ଛୁଟି ଦିନରେ ବି ଖୋଲା ରହିବ କୃଷି ଅଫିସ: କରୋନା ସନ୍ଦିଗ୍ଧ କର୍ମଚାରୀଙ୍କୁ ଅଫିସ ଆସିବା ମନା; ୧୮୦୦୧୦୨୫୧୬୬କୁ କଲ୍ କରି ସମସ୍ତ ସହାୟତା ପାଇପାରିବେ ଚାଷୀ

ଛୁଟି ଦିନରେ ବି ଖୋଲା ରହିବ କୃଷି ଅଫିସ: କରୋନା ସନ୍ଦିଗ୍ଧ କର୍ମଚାରୀଙ୍କୁ ଅଫିସ ଆସିବା ମନା; ୧୮୦୦୧୦୨୫୧୬୬କୁ କଲ୍ କରି ସମସ୍ତ ସହାୟତା ପାଇପାରିବେ ଚାଷୀ

କନକ ବ୍ୟୁରୋ: ଚଳିତ ମାସ ୩୦ ତାରିଖ ପର୍ୟ୍ୟନ୍ତ ରାଜ୍ୟରେ ଥିବା ସମସ୍ତ କୃଷି କାର୍ଯ୍ୟାଳୟ ପ୍ରତ୍ୟେକ ଦିନ ଖୋଲାରହିବ। ସରକାରୀ ଛୁଟି ଦିବସରେ ବି। ରବି ଫସଲ ଅମଳ ଓ ଖରିଫ ଋତୁ ଯୋଗୁଁ ସରକାର କୃଷି ବିଭାଗକୁ ଅତି ଜରୁରୀ ବିଭାଗ ବର୍ଗରେ ସାମିଲ କରିବା ପରେ ଏପରି ନିର୍ଦ୍ଦେଶନାମା ଜାରି କରାଯାଇଛି। ବିଭାଗର କୌଣସି ଅଧିକାରୀ କିମ୍ବା କର୍ମଚାରୀଙ୍କର ଯଦି ଥଣ୍ଡା, କାଶ ଓ ଶ୍ବାସକ୍ରିୟା ଜନିତ ଫ୍ଲୁ ଲକ୍ଷଣ ଦେଖାଦେବ, ତେବେ ତାଙ୍କୁ ଅଫିସ ଆସିବାକୁ ବାରଣ କରାଯାଇଛି।

ନିର୍ଦ୍ଦେଶନାମା ଅନୁଯାୟୀ, ଚାଷୀମାନଙ୍କୁ ସମସ୍ତ ପ୍ରକାର ସରକାରୀ ସୁବିଧା ଯୋଗାଇ ଦେବା ପାଇଁ ଜିଲ୍ଲା ସ୍ତରରେ ଥିବା କୃଷି ବିଭାଗର ସମସ୍ତ କାର୍ଯ୍ୟାଳୟ ଖୋଲାରହିବ। ଏହିସବୁ କାର୍ଯ୍ୟାଳୟରେ କାର୍ୟ୍ୟରତ କର୍ମଚାରୀ ଓ ଅଧିକାରୀ ସରକାରୀ କାର୍ୟ୍ୟଦିବସ ସମେତ ଛୁଟି ଦିନରେ ବି ଅଫିସ୍ ଆସିବେ। କିନ୍ତୁ ଭୁବନେଶ୍ବର ଓ କଟକରେ ଅବସ୍ଥିତ କୃଷି ବିଭାଗ କାର୍ଯ୍ୟାଳୟଗୁଡ଼ିକରେ ଆବଶ୍ୟକ କର୍ମଚାରୀ ଆସିବେ। ଏଠାରେ ଥିବା ଅଫିସ୍ଗୁଡ଼ିକରେ କର୍ମଚାରୀଙ୍କ ସଂଖ୍ୟା ୨୫%ରୁ ଅଧିକ ହେବାକୁ ଦିଆଯିବନି।

