ଆସିଲା ସୁପ୍ରିମକୋର୍ଟଙ୍କ ରାୟ, ଚଣ୍ଡିଗଡର ମେୟର ଭାବେ ବିଜୟୀ ହେଲେ ଆପ୍ ପ୍ରାର୍ଥୀ କୁଳଦୀପ କୁମାର ।

263

କନକ ବ୍ୟୁରୋ : ଚଣ୍ଡିଗଡ ମେୟର ନିର୍ବାଚନରେ ବିଜୟୀ ହେଲେ ଆପ୍ ପ୍ରାର୍ଥୀ କୁଳଦୀପ କୁମାର । ସୁପ୍ରିମକୋର୍ଟ ଐତିହାସିକ ରାୟ ଦେବା ସହ ଆପ୍ ପ୍ରାର୍ଥୀ କୁଳଦୀପ କୁମାରଙ୍କୁ ବିଜୟୀ ଘୋଷିତ କରିଛନ୍ତି । ଏହାପୂର୍ବରୁ ବିଜେପି ମେୟର ପ୍ରାର୍ଥୀଙ୍କୁ ବିଜୟୀ ଘୋଷିତ କରିଥିଲେ ରିଟର୍ଣ୍ଣିଂ ଅଫିସର । କିନ୍ତୁ ମେୟର ନିର୍ବାଚନରେ ଅନିୟମିତତା ଅଭିଯୋଗ ଆଣି ସୁପ୍ରିମକୋର୍ଟରେ ପହଞ୍ଚିଥିଲା ଆପ୍ । ସୁପ୍ରିମକୋର୍ଟ ଆଜି ମାମଲାର ଶୁଣାଣି କରି ଅମାନ୍ୟ ଘୋଷିତ ହୋଇଥିବା ସମସ୍ତ ୮ ଭୋଟକୁ ବୈଧ କରିବାକୁ ରିଟର୍ଣ୍ଣିଂ ଅଫିସରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ରେକର୍ଡ ହୋଇଥିବା ସିସିଟିଭି ଭିଡ଼ିଓରେ ବାଲାଟ ପେପରରେ ରିଟର୍ଣ୍ଣିଂ ଅଫିସର ଗାର ମାରୁଥିବାର ଦେଖିବାକୁ ମିଳିଥିଲା । ଏପରିକି ରିଟର୍ଣ୍ଣିଂ ଅଫିସର ଏକଥା କୋର୍ଟରେ ମଧ୍ୟ ମାନିଥିଲେ ।

ମାମଲାର ଶୁଣାଣି କରି ମୁଖ୍ୟ ବିଚାପତି କହିଥିଲେ, ଅବୈଧ ହୋଇଥିବା ୮ଟି ଭୋଟ କୁଳଦୀପଙ୍କ ସପକ୍ଷରେ ରହିଥିଲା । କିନ୍ତୁ ରିଟର୍ଣ୍ଣିଂ ଅଫିସର ଏହାକୁ ଖାରଜ କରିଥିଲେ । ରିଟର୍ଣ୍ଣିଂ ଅଫିସର ବାଲାଟ ପେପରରେ ଗାର ମାରି ଯେଉଁ ଭୁଲ କରିଛନ୍ତି ସେଥିପାଇଁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ସୁପ୍ରିମକୋର୍ଟର ନିଷ୍ପତ୍ତି ଆସିବା ପରେ କୁଳଦୀପ କୁମାର କହିଛନ୍ତି, ମୁଁ କୋର୍ଟକୁ ଧନ୍ୟବାଦ ଦେବାକୁ ଚାହୁଁଛି । ସତ୍ୟକୁ କିଛି ସମୟ ପାଇଁ ହଇରାଣ କରାଯାଇପାରିବ କିନ୍ତୁ ଏହାକୁ ସମ୍ପୂର୍ଣ୍ଣ ନଷ୍ଟ କରାଯାଇପାରିବ ନାହିଁ । ସତ୍ୟର ବିଜୟ ହୋଇଛି । ଚଣ୍ଡିଗଡରେ ଯେଉଁ ବିକାଶମୂଳକ କାମ ଅଟକିଛି ତାହା ପ୍ରଥମେ କରାଯିବ । ସୁପ୍ରିମକୋର୍ଟ ଲୋକତନ୍ତ୍ରର ହତ୍ୟା ହେବାକୁ ଦେଇନାହାନ୍ତି ।