ମୋବାଇଲ ଚୋରିକୁ ନେଇ ବଚସା ଓ ଗୋଷ୍ଠୀ ସଂଘର୍ଷରେ ଗଲା ଜଣକର ଜୀବନ । ଅଭିଯୁକ୍ତକୁ ଗିରଫ ଦାବିରେ ଲୋକଙ୍କ ଥାନା ଘେରାଉ ।

109

କନକ ବ୍ୟୁରୋ: ମୋବାଇଲ ଚୋରିରୁ ମହାଭାରତ । ମୋବାଇଲ ଚୋରିକୁ ନେଇ ବଚସା ଓ ପରେ ଗୋଷ୍ଠୀ ସଂଘର୍ଷରେ ଯାଇଛି ଜଣକର ଜୀବନ । ସମ୍ବଲପୁର ଓରାମପଡାରେ ଗତରାତିରେ ଘଟିଛି ଏହି ଅଘଟଣ , ଆଉ ଏହି ଘଟଣାରେ ମୃତ୍ୟୁବରଣ କରିଥିବା ଯୁବକ ଜଣକ ହେଉଛନ୍ତି ଓରାମପଡାର ଗଣେଶ ଓରାମ ।

ହତ୍ୟାକାଣ୍ଡରେ ସଂପୃକ୍ତ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଆଜି ଶତାଧିକ ପୁରୁଷ ଓ ମହିଳା ଧନୁପାଲି ଥାନାକୁ ଘେରାଉ କରିବା ସହ ରାସ୍ତା ଅବରୋଧ କରିଥିଲେ । ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ଓ ହତ୍ୟାକାରୀଙ୍କୁ ଫାଶି ଦେବା ଦାବିରେ ରାସ୍ତାରେ ଟାୟାର ଜାଳି ପ୍ରତିବାଦ କରିଥିଲେ । ପରେ ଏସପି ବାତୁଲା ଗଙ୍ଗାଧର ଆସି ବୁଝାସୁଝା କରିବା ପରେ ଲୋକେ ଶାନ୍ତ ହୋଇଥିଲେ । ପୁଲିସ ପ୍ରାଥମିକ ତଦନ୍ତରୁ ମୋବାଇଲ ଚୋରିକୁ ନେଇ ଗୋଷ୍ଠୀ ସଂଘର୍ଷ ହୋଇଥିବା ଅନୁମାନ କରୁଛି । ହତ୍ୟା ଘଟଣାରେ ସଂପୃକ୍ତ ଅଭିଯୋଗରେ ପୁଲିସ ୨ ଜଣଙ୍କ ଥାନାକୁ ଆଣି ପଚରା ଉଚରା କରୁଛି ।