କନକ ବ୍ୟୁରୋ : ପଞ୍ଜାବରେ ଆମ ଆଦମୀ ପାର୍ଟିର ବିପୁଳ ସଫଳତା ପରେ କେଜ୍ରିୱାଲଙ୍କ ବଡ ବୟାନ ଏବେ ସାମ୍ନାକୁ ଆସିଛି । ଦଳୀୟ କର୍ମୀଙ୍କୁ ସମ୍ବୋଧନ କରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ ପ୍ରମୁଖ କେଜ୍ରିୱାଲ କହିଛନ୍ତି, ପଞ୍ଜାବରେ ବଡ ବଡ ଚେୟାର ହଲି ଯାଇଛି । ଯେତେ ବି ହେଭିୱେଟ ଚେହେରା ଥିଲେ ସମସ୍ତେ ପରାଜିତ ହୋଇଛନ୍ତି । ଆମେ ସଚ୍ଚୋଟତାର ରାଜନୀତି କରୁଥିଲୁ ଓ ପୂରା ବ୍ୟବସ୍ଥାକୁ ବଦଳାଇଛୁ । ଆମେ ଶିକ୍ଷା ଓ ରୋଜଗାରକୁ ଗୁରୁତ୍ୱ ଦେଇଛୁ । ପଞ୍ଜାବରେ ଏବେ ଇନକଲାବ ଆସିଛି ।

Advertisment

ପଞ୍ଜାବ ନିର୍ବାଚନ ସମୟରେ ମୋତେ ନେଇ ଅନେକ କଥା କୁହାଯାଇଛି । ଏପରିକି ମୋତେ ଆତଙ୍କବାଦୀ ବୋଲି ମଧ୍ୟ କୁହାଯାଇଥିଲା । ଆପ୍ ଓ ମୋ ବିରୋଧରେ ଅନେକ ଷଡଯନ୍ତ୍ର କରାଯାଇଥିଲା । କିନ୍ତୁ ଦେଶର ଜନତା ଜବାବ ଦେଇଛନ୍ତି । କେଜ୍ରିୱାଲ ଆତଙ୍କବାଦୀ ନୁହଁନ୍ତି ବରଂ ଦେଶର ସୁପୁତ୍ର ଏବଂ ସଚ୍ଚା ଦେଶଭକ୍ତ । ଏହାଛଡା କେଜ୍ରିୱାଲ କହିଛନ୍ତି, ପଞ୍ଜାବର ମୁଖ୍ୟମନ୍ତ୍ରୀଙ୍କୁ ଜଣେ ମୋବାଇଲ ସଜାଡୁଥିବା ବ୍ୟକ୍ତି ହରାଇଛନ୍ତି । ଯାହାଙ୍କ ମା’ ଗୋଟିଏ ସରକାରୀ ହସ୍ପିଟାଲରେ ସଫେଇ କାର୍ଯ୍ୟ କରୁଛନ୍ତି । ତେଣୁ ସାଧାରଣ ଲୋକ ବା ଆମ ଆଦମୀ ବହୁତ କିଛି କରିପାରିବେ । ସେଥିପାଇଁ ଚାଷୀ, ମହିଳା, ଯୁବକ ମାନେ ଆପରେ ସାମିଲ ହେବାକୁ କେଜ୍ରିୱାଲ ଅପିଲ କରିଛନ୍ତି ।

କେଜ୍ରିୱାଲ କହିଛନ୍ତି, ଆମେ ବିଦ୍ୱେଷ କିମ୍ବା ହିଂସାର ରାଜନୀତି ନୁହେଁ ବରଂ ଭଲପାଇବାର ରାଜନୀତି କରିଥାଉ । ଆମେ ଗାଳିର ଜବାବ ଗୁଳିରେ ନୁହେଁ ବରଂ ଭଲପାଇବାରେ ଦେଇଥାଉ । ଭାରତକୁ ଏବେ ନମ୍ବର-ୱାନ୍ ଦେଶ ଭାବେ ଗଢିତୋଳିବାକୁ କେହି ଅଟକାଇ ପାରିବେନି ।

ଅନ୍ୟପଟେ ପଞ୍ଜାବରେ ଆପର ଜବରଦସ୍ତ ସଫଳତା ପରେ ଭଗୱନ୍ତ ସିଂ ମାନ୍ କହିଛନ୍ତି, ରାଜଭବନ ନୁହେଁ ଭଗତ ସିଂଙ୍କ ଜନ୍ମମାଟିରେ ଶପଥ ନେବୁ । କୌଣସି ସରକାରୀ ଅଫିସରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ନୁହେଁ ବରଂ ଭଗତ ସିଂ ଓ ବି.ଆର ଆମ୍ବେଦକରଙ୍କ ଫଟୋ ରହିବ ।