ ତେଜିିିଛି ରାଜନୀତି । କାଶ୍ମୀରରେ ଏବେ ସ୍ଥିତି ଶାନ୍ତ ନଥିବାବେଳେ, ବିଭିନ୍ନ ଦଳର ନେତା ଏହି ମ୍ୟାଚକୁ ତୁରନ୍ତ ବାତିଲ କରିବାକୁ ପରାମର୍ଶ ଦେଇଛନ୍ତି । ହେଲେ ଏହାରି ଭିତରେ ଆଜି ଆପ୍ ନେତା ଅତିଶୀ ମାରଲେନା ଏକ ବଡ ବୟାନ ଦେଇଛନ୍ତି ।

ଆମ୍ ଆଦମୀ ପାର୍ଟିର ବିଧାୟକ ଅତିଶୀଙ୍କ କହିବା ମୁତାବକ, ଆମେ ଦେଖୁଛେ ଗତ କିଛି ଦିନ ହେଲା କାଶ୍ମୀରରେ ଆତଙ୍କୀ ଆକ୍ରମଣ ଜାରି ରହିଛି । ଯେଉଁଥିରେ ସାଧାରଣ ଲୋକ ମୃତ୍ୟୁବରଣ କରୁଛନ୍ତି । ଏପରି ସମୟରେ ଭାରତ-ପାକ୍ କ୍ରିକେଟ୍ ମ୍ୟାଚ୍ ନହେବା ମତ ଉପରେ ବିଜେପି ଓ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ସହମତି ପ୍ରକାଶ କରିବେ । କାହିଁକି ବିଜେପି ଯେତେବେଳେ ବିରୋଧୀ ଦଳରେ ଥିଲା ଓ ମୋଦୀ ଗୁଜରାଟ ମୁଖ୍ୟମନ୍ତ୍ରୀ ଥିଲେ ସେ ଏହି କଥା ହିଁ କହୁଥିଲେ ।

ଯେପର୍ଯ୍ୟନ୍ତ ଭାରତରେ ଏମିତି ଆକ୍ରମଣ ହେଉଥିବ ସେପର୍ଯ୍ୟନ୍ତ ମ୍ୟାଚ୍ ଖେଳିବା ଠିକ୍ ନୁହେଁ ବୋଲି ସେ କହିଛନ୍ତି । ତେବେ ଖାଲି ଆପ୍ ନେତା ନୁହଁ, ଏହା ପର୍ବରୁ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ ମଧ୍ୟ ସେହି ସମାନ କଥା କହିଥିଲେ । ତାଙ୍କ ସହିତ ବିହାର ଉପ-ମୁଖ୍ୟମନ୍ତ୍ରୀ ତାରାକିଶୋର ପ୍ରସାଦ ମଧ୍ୟ କହିଛନ୍ତି ଯେ, କାଶ୍ମୀରରେ ଲୋକଙ୍କ ହତ୍ୟା ବହୁତ ଦୁଃଖଦ ଘଟଣା । ପାକିସ୍ତାନ ଭାରତରେ ଆତଙ୍କୀ ଆକ୍ରମଣ ନେଇ ଯେଉଁ ଯୋଜନା କରୁଛି, ଏପରି ସ୍ଥିତିରେ ଏହି ମ୍ୟାଚ୍ ରଦ୍ଦ ହେବା ଉଚିତ୍ ବୋଲି ବିହାର ଉପ-ମୁଖ୍ୟମନ୍ତ୍ରୀ କହିଥିଲେ ।

ଅନ୍ୟପଟେ ବିସିସିଆଇ ମଧ୍ୟ ଏହି ମ୍ୟାଚ୍ ନେଇ ନିଜର ପ୍ରତିକ୍ରିୟା ରଖିଛି । ବିସିସିଆଇ ଉପାଧ୍ୟକ୍ଷ ରାଜୀବ ଶୁକ୍ଲା କହିଛନ୍ତି, କାଶ୍ମୀରରେ ଯେଉଁ ହତ୍ୟାକାଣ୍ଡ ହେଉଛି, ତାହା ଅତ୍ୟନ୍ତ ଦୁଃଖଦାୟକ, ଏହାକୁ ଆମେ ନିନ୍ଦା କରୁଛୁ । ହେଲେ ଭାରତ-ପାକିସ୍ତାନ ମ୍ୟାଚ୍ ଅନ୍ତର୍ଜାତୀୟ ସ୍ତରରେ ହେଉଛି । ଏପରି ସ୍ଥଳେ ଆମେ ଗୋଟିଏ ଦେଶ ସହିତ ମ୍ୟାଚ୍ ଖେଳିବାକୁ ମନା କରିପାରିବୁ ନାହିଁ ବୋଲି ସେ କହିଥିଲେ । ସୂଚନାଯୋଗ୍ୟ ଯେ, ଅକ୍ଟୋବର ୨୪ ତାରିଖରେ ଟି-୨୦ ବିଶ୍ୱକପରେ ଭାରତ-ପାକ୍ ଭେଟାଭେଟି ହେବାକୁ ଯାଉଛନ୍ତି । ହେଲେ କାଶ୍ମୀରେର ଜାରି ରହିଥିବା ଅଶାନ୍ତିଙ୍କୁ ଦୃଷ୍ଟିରେ ରଖି ଏହି ମ୍ୟାଚ୍ ରଦ୍ଦ କରିବାକୁ ଏବେ ଦେଶର ଅନେକ ନେତା ଦାବି କରୁଛନ୍ତି ।