କଳା ହଳଦୀ ଚାଷ କରି ଚର୍ଚ୍ଚାରେ ନିମାପଡ଼ା ପାର୍ବତୀପୁର ଗାଁର ଯୁବଚାଷୀ । ୨କିଲୋ ମଂଜିରୁ ଅମଳ ହୋଇଛି ୨୦ରୁ ୩୦ କିଲୋ ହଳଦୀ

119

କନକ ବ୍ୟୁରୋ : ରୋଜଗାର ଦେଉଛି ହଳଦୀ ଚାଷ । ବିଶେଷକରି ହଳଦୀଆ ରଙ୍ଗର ହଳଦୀ ପ୍ରାୟ ସମସ୍ତେ ବ୍ୟବହାର କରିଥାଆନ୍ତି । କିନ୍ତୁ ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ପାର୍ବତୀପୁର ଗାଁର ଯୁବଚାଷୀ ପରେଶ ଗୁରୁ କଳା ରଙ୍ଗର ହଳଦୀ ଚାଷ କରି ଚର୍ଚ୍ଚାକୁ ଆସିଛନ୍ତି । ୟୁଟ୍ୟୁବରୁ କଳା ହଳଦୀ ଚାଷ ବିଷୟରେ ଜାଣିବା ପରେ ଗାଁରେ କରିଛନ୍ତି ହଳଦୀ ଚାଷ । ଆସାମରୁ ୫ହଜାର ଟଙ୍କାର ହଳଦୀ ମଂଜି କିଣି ସେ ଏହି ହଳଦୀ ଚାଷ କରିଥିଲେ । ୨ କିଲୋ ମଂଜି ହଳଦୀରୁ ୨୦ରୁ ୩୦ କିଲୋ କଳା ହଳଦୀ ଅମଳ ହୋଇଛି । କିନ୍ତୁ ଏହାର ବିକ୍ରି ବଟା ପାଇଁ କିଛି ସୁବିଧା ନଥିବାରୁ ସରକାରୀ ସହାୟତାକୁ ଅପେକ୍ଷା କରିଛନ୍ତି ।

ଅଳ୍ପ ଜମି ଓ କମ୍ ଖର୍ଚ୍ଚରେ ଏହି ଚାଷ ହୋଇପାରୁଥିବାରୁ ଖୁସି ପ୍ରକାଶ କରିଛନ୍ତି ଚାଷୀ । ସବୁଠାରୁ ବଡ଼ କଥା ହେଉଛି ଏହି ଚାଷରେ ରୋଗ ପୋକ ଲାଗିବାର ଭୟ ନାହିଁ । ମାତ୍ର ୫ ମାସ ଭିତରେ ଭଲ ଅମଳ ଦେଉଛି ଏହି ଚାଷ । ସ୍ଥାନୀୟ ଅଂଚଳରେ ଏହି ଚାଷ ପ୍ରଥମ ଥର ପାଇଁ ହୋଇଥିବାରୁ ଅନ୍ୟ ଚାଷୀ ମାନେ ତାଙ୍କ ଜମିକୁ ଏହି ଚାଷ ଦେଖିବାକୁ ଆସୁଛନ୍ତି ।

ବିଶେଷକରି ହଳଦୀରେ ଅନେକ ପ୍ରକାରର ଔଷଧୀୟ ଗୁଣ ଭରିରହିଥାଏ । ଏଥିପାଇଁ ଗୃହିଣୀଙ୍କ ରୋଷେଇ ଘରେ ପ୍ରଥମେ ହଳଦୀ ଉପଲବ୍ଧ ଥାଏ । କଳା ହଳଦୀର ଗୁଣବତା ପାଇଁ ଏହି ଚାଷ କରିବାକୁ ଅନେକ ଚାଷୀ ଆଗ୍ରହ ପ୍ରକାଶ କରୁଛନ୍ତି । ନୂଆ ଚାଷ ହୋଇଥିବାରୁ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛି ।