କନକ ବ୍ୟୁରୋ: ବାଜିଲା ଦିଲ୍ଲୀ ବିଧାନସଭା ବିଗୁଲ । ଆସନ୍ତା ଫେବ୍ରୁଆରୀ ୮ ତାରିଖରେ ହେବାକୁଥିବା ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଅଣ୍ଟା ଭିଡ଼ିଲା ଆପ୍ । ଦିଲ୍ଲୀ ଦଖଲ ପାଇଁ ଆମ ଆଦମୀ ପାର୍ଟୀ (ଆପ୍) ଘୋଷଣା କଲା ପ୍ରାର୍ଥୀ ତାଲିକା । ପୁଣି ସରକାର ଗଢ଼ିବା ଆଶା ନେଇ ୭୦ ଜଣ ବିଧାୟକ ପ୍ରାର୍ଥୀଙ୍କୁ ଟିକେଟ୍ ଦେଇଛି ଦଳ । ସେଥି ମଧ୍ୟରୁ ୯ଟି ବିଧାନସଭା କ୍ଷେତ୍ରରୁ ଦଳ ଏଥର ନୂଆ ମୁହଁକୁ ସୁଯୋଗ ଦେଇଛି । ଏହାଛଡ଼ା ୪୬ ଜଣ ବର୍ତ୍ତମାନ ବିଧାୟକଙ୍କୁ ଟିକେଟ୍ ଦେଇଥିବାବେଳେ ସେଥିରେ ୮ଟି ମହିଳା ପ୍ରାର୍ଥୀଙ୍କୁ ସୁଯୋଗ ଦେଇଛି ଆପ୍ ଦଳ ।

Advertisment

ଗତ ନିର୍ବାଚନରେ ଯେଉଁ ଆସନରୁ ଐତିହାସିକ ବିଜୟ ହାସଲ କରି ଦିଲ୍ଲୀ ଦଖଲ କରିଥିଲା ଆପ୍ , ସେହି ଆସନକୁ ପୁଣି ରିପିଟ୍ କରିଛନ୍ତି କେଜ୍ରିୱାଲ । ନୂଆଦିଲ୍ଲୀରୁ ପୁଣିଥରେ ପ୍ରାର୍ଥୀ ହେବା ପାଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନାଁ ଦଳ ଘୋଷଣା କରିଛି । ସେପଟେ ପଟ୍ଟପଡ଼ଗଞ୍ଜ ଆସନରୁ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଡ଼ିଆ, ତିମାରପୁର ଆସନରୁ ଦିଲୀପ ପାଣ୍ଡେ ଏବଂ କାଲକାଜୀ ବିଧାନସଭା କ୍ଷେତ୍ରରୁ ଆତିଶୀଙ୍କୁ ଦଳ ପ୍ରାର୍ଥୀ କରିବାକୁ ଘୋଷଣା କରିଛି ।

ଅନ୍ୟପଟେ, ନରେଲାରୁ ସଶରଦ ଚୌହାନ, ବୁରାଡୀରୁ ସଞ୍ଜୀବ ଝା, ଆଦର୍ଶନ ନଗରରୁ ପୱନ ଶର୍ମା,ବାଦଲୀରୁ ଅଜେଶ ଯାଦବ, ରିଠାଲାରୁ ମହିନ୍ଦର ଗୋୟଲ, ବବାନାରୁ ଜୟ ଭଗବାନ ଉପକାର, ମୁଣ୍ଡକାରୁ ଧର୍ମପାଳ ଲାକଣ୍ଡା, କିରାଣ୍ଡୀରୁ ଶତ୍ରୁରାଜ ଝା, ସୁଲତାନପୁର ମାଜରାରୁ ମୁକେଶ କୁମାର ଅହଲାବତଙ୍କ ଭଳି ପ୍ରାର୍ଥୀଙ୍କୁ ଦଳ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଟିକେଟ୍ ଦେଇଛି ।