କନକ ବ୍ୟୁରୋ : ଲୋକସଭା ନିର୍ବାଚନ ପୂର୍ବରୁ ଆମ୍ ଆଦମୀ ପାର୍ଟି ଓ କଂଗ୍ରେସ ମଧ୍ୟରେ ମେଣ୍ଟ ନେଇ ସହମତି ହୋଇଛି । ସୂତ୍ର ସୂଚନା ମୁତାବକ ଦିଲ୍ଲୀରେ ଆମ୍ ଆଦମୀ ପାର୍ଟି ଓ କଂଗ୍ରେସ ମିଳିତ ଭାବେ ଲୋକସଭା ନିର୍ବାଚନ ଲଢିବା ନେଇ ସୂଚନା ମିିଳିଛି । ମିଳିଥିବା ସୂଚନା ମୁତାବକ ଦିଲ୍ଲୀରେ କଂଗ୍ରେସ ୩ଟି ଓ ଆପ୍ ୪ଟି ଲୋକସଭା ଆସନରେ ପ୍ରାର୍ଥୀ ଦେବ । କଂଗ୍ରେସ ମହାସଚିବ କେସି ବେଣୁଗୋପାଳଙ୍କ ବାସଭବନରେ ଏନେଇ ଏକ ବୈଠକ ହୋଇଛି । କିଛି ସମୟ ପରେ ଏହା ଔପଚାରିକ ଭାବେ ଘୋଷଣା ହୋଇପାରେ ।
ସେପଟେ ପଞ୍ଜାବରେ କଂଗ୍ରେସ ଓ ଆପ୍ ମିଳିତ ଭାବେ ନିର୍ବାଚନ ନ ଲଢି ଏକା ଏକା ନିର୍ବାଚନ ଲଢିବାକୁ ଉଭୟ ଦଳ ମଧ୍ୟରେ ସହମତି ପ୍ରକାଶ ପାଇଛି । ଏନେଇ ଅରବିନ୍ଦ କେଜ୍ରିୱାଲ କହିଛନ୍ତି କି, କଂଗ୍ରେସ ସହ କୌଣସି ମତଭେଦ ନାହିଁ, ହେଲେ ପଞ୍ଜାବରେ ଉଭୟ ଦଳ ଅଲଗା ଅଲଗା ନିର୍ବାଚନ ଲଢିବେ ।
ସୂଚନା ଥାଉ କି, ଗତକାଲି ଉତ୍ତର ପ୍ରଦେଶରେ କଂଗ୍ରେସ ଓ ସମାଜବାଦୀ ପାର୍ଟି ମଧ୍ୟରେ ମେଣ୍ଟ ନେଇ ନିଷ୍ପତ୍ତି ହୋଇଛି । ଉତ୍ତର ପ୍ରଦେଶରେ ସମାଜବାଦୀ ପାର୍ଟି କଂଗ୍ରେସକୁ ୧୭ଟି ଆସନ ଦେବାକୁ ରାଜି ହୋଇଛି । ସେହିଭଳି ମଧ୍ୟପ୍ରଦେଶରେ ମଧ୍ୟ କଂଗ୍ରେସ ଓ ସମାଜବାଦୀ ପାର୍ଟି ମଧ୍ୟରେ ମେଣ୍ଟ ହୋଇଛି । ହେଲେ କଂଗ୍ରେସ ସମାଜବାଦୀ ପାର୍ଟିକୁ କେତୋଟି ଆସନ ଛାଡିବ ତାହା ଜଣାପଡିନାହିଁ ।