Advertisment

କନକ ବ୍ୟୁରୋ: କେନ୍ଦ୍ର ସରକାରଙ୍କ ଦ୍ୱାରା ଅଣାଯାଇଥିବା ଅଧ୍ୟାଦେଶ ବିରୋଧରେ ରାମଲିଲା ମୈଦାନରେ ମହାରାଲି କରୁଛି ଆମ ଆଦମୀ ପାର୍ଟି । ସମ୍ବିଧାନ ଓ ଗଣତନ୍ତ୍ରକୁ ବଞ୍ଚାଇବକୁ ଏହି ମହାରାଲିରେ ସାମିଲ ହେବାକୁ ଜନସାଧାରଣଙ୍କୁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ।

ଆପ୍ ମଞ୍ଚରେ ଯୋଗ ଦେଇ ବରିଷ୍ଠ କଂଗ୍ରେସ ନେତା କପିଲ ଶିବଲ ମୋଦୀ ସରକାରଙ୍କ ଉପରେ ବର୍ଷିଛନ୍ତି । ସେ କହିଛନ୍ତି ଯେ, ‘୨୦୧୪ ପୂର୍ବରୁ ଉପା ସରକାରଙ୍କ ସମୟରେ ଅରବିନ୍ଦ କେଜ୍ରିୱାଲ ତାଙ୍କ ସରକାରଙ୍କର ବିରୋଧ କରୁଥିଲେ । ସେତେବେଳେ କଂଗ୍ରେସ ନେତା ଭାବୁଥିଲେ ଯେ, ମିଡିଆ କେଜ୍ରିୱାଲଙ୍କ ସହ ଅଛି । ହେଲେ ଏବେ ସମୟ ବଦଳିଛି, ସରକାର ବଦଳିଛି, ପ୍ରଧାନମନ୍ତ୍ରୀ ମଧ୍ୟ ବଦଳିଛନ୍ତି । ଏବେ ମିଡିଆ ତାଙ୍କ ପଟ ହୋଇଛି । ସେତେବେଳେ ବିରୋଧୀ ହିସାବରେ ବିଜେପି ମୁଖିଆ କହୁଥିଲେ , ଯେଭଳି କଂଗେସକୁ ୬୦ବର୍ଷ ଦେଲ ତାଙ୍କୁ ୬୦ ମାସ ଦେବାକୁ । ହେଲେ ୧୨୦ ମାସରେ ସେମାନେ ପୁରା ଭାରତର ନକ୍ସା ହିଁ ବଦଳାଇଦେଲେ । ସିବିଆଇ, ଇଡି ପରି ଗୁରୁତ୍ୱପୂର୍ଣ୍ଣ ସଂସ୍ଥାକୁ ବର୍ବାଦ କରିସାରିଲେଣି’ ।

କପିଲ ଶିବଲ ଆହୁରି ମଧ୍ୟ କହିଛନ୍ତି ଯେ, ମୋଦୀ ସବୁବେଳେ କହୁଛନ୍ତି ତାଙ୍କର ଡବଲ ଇଞ୍ଜିନ ସରକାର ହେବ ।ହେଲେ ପ୍ରକୃତରେ ମୋଦୀଙ୍କର ଡବଲ ଇଞ୍ଜିନ ନୁହେଁ ବରଂ ଡବଲ ବ୍ୟାରେଲ ବାଲା ସରକାର ।