ପେନସନଭୋଗୀଙ୍କ ପାଇଁ ବଡ଼ ଖବର ! ପେନସନ ପାଇବା ପାଇଁ ଆଧାରକାର୍ଡ଼ ଜରୁରୀ ନୁହେଁ

24

ପେନସନ ପାଇଁ ଆଧାରର ଆବଶ୍ୟକତା ନାହିଁ । କେନ୍ଦ୍ର ସରକାରଙ୍କ କର୍ମଚାରୀଙ୍କୁ ପେନସନ୍ ପାଇବା ପାଇଁ ଆଧାର କାର୍ଡ ବାଧ୍ୟତାମୂଳକ ନୁହେଁ। କେନ୍ଦ୍ର କାର୍ମିକ ବିଭାଗ ମନ୍ତ୍ରୀ ଜିତେନ୍ଦ୍ର ସିଂହ ଏହି ସୂଚନା ଦେଇଛନ୍ତି। ସ୍ୱେଚ୍ଛାକୃତ ଏଜେନ୍ସିମାନଙ୍କର ସ୍ଥାୟୀ କମିଟିର ୩୦ତମ ବୈଠକରେ ଯୋଗଦେଇ ମନ୍ତ୍ରୀ ଏହା କହିଛନ୍ତି। ବ୍ୟାଙ୍କକୁ ନଯାଇ ଜୀବନ ପ୍ରମାଣପତ୍ର ଦାଖଲ ପାଇଁ ପ୍ରଯୁକ୍ତି ବ୍ୟବହାର ନିମନ୍ତେ ଆଧାର ଏକ ଅତିରିକ୍ତ ସୁବିଧା ବୋଲି ସେ କହିଛନ୍ତି। ବ୍ୟାଙ୍କ ଆକାଉଣ୍ଟ ସହିତ ଆଧାର ସଂଯୋଗ ହୋଇ ନଥିବାରୁ କେତେକ ଅବସରପ୍ରାପ୍ତ କର୍ମଚାରୀ ପେନସନ୍ ପାଇବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ରିପୋର୍ଟମାନ ଆସୁଥିବାବେଳେ କେନ୍ଦ୍ରମନ୍ତ୍ରୀଙ୍କ ଏହି ସୂଚନା ଯଥେଷ୍ଟ ଗୁରୁତ୍ୱ ରଖିଛି।

କେନ୍ଦ୍ର ସରକାରଙ୍କ କର୍ମଚାରୀଙ୍କ ପାଇଁ ପେନସନ୍ ପାଇବା ଲାଗି ଆଧାରକୁ ବାଧ୍ୟତାମୂଳକ କରାଯାଇ ନାହିଁ ବୋଲି ମନ୍ତ୍ରୀ କହିଥିବା ବିଷୟ ଏହି ବୈଠକର ବିବରଣୀରୁ ଜଣାଯାଇଛି।

କେନ୍ଦ୍ର ସରକାରଙ୍କ କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ନିଆଯାଇଥିବା ବିଭିନ୍ନ କଲ୍ୟାଣମୂଳକ କାର୍ୟ୍ୟକ୍ରମ ସମ୍ପର୍କରେ ମନ୍ତ୍ରୀ ସୂଚନା ଦେଇଛନ୍ତି। ସେ କହିଛନ୍ତି, କର୍ମଚାରୀମାନଙ୍କ ସର୍ବନିମ୍ନ ପେନସନ୍ ୯ ହଜାର ଟଙ୍କାକୁ, ଗ୍ରାଚୁଇଟି ୨୦ ଲକ୍ଷ ଟଙ୍କାକୁ, ଚିକିତ୍ସା ଭତ୍ତା ମାସିକ ହଜାରେ ଟଙ୍କାକୁ ବୃଦ୍ଧି କରାଯାଇଛି। କେନ୍ଦ୍ର ସରକାରଙ୍କ ଅଧୀନରେ ଏବେ ୪୮ ଲକ୍ଷ ୪୧ ହଜାର କର୍ମଚାରୀ କାର୍ୟ୍ୟ କରୁଥିବାବେଳେ ୬୧ ଲକ୍ଷ ୧୭ ହଜାର ପେନସନଭୋଗୀ ରହିଛନ୍ତି।