କନକ ବ୍ୟୁରୋ : ସମାନ ନାଗରିକ ସଂହିତା ବା ୟୁନିଫର୍ମ ସିଭିଲ କୋଡକୁ ନେଇ ଆମ୍ ଆଦମୀ ପାର୍ଟି ତରଫରୁ ବଡ ବୟାନ ଆସିଛି । ଦଳ ତରଫରୁ କୁହାଯାଇଛି କି, ବୈଚାରିକ ରୂପେ ଆମେ ୟୁସିସିକୁ ସମର୍ଥନ କରୁଛୁ ହେଲେ ସବୁ ଧର୍ମ ଓ ସଂପ୍ରଦାୟର ଲୋକଙ୍କ ସହ ଆଲୋଚନା କରି ସରକାର ସମସ୍ତଙ୍କର ସହମତି ଆଣିବା ଦରକାର ।

Advertisment

ଆମ୍ ଆଦମୀ ପାର୍ଟିର ନେତା ସନ୍ଦୀପ ପାଠକ କହିଛନ୍ତି କି, ବୈଚାରିକ ଭାବେ ଦଳ ଏହାକୁ ସମର୍ଥନ କରୁଛି । ସମ୍ବିଧାନର ଅନୁଚ୍ଛେଦ ୪୪ ବି ଏହାକୁ ସମର୍ଥନ କରୁଛି । ଅନୁଚ୍ଛେଦ ୪୪ ମୁତାବକ ଦେଶରେ ସମାନ ନାଗରିକ ସଂହିତା ଲାଗୁ ହେବା ଦରକାର । ମାତ୍ର ଏ ପ୍ରସଙ୍ଗ ସବୁ ଧର୍ମ ଓ ସଂପ୍ରଦାୟର ଲୋକଙ୍କ ସହ ଜଡିତ ଥିବାରୁ ଏନେଇ ସମସ୍ତଙ୍କର ସହମତି ଆବଶ୍ୟକ ।

ସେପଟେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବୟାନ ପରେ ସମାନ ନାଗରିକ ସଂହିତାକୁ ନେଇ ସାରା ଦେଶରେ ବିତର୍କ ଆରମ୍ଭ ହୋଇଯାଇଛି । ଜୁନ ୨୭ ତାରିଖରେ ଭୋପାଳର ଏକ ସଭାରେ ପ୍ରଧାନମନ୍ତ୍ରୀ ଏନେଇ ବିରୋଧୀଙ୍କୁ ଟାର୍ଗେଟ କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ କି କିଛି ଲୋକ ଦେଶବାସୀଙ୍କ ମଧ୍ୟରେ ଉତ୍ତେଜନା ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି । ଗୋଟିଏ ପରିବାରର ଜଣେ ସଦସ୍ୟଙ୍କ ପାଇଁ ଗୋଟିଏ ଓ ଅନ୍ୟଜଣଙ୍କ ପାଇଁ ଆଉ ଗୋଟିଏ ଆଇନ ଲାଗୁ କରିବା ଦ୍ୱାରା ଦେଶର ବ୍ୟବସ୍ଥା କିଭଳି ଚାଲିବ ବୋଲି ସେ ପ୍ରଶ୍ନ କରିଥିଲେ ।

ଗୋଟିଏ ପଟେ ଆପ୍ ଓ ଅନ୍ୟପଟେ ନୀତିଶ କୁମାର ପରୋକ୍ଷରେ ଏହି ବିଲକୁ ସମର୍ଥନ ଜଣାଇଥିବା ବେଳେ କଂଗ୍ରେସ କିନ୍ତୁ ଏହି ବିଲକୁ ପ୍ରଥମରୁ ବିରୋଧ କରୁଛି । କଂଗ୍ରେସ କହିଛି କେନ୍ଦ୍ର ସରକାର ଦେଶରେ ଦରବୃଦ୍ଧି ଓ ବେରୋଜଗାରୀ ଭଳି ମୁଖ୍ୟ ପ୍ରସଙ୍ଗରୁ ଲୋକଙ୍କ ଧ୍ୟାନ ହଟାଇବାକୁ ଏଭଳି ଏକ ବିଭାଜନକାରୀ ଏଜେଣ୍ଡା ଆଣିଛି ।