ବିନା ଆଧାରକାର୍ଡରେ କେମିତି ନେବେ କୋଭିଡ ଟିକା । ୟୁଆଇଡିଏଆଇ ଆଣିଲା ସମାଧାନର ବାଟ

210

କନକ ବ୍ୟୁରୋ : ଭାରତୀୟ ବିଶିଷ୍ଟ ପ୍ରାମାଣିକ ପ୍ରାଧିକରଣ ବା ( ୟୁଆଇଡିଏଆଇ) ଆଧାରକାର୍ଡକୁ ନେଇ ଏକ ବଡ ବୟାନ ଜାରି କରିଛି । ।ୟୁଆଇଡିଏଆଇ କହିଛି କି କୋଭିଡ ଟିକା ନେବା ପାଇଁ ଆଧାରକାର୍ଡ ଜରୁରୀ ନୁହେଁ । ଏହାସହ ୟୁଆଇଡିଏଆଇ କହିଛି କି ଆଧାରକାର୍ଡ ନଥିବା ଲୋକଙ୍କୁ କୌଣସି ଜରୁରୀ ସେବାରୁ ବଂଚିତ କରାଯାଇପାରିବ ନାହିଁ । ଏହାସହ ସେ ଆହୁରି କହିଛି କି, କୌଣସି ଲୋକପାଖରେ ଯଦି ଆଧାରକାର୍ଡ ନାହିଁ ତେବେ କୌଣସି ହସ୍ପିଟାଲ ତାଙ୍କୁ ଔଷଧ ବା ଚିକିତ୍ସାରୁ ବଂଚିତ କରିପାରିବ ନାହିଁ ।

ୟୁଆଇଡିଏଆଇର ସୂଚନା ମୁତାବକ ‘କୌଣସି ବ୍ୟକ୍ତିକୁ ଆପଣ ଜରୁରୀ ସେବାରୁ ବଂଚିତ କରିପାରିବେ ନାହିଁ, ବଂଚିତ କରିବା ପାଇଁ ଆପଣ ଆଧାରକାର୍ଡକୁ ମାଧ୍ୟମ କରିପାରିବେ ନାହିଁ, ବିନା ଆଧାରରେ ଜରୁରୀ କାମ ଓ ସୁବିଧା ଯୋଗାଇ ଦେବାକୁ ସରକାରୀ ଓ ବେସରକାରୀ ଅନୁଷ୍ଠାନ ମାନେ ବାଧ୍ୟ’ ।

ଦେଶରେ ବଢିଚାଲିଥିବା କରୋନା ମହାମାରୀ ଭିତରେ ୟୁଆଇଡିଏଆଇର ଏଭଳି ବୟାନ ଏକ ମହତ୍ୱପୂର୍ଣ୍ଣ ବୟାନ ଅଟେ    । ଯଦି କୌଣସି ଲୋକ ପାଖରେ ଆଧାରକାର୍ଡ ନାହିଁ, ଯେଉଁଥିପାଇଁ ସେ ଜରୁରୀ ସେବାରୁ ବଂଚିତ ହେଉଛି ତେବେ ସେ ଆଧାର ଅଧିନିୟମ ୨୦୧୬ ରେ ନିର୍ଦ୍ଧାରିତ ବିଶିଷ୍ଟ ମାନଦଣ୍ଡ ମୁତାବକ ସେବା ପାଇବାକୁ ହକଦାର ବୋଲି ୟୁଆଇଡିଏଆଇ ମତ ଦେଇଛି ।