କନକ ବ୍ୟୁରୋ: ଶୁଣିଲାନି ପ୍ରଶାସନ । ଶେଷରେ ନିଜ ଖର୍ଚରେ ରାସ୍ତା ନିର୍ମାଣ କଲେ ଗାଁର ଜଣେ ଯୁବ ଚାଷୀ । ଏପରି ଏକ ଖବର ଆସିଛି ମାଲକାନଗିରି ଜିଲ୍ଲାରୁ । କେନାଲ ହୁଡା ଉପରେ ପୋଲ ନଥିବାରୁ ଲୋକେ ନିଜ ବିଲ ବାଡକୁ ଯାଇ ପାରୁନଥିଲେ । କିଛି ଗାଁର ଲୋକଙ୍କୁ ନିଜ ଗାଁକୁ ପହଁଚିବାରେ ଅସୁବିଧା ହେଉଥିଲା । ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଗୁହାରି ଜଣାଇ ନିରାସ ହେବା ପରେ ନିଜ ଖର୍ଚରେ ପୋଲ ଓ ରାସ୍ତା ନିର୍ମାଣ କରିଛନ୍ତି ଜଣେ ଯୁବଚାଷୀ ।

Advertisment

କେନାଲ ହୁଡା ଉପରେ ପୋଲ । ଗାଁ ଦାଣ୍ଡରେ ନୂଆ ରାସ୍ତା । ଏହା କୌଣସି ସରକାରୀ ପ୍ରକଳ୍ପର ଚିତ୍ର ନୁହଁ । ବରଂ ନିଜ ଖର୍ଚରେ ଏହାକୁ ତିଆରି କରିଛନ୍ତି ଜଣେ ଯୁବ ଚାଷୀ । ମାଲକାନଗିରି ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଏମ.ଭି ୪୮ ଗାଁର ଯୁବ ଚାଷୀ ହିରଣମୟ ସରକାର । ସତିଗୁଡା କେନାଲ ଆର ପଟେ ତାଙ୍କ ଚାଷ ଜମି । ମାଛ ଚାଷ ଲାଗି ପୋଖରି ମଧ୍ୟ ରହିଛି । ସତିଗୁଡା କେନାଲ ଗାର୍ଡ ୱାଲ ନିର୍ମାଣ ପରେ ଆଉ ଜମିକୁ ଯିବା କଷ୍ଟକର ହୋଇ ପଡିଥିଲା । ଜଳସେଚନ ବିଭାଗ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ, ବ୍ଲକ ଓ ପଂଚାୟତକୁ ଜଣାଇ କୌଣସି ସୁଫଳ ନପାଇ ଶେଷରେ ସାଢେ ତିନି ଲକ୍ଷ ଟଙ୍କା ବିନିମୟରେ କେନାଲ ହୁଡା ଉପରେ ପୋଲ ସହ ରାସ୍ତା ତିଆରି କରିଛନ୍ତି । ପ୍ରାୟ ଅଧା କିଲୋମିଟର ମାଟି ରାସ୍ତା ସହ ଆଗକୁ ୨ କିଲୋମିଟର ରାସ୍ତା ନିର୍ମାଣ କରିଛନ୍ତି ହିରଣମୟ ସରକାର ।

କେବଳ ହିରଣମୟଙ୍କ ଚାଷ ଜମି ନୁହଁ ବରଂ ଗାଁରେ ପ୍ରାୟ ୨୦୦ ଏକର ଚାଷ ଜମି ରହିଛି କେନାଲ ଆରପଟେ । ଏମ୍ଭି ୪୫ ସମେତ ମୁଣ୍ଡିଗୁଡା, ସାରଦାଗୁଡା ଓ ମାଛାଗୁଡା ଗାଁ ଲୋକେ ଏହି ରାସ୍ତା ଉପରେ ନିର୍ଭର କରନ୍ତି । ତେବେ ହିରଣମୟଙ୍କ ଏପରି ଉଦ୍ୟମକୁ ଗାଁ ଲୋକେ ପ୍ରଶଂସା କରୁଥିବା ବେଳେ ରାସ୍ତା ଓ ପୋଲକୁ ଉଦଘାଟନ କରିଛନ୍ତି ମାଲକାନଗିରି ବିଧାୟକ ଆଦିତ୍ୟ ମାଢି ।

ଗାଁକୁ ରାସ୍ତା ଘାଟ ନିର୍ମାଣ ଲାଗି ବ୍ଲକ ଓ ପଂଚାୟତର ସ୍ୱତନ୍ତ୍ର କ୍ଷମତା ରହିଛି । ହେଲେ ଯେଉଁଠି ପ୍ରଶାସନ କରିପାରିଲା ନାହିଁ ସେଠାରେ ଜଣେ ଯୁବ ଚାଷୀଙ୍କ ଏପରି ଉଦ୍ୟମକୁ ନେଇ ଚାରି ଆଡେ ଚର୍ଚା ଚାଲିଛି ।