ବ୍ୟାଙ୍କ ଖାତାଧାରକଙ୍କ ପାଇଁ ବଡ ଖବର… ଘରେ ବସି ଆଧାର ନଂରେ ପାଆନ୍ତୁ ବ୍ୟାଙ୍କ ତଥ୍ୟ।

185

କନକ ବ୍ୟୁରୋ: ବର୍ତ୍ତମାନ ସମୟରେ ଆଧାରକାର୍ଡ ଆମ ପରିଚୟକୁ ସ୍ପଷ୍ଟ କରିବାର ଗୋଟିଏ ଜରୁରୀ ଦସ୍ତାବିଜ । ଆଧାରକାର୍ଡକୁ କେନ୍ଦ୍ର ସରକାରଙ୍କ ସଂସ୍ଥା ୟୁଆଇଡିଏଆଇ ଜାରି କରିଥାଏ । ଏଥିରେ ପ୍ରତ୍ୟେକ ନାଗରିକଙ୍କ ନାମ, ଜନ୍ମ ତାରିଖ, ଲିଙ୍ଗ, ଠିକଣା, ଏବଂ ବୟୋମେଟ୍ରିକ ତଥ୍ୟ ରହିଥାଏ । ଏହା ଏକ ୧୨ଟି ଅଙ୍କ ବିଶିଷ୍ଟ ସ୍ୱତନ୍ତ୍ର ନମ୍ବର । ତେବେ ଆପଣ ଜାଣିଛନ୍ତି କି ଆଧାର ନଂ ଜରିଆରେ ଆପଣ ବର୍ତ୍ତମା ଘରେ ବସି ବ୍ୟାଙ୍କର ଜମା ରାଶି ଅନୁଧ୍ୟାନ କରିପାରିବେ ।

ଏହି ନିକଟରେ ଆଧାରକୁ ନେଇ ଏହି ଖବର ସାମ୍ନାକୁ ଆସିଛି । ପୂର୍ବରୁ ଆପଣ ଆଧାରର ବ୍ୟବହାର ବ୍ୟାଙ୍କରେ ଖାତା ଖୋଲିବା, ଆୟକର ପୈଠ କରିବା, ପାନକାର୍ଡ ତିଆରି କରିବା, ଯାତ୍ରା କରିବା, ଡ୍ରାଇଭିଂ ଲାଇସେନ୍ସ କରିବା ଭଳି ଗୁରୁତ୍ୱପୂର୍ଣ୍ଣ କାମରେ ବ୍ୟବହାର କରୁଥିଲେ । ସମସ୍ତ ବ୍ୟାଙ୍କ ମଧ୍ୟ ନିଜ ନିଜ ଗ୍ରାହକଙ୍କ ପାଇଁ କେୱାଇସି ଭରିବା ବାଧ୍ୟତାମୂଳକ କରିଛି । ତେବେ ବର୍ତ୍ତମାନ ବ୍ୟାଙ୍କର ଜମାରାଶି ମଧ୍ୟ ଆପଣ ଆଧାର ଜରିଆରେ ପାଇପାରିବେ ।

ତେବେ ଆସନ୍ତୁ ଜାଣିବା କେମିତି ଆଧାର କାର୍ଡ ଜରିଆରେ ଆପଣ ବ୍ୟାଙ୍କରେ ରଖିଥିବା ଜମାରାଶି ବିଷୟରେ ଜାଣିପାରିବେ ।

ଆଧାରକାର୍ଡ ଜରିଆରେ ବ୍ୟାଙ୍କର ଜମାରାଶି ଜାଣିବା ପାଇଁ ଆକାଉଣ୍ଟକୁ ଆଧାରକାର୍ଡ ସହ ସଂଯୋଗ କରିବା ଆବଶ୍ୟକ । ଆପଣ ୧୨ ଅଙ୍କ ବିଶିଷ୍ଟ ଆଧାର ନମ୍ବରକୁ ଲେଖିବା ପରେ ଆକାଉଣ୍ଟରେ ଜମାଥିବା ଅର୍ଥର ସମସ୍ତ ତଥ୍ୟ ପାଇପାରିବେ । ଆଧାର ଜରିଆରେ ବ୍ୟାଙ୍କର ତଥ୍ୟ ଜାଣିବା ସେହି ଲୋକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଯେଉଁମାନେ ଇଣ୍ଟରନେଟ କିମ୍ବା ସ୍ମାର୍ଟଫୋନ ବାବଦରେ ଅବଗତ ନଥାନ୍ତି । ଏହି ଭଳି ସ୍ଥିତିରେ ଏହି ସେବା ବୟସ୍କ ବ୍ୟକ୍ତିମାନଙ୍କ ପାଇଁ ବେସ ସହାୟକ ।

ବ୍ୟାଙ୍କର ଜମାରାଶିକୁ ଜାଣିବା ପାଇଁ ପ୍ରଥମେ ଆପଣଙ୍କ ରେଜିଷ୍ଟର ହୋଇଥିବା ମୋବାଇଲ ନଂରୁ *୯୯*୯୯*୧#କୁ କଲ କରିବେ । ଏହା ପରେ ଆପଣଙ୍କୁ ୧୨ ଅଙ୍କ ବିଶିଷ୍ଟ ଆଧାର ନଂକୁ ଦେବାକୁ ପଡିବ । ଏହା ପରେ ଏହି ନମ୍ବରକୁ ଆପଣଙ୍କୁ ଭେରିଫାଏ କରିବା ପାଇଁ ପୁଣି ଥରେ ଆଧାର ନଂ ଦେବାକୁ ପଡିବ । ଏହା କରିବା ପରେ ୟୁଆଇଡିଏଆଇରୁ ଆପଣଙ୍କୁ ଗୋଟିଏ ମେସଜ ମିଳିଥାଏ । ଏହା କରିବା ପରେ ଆପଣ ଅତି ସହଜରେ ବ୍ୟାଙ୍କର ଜମାରାଶି ବିଷୟରେ ସମସ୍ତ ସୂଚନା ପାଇପାରିବେ । ଏଠି କହିରଖିବାକୁ ଚାହିଁବୁ ଯେ ଆଧାରକାର୍ଡର ବ୍ୟବହାର କରି ଟଙ୍କା ପଠାଇପାରିବେ, ସରକାରଙ୍କ ପ୍ରଦତ୍ତସବସିଡିକୁ ଆବେଦନ କରିପାରିବେ ଏବଂ ପାନକାର୍ଡ ତିଆରି ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ କାମ ମଧ୍ୟ କରିପାରିବେ ।