ଆଧାର ନଥିଲେ ସରକାରୀ ଯୋଜନାରୁ ବାଦ୍ । ସ୍ୱଚ୍ଛତା ଆଣିବାକୁ ଏଣିକି ସମସ୍ତ ଯୋଜନାରେ ବାଧ୍ୟତାମୂଳକ ହେବ ଆଧାର ସଂଯୋଗ ।

662

କନକ ବ୍ୟୁରୋ : ଆପଣ ବିଭିନ୍ନ ସରକାରୀ ଯୋଜନାରେ ହିତାଧିକାରୀ ଅଛନ୍ତି କି ? ଯଦି ହଁ ତେବେ ତୁରନ୍ତୁ ଯୋଜନା ସହ ଆପଣଙ୍କ ଆଧାର କାର୍ଡ ଲିଙ୍କ୍ କରି ନିଅନ୍ତୁ । କାରଣ, ଏଣିକି ସରକାରୀ ଯୋଜନାରେ ଲାଭ ପାଇବାକୁ ହେଲେ ଆଧାର କାର୍ଡ ସଂଯୋଗ ବାଧ୍ୟତାମୂଳକ ହେବାକୁ ଯାଉଛି ।

ସ୍ୱଚ୍ଛତା ପାଇଁ ଆଧାର । ସରକାରୀ ଯୋଜନା ପାଇଁ ଆଧାର ବାଧ୍ୟତାମୂଳକ ! ଏଣିକି ସବୁ ସରକାରୀ ଯୋଜନାରେ, ହିତାଧିକାରୀଙ୍କ ଆଧାର କାର୍ଡ ଲିଙ୍କ୍ ହେବ ବାଧ୍ୟତାମୂଳକ । ଆଧାର ନାହିଁ ତ’ ଯୋଜନାରୁ ବାଦ ପଡିବେ ହିତାଧିକାରୀ । ସମସ୍ତ କେନ୍ଦ୍ରୀୟ ଯୋଜନାଗୁଡିକର ଆଧାର ସଂଯୋଗୀକରଣ କରିବା ପାଇଁ ରାଜ୍ୟ ସରକାରଙ୍କ ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ପିକେ ବିଶ୍ୱାଳ ଏନେଇ ବିଭିନ୍ନ ବିଭାଗକୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି । ଆଧାର ସଂଯୋଗୀକରଣ ବେଳେ ସଂଶୋଧିତ ଆଧାର ଆଇନକୁ ଅନୁସରଣ କରିବା ପାଇଁ ଏଥିରେ ନିର୍ଦ୍ଦେଶ ରହିଛି । ବିଭିନ୍ନ ଯୋଜନାରେ ସ୍ୱଚ୍ଛତା ଆଣିବା ଏବଂ ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ କରିବା ହେଉଛି ଏହାର ମୂଳ ଲକ୍ଷ୍ୟ । କେବଳ ସେତିକି ନୁହେଁ ଏହା ଦ୍ୱାରା ଯୋଜନାର କିଏ ପ୍ରକୃତ ହିତାଧିକାରୀ ଆଉ କିଏ ଭୂତ ହିତାଧିକାରୀ ତାହା ସାମ୍ନାକୁ ଆସିବ ।

ଅନେକ ସମୟରେ ଆଧାର ଲିଙ୍କକୁ ନେଇ ସଂସଦରେ ସରଗରମ ଆଲୋଚନା ହୋଇଛି । ଏନେଇ ସୁପ୍ରିମକୋର୍ଟରେ ବି ମାମଲା ଚାଲିଛି । କିନ୍ତୁ କିଛି ଯୋଜନାରେ ଡିବିଟି ବ୍ୟବସ୍ଥାରେ ହିତାଧିକାରୀଙ୍କୁ ସହାୟତା ଦିଆଯାଉଥିବାରୁ ଆଧାର ଲିଙ୍କ କରାଯାଇଛି । ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଜରିଆରେ ରାସନକାର୍ଡକୁ ଆଧାର ସହ ଲିଙ୍କ କରିବା ସମୟରେ ଅନେକ ଅଯୋଗ୍ୟ ହିତାଧିକାରୀ ବାଦ ମଧ୍ୟ ପଡିଥିଲେ । ଯାହା ରାଜ୍ୟ ସରକାରଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଥିଲା । ବିଭିନ୍ନ ଯୋଜନାକୁ ଆଧାର ସଂଯୋଗୀକରଣ ପାଇଁ କେନ୍ଦ୍ର ସରକାର ବାରମ୍ବାର ରାଜ୍ୟ ସରକାରଙ୍କୁ ଅବଗତ କରିଛନ୍ତି, କିନ୍ତୁ ଜାଣିଶୁଣି ରାଜ୍ୟ ସରକାର ଏହାକୁ ଲାଗୁ କରୁନାହାନ୍ତି ବୋଲି ବିଜେପି ଅଭିଯୋଗ କରିଛି ।

ମୋଦି ସରକାର ଡିଜିଟାଲ ଇଣ୍ଡିଆର ସ୍ୱପ୍ନ ଦେଖାଉଛନ୍ତି କିନ୍ତୁ ଆବଶ୍ୟକ ଭୂତିଭୂମି ନଥିବାରୁ ଅନେକ ଯୋଗ୍ୟ ହିତାଧିକାରୀ ଆଧାର ସଂଯୋଗ ଯୋଗୁଁ ଯୋଜନାରୁ ବାଦ୍ ପଡୁଛନ୍ତି । ତେଣୁ ଏହି ଭିତିଭୂମି ସଜାଡିବା ସରକାରଙ୍କ ପାଇଁ ଏକ ବଡ ଆହ୍ୱନ ପାଲଟିଛି ।