କନକ ବ୍ୟୁରୋ: ଦିନକୁ ଦିନ ପରିବର୍ତନ ହେଉଛି ଦେହର ରଙ୍ଗ । ଆଉ ଦେହରୁ ରଙ୍ଗ ଛାଡିଲା ପରେ ପୁରା ଶରୀର ଧଳା ପଡିଯାଉଛି । ଦିନକୁ ଦିନ ଦୁର୍ବଳ ହୋଇଯାଉଛି ରୋଜଗାରିଆ ପୁଅର ସ୍ୱାସ୍ଥ୍ୟ । ମୟୁରଭଞ୍ଜ କପ୍ତିପଦା ବ୍ଲକ ଦେୱାନବାହାୀ ଗାଁର ଜିତରାଏ ସିଂ । ବୟସ ମାତ୍ର ୨୪ ବର୍ଷ । ପରିବାର କହିଲେ ସ୍ତ୍ରୀ ଓ ଛୋଟ ଝିଅ ଆଊ ବାପା । ଜିତରାଏ ପ୍ରତିଦିନ ମଜୁରୀ ଲାଗି ଯାହା ଟଙ୍କା ଆଣୁଥିଲେ, ସେଥିରେ ପରିବାର ହସଖୁସିରେ ଚାଲିଥିଲା । ଆଜକୁ ବର୍ଷଟେ ତଳେ ହଠାତ ଜ୍ୱରରେ ପିଡ଼ୀତ ହୋଇଥିଲେ ଜିତରାଏ । ହେଲେ କିଏ ଜାଣିଥିଲା ସେ ଜ୍ୱର ସବୁଦିନ ପାଇଁ ତାଙ୍କୁ ଅକାମୀ କରି ଶଯ୍ୟାଶାୟୀ କରିଦେବ । ଜ୍ୱରରେ ପୀଡିତ ହେବା ପରେ ଧିରେ ଧିରେ ତାଙ୍କ ଶରୀର ରଙ୍ଗ ବଦଳିବାକୁ ଲାଗିଲା ।

Advertisment

ପ୍ରଥମେ ପରିବାର ଲୋକେ ଜିତରାଏଙ୍କୁ ଉଦଳା ମେଡିକାଲରେ ଭର୍ତି କରିଥିଲେ । ପରେ ତାଙ୍କୁ ବାରିପଦା ଡାକ୍ତରଖାନାରେ ଭର୍ତି କରିଥିଲେ । କିନ୍ତୁ ସବୁଦିନ ମେଡିକାଲରେ ରଖି ଚିକିତ୍ସା କରିବା ନିମେନ୍ତ ପରିବାର ପାଖରେ ଅର୍ଥ ନଥିଲା । ତେଣୁ ଜିତରାଏଙ୍କୁ ସେମାନେ ଘରକୁ ନେଇ ଆସିଥିଲେ । ନା ଏବେ ସେ ଚାଲିପାରୁଛନ୍ତି ନା ଠିକ୍ ଭାବେ ବସିପାରୁଛନ୍ତି । ଶରୀର ସହ ଦିନକୁ ଦିନ ମନ ବି ଦୁର୍ବଳ ହୋଇଗଲାଣି । ରୋଜଗାରିଆ ପୁଅ ଅସହାୟ ଅବସ୍ଥାରେ ବିଛଣାରେ ପଡିଥିବା ବେଳେ ପରିବାର ନିରୁପାୟ ହୋଇପଡିଛନ୍ତି ବାପା ଓ ସ୍ତ୍ରୀ । ଚିକିତ୍ସା ପାଇଁ ସାମର୍ଥ୍ୟ ନଥିବାରୁ ସରକାରୀ ସ୍ତରରେ ସହାୟତା ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି ପଡୋଶୀ ।

ସ୍ୱାମୀର ଏଭଳି ଅବସ୍ଥାରେ ପରିବାର ଚଳାଇବା ପାଇଁ ସ୍ତ୍ରୀ ଖଲିପତ୍ର ତିଆରି କରି କିଛି ରୋଜଗାର କରି ପରିବାର ଚଳାଉଛନ୍ତି । ସରକାରଙ୍କ ତରଫରୁ ସହାୟତା ମିିଳିପାରିଲେ ହୁଏତ ପୁଣି ଥରେ ଜିତରାଏଙ୍କ ପରିବାରକୁ ଖୁସି ଫେରିପାରନ୍ତା ।