ଦ୍ୱିତୀୟ ପତ୍ନୀ କିରଣ ରାଓଙ୍କ ଠାରୁ ଅଲଗା ହେଲେ ଅଭିନେତା ଆମିର ଖାନ । ଦୀର୍ଘ ୧୫ ବର୍ଷର ସମ୍ପର୍କକୁ ଆପୋଷ ବୁଝାମଣାରେ କଲେ ଶେଷ ।

357

କନକ ବ୍ୟୁରୋ: ଶେଷ ହେଲା ଦୀର୍ଘ ୧୫ ବର୍ଷର ସମ୍ପର୍କ । ବିଚ୍ଛେଦ ହେଲେ ବଲିଉଡ ଦମ୍ପତି ଆମିର ଖାନ୍ ଓ କିରଣ ରାଓ । ଏନେଇ ଉଭୟ ଆମିର ଓ କିରଣ ସୋସିଆଲ ମିଡିଆ ଜରିଆରେ ନିଜ ନିଜ ଷ୍ଟେଟମେଣ୍ଟ୍ ଜାରି କରିଛନ୍ତି । ଯେଉଁଥିରେ ଉଭୟ ଲେଖିଛନ୍ତି –

ଏହି ୧୫ ବର୍ଷର ସମ୍ପର୍କ ଆମର ବେଶ ସୁନ୍ଦର ରହିଥିଲା । ଏହି ଭିତରେ ଆମେ ସାରା ଜୀବନର ଅନୁଭବ, ସୁଖ, ଦୁଃଖ ପରସ୍ପର ସହ ବାଣ୍ଟିଲୁ । ଆମ ସମ୍ପର୍କ କେବଳ ଭଲ ପାଇବା, ବିଶ୍ୱାସ ଆଉ ସମ୍ମାନରେ ବଢିଛି । ଏବେ ଆମେ ନିଜ ଜୀବନରେ ଆଉ ଏକ ନୂଆ ଅଧ୍ୟାୟ ଆରମ୍ଭ କରିବାକୁ ଚାହୁଁଛୁ । ସ୍ୱାମୀ, ସ୍ତ୍ରୀ ଭାବେ ନୁହଁ ବରଂ ମାତା-ପିତା ଭାବେ, ଏକ ପରିବାର ଭାବେ । କିଛି ସମୟ ଆଗରୁ ଆମେ ଅଲଗା ହେବାର ଯୋଜନା କରିଥିଲୁ । ଆଉ ଏବେ ଏହି ବ୍ୟବସ୍ଥାକୁ ଔପଚାରିକ ଭାବେ ଘୋଷଣା କରିବାକୁ ଠିକ୍ ମନେ କଲୁ ।”

ଆମିର ଓ କିରଣ ଅଲଗା ଅଲଗା ରହିଲେ ବି ବିସ୍ତାରିତ ପରିବାର ପରି ଚଳିବେ । ନିଜ ପୁଅ ଆଜାଦ୍ ପ୍ରତି କୌଣସି ଅବହେଳା କରିବେ ନାହିଁ । ବାପା, ମାଆ ଭଳି ଏକାଠି ତାର ଲାଳନ ପାଳନ କରିବେ । ଦୁହେଁ ମିଳିତ ଭାବେ ସିନେମା, ପାଣି ଫାଉଣ୍ଡେସନ୍ ଏବଂ ନିଜ ଅନ୍ୟ ସଂସ୍ଥାରେ ବି କାମ କରିବେ ବୋଲି ନିଜ ନିଜ ଷ୍ଟେଟମେଂଟ୍ରେ ଆମିର ଓ କିରଣ ଲେଖିଛନ୍ତି । ଆମିର ଖାନ୍ ଓ କିରଣ ରାଓ ୨୦୦୫ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ଦୁହିଁଙ୍କ ପ୍ରଥମ ଦେଖା ଲଗାନ ଫିଲ୍ମ ସେଟ୍ରେ ହୋଇଥିଲା । ଯେଉଁଥିରେ ଆମିର ଖାନ୍ ଅଭିନୟ କରିଥିଲେ ଆଉ କିରଣ ରାଓ ଜଣେ ଆସିଷ୍ଟାଂଟ୍ ଡିରେକ୍ଟର ଭାବେ କାମ କରୁଥିଲେ । ଧିରେ ଧରେ ଦୁହିଁଙ୍କ ଭିତରେ ବନ୍ଧୁତା ପରେ ଭଲପାଇବା ଆରମ୍ଭ ହୋଇଥିଲା ।

ଏହା ପୂର୍ବରୁ ଆମିର ୧୯୮୬ ମସିହାରେ ରୀନା ଦତ୍ତାଙ୍କୁ ବିବାହ କରିଥିଲେ । ନିଜ ପ୍ରଥମ ବିବାହରୁ ଆମିରଙ୍କରଗୋଟିଏ ପୁଅ ଆଉ ଝିଅ ଅଛନ୍ତି । ରୀନାଙ୍କୁ ଆମିର ୨୦୦୬ରେ ଛାଡପତ୍ର ଦେଇଥିଲେ । ଆଉ ଏବେ କିରଣ ରାଓଙ୍କ ସହ ମଧ୍ୟ ନିଜ ବୈବାହିକ ସମ୍ପର୍କ ଶେଷ କରିଛନ୍ତି ୫୬ ବର୍ଷୀୟ ଆମିର ଖାନ୍ । ବିବାହ ବିଚ୍ଛେଦକୁ ସମ୍ପର୍କର ଶେଷ ନୁହେଁ ବରଂ ଏକ ନୂଆ ସମ୍ପର୍କର ଆରମ୍ଭ ରୂପେ ଦେଖିବାକୁ ନିଜ ବନ୍ଧୁ ଓ ପ୍ରଶଂସକଙ୍କୁ ଦୁହେଁ ଅନୁରୋଧ କରିଛନ୍ତି ।