ଏକାଧିକ ବିଧାୟକଙ୍କ ସହ କେଜ୍ରିୱାଲଙ୍କ ଯୋଗାଯୋଗ ବିଚ୍ଛିନ୍ନ ସୂଚନା। ଆଜି ବୈଠକ ଉପରେ ସମସ୍ତଙ୍କ ନଜର

Advertisment
ଏକାଧିକ ବିଧାୟକଙ୍କ ସହ କେଜ୍ରିୱାଲଙ୍କ ଯୋଗାଯୋଗ ବିଚ୍ଛିନ୍ନ ସୂଚନା। ଆଜି ବୈଠକ ଉପରେ ସମସ୍ତଙ୍କ ନଜର

କନକ ବ୍ୟୁରୋ: ବିଜେପି ଓ ଆପର ବାକ୍ ଯୁଦ୍ଧ ମଧ୍ୟରେ ଏକ ନୂଆ ମୋଡ ଦେଖାଯାଇଛି । ଆପର ଏକାଧିକ ବିଧାୟକଙ୍କ ସହ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଯୋଗାଯୋଗ ହୋଇପାରୁନଥିବା ଜଣାପଡିଛି । ଦିନକ ପୂର୍ବରୁ ଆପ୍ ବିଧାୟକଙ୍କୁ ବିଜେପି ଉଚ୍ଚ ଟଙ୍କାର ଲୋଭ ଦେଖାଇ କିଣିନେବାକୁ ଚାହୁଁଥିବା ଦଳ ପକ୍ଷରୁ ଅଭିଯୋଗ କରିବା ପରେ ଏବେ ଏହି ସ୍ଥିତି କେଜ୍ରୱାଲଙ୍କୁ ଚିନ୍ତାରେ ପକାଇଛି

ଦଳ ଭିତରେ ଫାଟ ସୃଷ୍ଟି କରିବାକୁ ବିଜେପି ଚାହୁଁଥିବା ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଆପର ରାଜ୍ୟସଭା ସାଂସଦ ସଞ୍ଜୟ ସିଂ । ସେ କହିଥିଲେ ଯେ, ‘ମୋଦୀ ସରକାର ଦିଲ୍ଲୀରୁ ଆପ୍ ସରକାରଙ୍କୁ ହଟାଇବାକୁ ଚେଷ୍ଟା କରୁଛନ୍ତି । ଏଥିପାଇଁ ସେ ବିଧାୟକଙ୍କୁୁ ଟାର୍ଗେଟ କରୁଛନ୍ତି । ବିଜେପିର ନେତା ଆପର ବିଧାୟକଙ୍କୁ ଭେଟି ୨୦ କୋଟି ଟଙ୍କାର ଲୋଭ ଦେଖାଇବା ସହ ଇଡି, ସିବିଆଇର ଧମକ ମଧ୍ୟ ଦେଉଛନ୍ତି । ବିଜେପିର କଥା ନମାନିଲେ ସିସୋଦିୟାଙ୍କ ପରି ମିଛ କେସରେ ପକାଇବାକୁ ଧମକ ମଧ୍ୟ ଦେଉଛନ୍ତି’ ବୋଲି ସଂଜୟ ସିଂ କହିଥିଲେ । ଏହା ପରେ କିଛି ବିଧାୟକଙ୍କ ସହ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ସମ୍ପର୍କ ସ୍ଥାପନ ନହୋଇପାରିବାରୁ ବୁଧବାର ରାତିରେ ଆପର ପଲିଟିକାଲ ଅଫେୟାର୍ସ କମିଟିର ବୈଠକ ହୋଇଥିଲା । ଦଳର ସମସ୍ତ ବିଧାୟକଙ୍କୁ ଡକାଇ ବୈଠକ କରିବାକୁ ନିଷ୍ପତ୍ତି ହୋଇଥିଲା ।

ଆଜି ଏହି ବୈଠକ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଏଥିପାଇଁ ସମସ୍ତ ବିଧାୟକଙ୍କୁ ହ୍ୱିପ୍ ଜାରି କରାଯାଇଛି । ଆପର ୬୨ ବିଧାୟକ,ହେଲେ ଆଜିର ଏହି ବୈଠକକୁ କେତେଜଣ ବିଧାୟକ ଆସୁଛନ୍ତି ତାକୁ ହିଁ ସମସ୍ତଙ୍କ ଅପେକ୍ଷା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe