ବାପାପୁଅଙ୍କୁ ଏକାଠି କଲା ଆଧାରକାର୍ଡ। ନାବାଳକର ପରିଚିୟ ଦେଲା ଟିପ ଚିହ୍ନ, ପୁଅକୁ ପାଇ ଭାବବିହ୍ୱଳ ହେଲେ ବାପା

286

କନକ ବ୍ୟୁରୋ: ୬ ବର୍ଷ ପରେ ହଜିଲା ପୁଅକୁ ଫେରିଲେ ବାପା-ମାଆ । ଆଧାରକାର୍ଡ଼ ପାଇଁ ଦିବ୍ୟାଙ୍ଗ ପୁଅ ପାଖରେ ପହଞ୍ଚ ପାରିଛନ୍ତି ପରିବାରର ଲୋକ । ନିଖୋଜ ପୁଅକୁ ପାଖରେ ପାଇବା ଭାବ ବିହ୍ୱଳ ହୋଇଛନ୍ତି, ପୁଅର ମୁଣ୍ଡକୁ ଆଉଁସୀ ପକାଉଛନ୍ତି । କେନ୍ଦୁଝର ତେଲକୋଇ ସ୍ଥିତ ଭିନ୍ନକ୍ଷମ ଥଇଥାନ କେନ୍ଦ୍ରରେ ଦେଖିବାକୁ ମିଳିଥିଲା ଏକ ନିଆରା ଦୃଶ୍ୟ । ୨୦୧୭ ମସିହାରୁ ହଜି ଯାଇଥିବା ପୁଅର ଠିକଣା ପାଇବା ପରେ ବିହାର ଦରଭଙ୍ଗା ଜିଲ୍ଲାରୁ କେନ୍ଦୁଝରକୁ ଧାଇଁଆସିଛନ୍ତି ବାପା ରାମ କିଶୋର ଯାଦବ । ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

୨୦୧୭ରେ କେନ୍ଦୁଝର ବଜାରରୁ ଦିବ୍ୟାଙ୍ଗ ନାବାଳକଙ୍କୁ ଉଦ୍ଧାର କରିଥିଲେ କେନ୍ଦୁଝର ଶିଶୁ ମଙ୍ଗଳ ସମିତିର କର୍ମକର୍ତ୍ତା । ନାବାଳକ ଜଣଙ୍କ ଶୁଣି ପାରୁନଥିବା ବେଳେ କଥା ବି କହିପାରନ୍ତି ନାହିଁ । ତେଣୁ ତାଙ୍କର କୌଣସି ଠିକଣା ନପାଇ ନାବାଳକଙ୍କୁ ତେଲକୋଇ ସ୍ଥିତ ଭିନ୍ନକ୍ଷମ ଥଇଥାନ କେନ୍ଦ୍ରରେ ରଖାଯାଇଥିଲା । ପିଲାଟିର ପରିଚୟ ଜାଣିବା ପାଇଁ ଖବର କାଗଜ ଓ ଗଣମାଧ୍ୟମରେ ପ୍ରଚର ପ୍ରସାର କରାଯାଇଥିଲା । ହେଲେ ଠିକଣା ମିଳିପାରିନଥିଲା । କିନ୍ତୁ ୬ ବର୍ଷ ପରେ ଆଧାରକାର୍ଡ଼ ପାଇଁ ଟିପ ଚିହ୍ନ ନେବାରୁ ଦିବ୍ୟାଙ୍ଗ ନାବାଳକଙ୍କ ପରିଚୟ ଜଣାପଡିଛି । ଆଗରୁ ତାଙ୍କର ଆଧାର କାର୍ଡ଼ ଥିବା ବେଳେ ସେ ବିହାର ଦରଭଙ୍ଗା ଜିଲ୍ଲାର ବୋଲି ଜଣାପଡିଛି । ପରେ କେନ୍ଦୁଝର ପ୍ରଶାସନ ପକ୍ଷରୁ ପରିବାର ଲୋକଙ୍କୁ ଜଣାଯାଇଥିଲା । ଆଉ ହଜିଲା ପୁଅର ଖବର ପାଇ ବିହାରରୁ କେନ୍ଦୁଝରକୁ ଆସିଛନ୍ତି ବାପା ରାମ କିଶୋର ଯାଦବ ।

୨୦୧୭ରେ ହଜିଥିବା ପୁଅକୁ ପାଇବାର ଆଶା ଛାଡି ଦେଇଥିଲେ ବାପାମାଆ । ପୁଅ ପୁଣି ସେମାନଙ୍କ କୋଳକୁ ଫେରିବ, ତାହା କେବେ ଭାବି ନଥିଲେ । ହେଲେ ୨୦୨୩ରେ ଆଧାରକାର୍ଡ ଯୋଗୁଁ ଘରକୁ ଫେରିଛି ନାବାଳକ ପୁଅ ।