ଗତ ୨୮ ଦିନ ଭିତରେ ଯଦି କୌଣସି କର୍ମଚାରୀ କିମ୍ବା ଅଧିକାରୀ ବିଦେଶ କିମ୍ବା ଦେଶର କୋଭିଡ଼ ପ୍ରଭାବିତ ହଟସ୍ପଟ୍ ରାଜ୍ୟକୁ ଯାଇଥାନ୍ତି, ତା ହେଲେ ସେ କ୍ଷେତ୍ରରେ ସମ୍ପୃକ୍ତ କର୍ମଚାରୀ ଅଫିସ ଆସିବେ ନାହିଁ। ସେହିପରି ଜଣେ କର୍ମଚାରୀ ଯଦି କୌଣସି କୋଭିଡ଼ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥାନ୍ତି, ତାହେଲେ ସମ୍ପୃକ୍ତ କର୍ମଚାରୀ ୧୦୪ ଟୋଲ୍ ଫ୍ରି ନମ୍ବରରେ ପଞ୍ଜୀକରଣ କରିବା ସହିତ ସେଠାରୁ କରୋନା ନେଗେଟିଭ୍ ରିପୋର୍ଟ ଆଣିବା ପରେ ଅଫିସ ଆସିପାରିବେ। କରୋନା ସଂକ୍ରମଣ ଜନିତ ନିଷିଦ୍ଧ କରାଯାଇଥିବା ଅଞ୍ଚଳରୁ କୌଣସି କର୍ମଚାରୀ ଓ ଅଧିକାରୀ ଅଫିସ୍ ଆସିବା ଦରକାର ନାହିଁ। କାର୍ଯ୍ୟାଳୟରେ ୫ଜଣ କର୍ମଚାରୀ ଏକାଠି ହେବାକୁ ବାରଣ କରାଯାଇଛି। ସମସ୍ତ କର୍ମଚାରୀ ଓ ଅଧିକାରୀ ମୁହଁରେ ମାସ୍କ୍ ପିନ୍ଧିବା ସହିତ ସାମାଜିକ ଦୂରତା ଯେପରି ବଜାୟ ରଖିବେ, ସେଥିପାଇଁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଏହି ଆଦେଶର ଉଲଂଘନ କଲେ ମହାମାରୀ ରୋଗ ଆଇନ-୧୮୯୭ ଓ ବିପର୍ଯ୍ୟୟ ପରିଚାଳନା ଆଇନ-୨୦୦୫ ଅନୁଯାୟୀ ସମ୍ପୃକ୍ତ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ।

‘ଆମ କୃଷି’ କଲ୍ ସେଣ୍ଟର ଟୋଲ୍ ଫ୍ରି ନମ୍ବର ଜରିଆରେ ଚାଷୀମାନେ କୃଷି କାର୍ଯ୍ୟାଳୟକୁ ନ ଆସି ଚାଷ କାର୍ଯ୍ୟ ସମ୍ପର୍କିତ ସମସ୍ତ ସହାୟତା ପାଇପାରିବେ। ସୋମବାରରୁ ଶନିବାର ଚାଷୀମାନେ ଦିନ ୧୨ଟାରୁ ରାତି ୮ଟା ଭିତରେ ୧୮୦୦୧୦୨୫୧୬୬ ନମ୍ବରକୁ ଡାଏଲ କରିବାକୁ ବିଭାଗ ଅନୁରୋଧ କରିଛି। ଏହାସହିତ ଅନ୍ୟ ସମୟରେ ଚାଷୀମାନେ ଏହି ନମ୍ବରକୁ ଡାଏଲ୍ କରି ପଚାରିଥିବା ପ୍ରଶ୍ନ ପାଇଁ ମେସେଜ୍ ଛାଡ଼ିଲେ, ପରଦିନ ସମ୍ପୃକ୍ତ ଚାଷୀଙ୍କୁ ଉତ୍ତର ପ୍ରଦାନ କରାଯିବ। କ୍ଷେତ୍ରୀୟ ସ୍ତରରେ ଥିବା ବିଭାଗୀୟ କର୍ମଚାରୀ ଓ ଅଧିକାରୀମାନେ ଏହି କଲ୍ ସେଣ୍ଟର ବିଷୟରେ ଚାଷୀମାନଙ୍କୁ ଅବଗତ କରାଇବାକୁ ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe