ଟେଲିକମ କମ୍ପାନୀମାନଙ୍କ ପକ୍ଷରୁ ମିଳିଲା ସୂଚନା । ଆଧାର ପାଇଁ ବନ୍ଦ ହେବ ନାହିଁ ମୋବାଇଲ ଫୋନ

52

କନକ ବ୍ୟୁରୋ : ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି ଯେ ଆଧାର ନଂ ପାଇଁ ମୋବାଇଲ ଫୋନ ବନ୍ଦ ହୋଇଯାଇପାରେ ବୋଲି । ତେବେ ସମସ୍ତ ଘଟଣାକୁ ଦୃଷ୍ଟିରେ ରଖି ଟେଲିକମ କମ୍ପାନୀ ସ୍ପଷ୍ଟ କରିଛନ୍ତି ଯେ, ଆଧାର ପାଇଁ ମୋବାଇଲ ଫୋନ ବନ୍ଦ ହେବ ନାହିଁ । ଏପରି କଥା ଶୁଣିବାପରେ ସାଧାରଣ ଲୋକଙ୍କ ମନରେ ଥିବା ଭୟ ସାମାନ୍ୟ ହ୍ରାସ ପାଇଥିବା ଜଣାପଡିଛି । କିଛି ଗଣମାଧ୍ୟମ ଖବର ଦେଇଥିଲେ ଯେ, ଦେଶର ୫୦ କୋଟି ଲୋକଙ୍କ ଆଧାର କାର୍ଡ ପାଇଁ ମୋବାଇଲ ଫୋନ ବନ୍ଦ ହୋଇଯିବ । ତେଣୁ ଲୋକମାନଙ୍କ ମନରେ ଏକ ଭୟ ସଂଚାର ହୋଇଥିଲା । କିଛିଦିନ ତଳେ ସର୍ବୋଚ୍ଚ ନ୍ୟାୟାଳୟ କହିଥିଲେ ଯେ ଆଧାର ନମ୍ବର ମୋବାଇଲ ପାଇଁ ଜରୁରୀ ନୁହେଁ । ତେଣୁ ପରେ ପୁଣି ଥରେ ଏପରି ଚର୍ଚ୍ଚା ହୋଇଥିଲା ଯେଉଁଥିରେ କି ଅନେକ ଲୋକ ନିଜର ମୋବାଇଲ ବନ୍ଦ ହୋଇଯିବା ନେଇ ଚିନ୍ତାରେ ଥିଲେ । କାରଣ ବର୍ତମାନ ସମୟରେ ୫୦ କୋଟିରୁ ଅଧିକ ମୋବାଇଲ ନମ୍ବର ଆଧାର କାର୍ଡରେ ହିଁ ଚାଲିଛି ।

 

ତେଣୁ ସାରା ଦେଶରେ ଖବର ପ୍ରଚାରିତ ହୋଇଥିଲା ଯେ, ଆଧାର କାର୍ଡ ଛଡା ଯଦି ଅନ୍ୟ କିଛି ଡକ୍ୟୁମେଣ୍ଟ ନଥାଏ ତେବେ ତାଙ୍କର ଟେଲିକମ କମ୍ପାନୀ ନଂ କାଟିଦେବ । ଏହାପରେ ଏପରି କଥା ସରକାରଙ୍କ ପାଖରେ ପହଚିଂଥିଲା ଓ ଏହାକୁ ସରକାର ଗମ୍ଭୀରତାର ସହ ନେବା ସହ ସତାସତ୍ୟ ଜାଣିବା ପାଇଁ ଟେଲିକମ କମ୍ପାନୀ ମାନଙ୍କୁ କହିଥିଲେ । ଏହାସହ ଲୋକମାନଙ୍କୁ ଡରିବାର ଆବଶ୍ୟକତା ନାହିଁ ବୋଲି ବିଭିନ୍ନ ଟେଲିକମ କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି । ମିଳିଥିବା ସୂଚନା ଅନୁସାରେ ରିଲାଏନ୍ସ ଜିଓର ସବୁଠାରୁ ଅଧିକ ଗ୍ରାହକ ରହିଛନ୍ତି ଓ ସମସ୍ତଙ୍କ ମୋବାଇଲ ନମ୍ବର ଆଧାର କାର୍ଡ ଦ୍ୱାରା ହିଁ ସଂଯୋଗ ରହିଛି ।