ଆମ୍ ଆଦମୀ ପାର୍ଟିର ବଡ ନିଷ୍ପତ୍ତି । ଜାନୁଆରୀ ୨୨ ତାରିଖରେ ପୂରା ଦିଲ୍ଲୀରେ ହେବ ରାମଲଲାଙ୍କ ଶୋଭାଯାତ୍ରା

174

କନକ ବ୍ୟୁରୋ : ସୋମବାର ଦିନ ଅଯୋଧ୍ୟାରେ ପ୍ରଭୁ ରାମଙ୍କ ପ୍ରାଣପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଛି । ଏହାକୁ ନେଇ ସାରା ଦେଶ ଉତ୍ସବ ମୁଖର ରହିଛି । ସେପଟେ ଦିଲ୍ଲୀରେ ଆମ୍ ଆଦମୀ ପାର୍ଟି ସମାନ ଦିନରେ ରାମଲଲାଙ୍କ ଶୋଭଯାତ୍ରା କରିବ ବୋଲି ଘୋଷଣା କରିଛି । ଆପ୍ ନେତାଙ୍କ କହିବା ମୁତାବକ ପୂରା ଦିଲ୍ଲୀରେ ଏହି ଶୋଭାଯାତ୍ରା ହେବ । ଏହାସହ ଦଳ ତରଫରୁ ସାରା ଦିଲ୍ଲୀରେ ଭୋଜିଭାତର ଆୟୋଜନ କରିବ । ଏଥିରେ ଦଳର ବଡ ନେତାମାନେ ସାମିଲ ହେବେ ।

ଦିଲ୍ଲୀର ଆପ୍ ସରକାର ରାମ ମନ୍ଦିର ଉଦଘାଟନକୁ ନଜରରେ ରଖି ଜାନୁଆରୀ ୨୨ ରେ ସମସ୍ତ ସରକାରୀ କାର୍ଯ୍ୟାଳୟ ଅଧାଦିନ ବନ୍ଦ ରହିବ ବୋଲି ଘୋଷଣା କରିଛି । ଏହାସହ ଜାନୁଆରୀ ୨୦ ତାରିଖରୁ ୩ ଦିନିଆ ରାମଲୀଳା କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହେଉଚି । ଆଜି ରାମଲୀଳା ଦେଖିବାକୁ ନିଜେ ଅରବିନ୍ଦ କେଜ୍ରିୱାଲ ପହଂଚିଛନ୍ତି । ଶ୍ରୀରାମ ଭାରତୀୟ କଳାକେନ୍ଦ୍ର ଦ୍ୱାରା ଅପରାହ୍ନ ୪ ଟାରୁ ସନ୍ଧ୍ୟା ୭ ଟା ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି ।

ସେହିଭଳି ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ସମେତ ପ୍ରଥମରୁ ଆସାମ, ଛତିଶଗଡ, ଓଡିଶା, ହରିଆଣା, ରାଜସ୍ଥାନ ଅନେକ ରାଜ୍ୟର ସରକାର ଜାନୁଆରୀ ୨୨ ତାରିଖକୁ ଅଧାଦିନ ଛୁଟି ଘୋଷଣା କରିଛନ୍ତି । ହେଲେ ହିମାଚଳ ପ୍ରଦେଶର କଂଗ୍ରେସ ସରକାର ଏହି ଦିନକୁ ସମ୍ପୂର୍ଣ୍ଣ ଛୁଟି ଘୋଷଣା କରିଛନ୍ତି ।