ରାଉରକେଲାରେ ହେବ ବିଶ୍ୱସ୍ତରୀୟ ହକି ଷ୍ଟାଡିୟମ । ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ । ବିର୍ସାମୁଣ୍ଡାଙ୍କ ନାଁରେ ଷ୍ଟାଡିୟମକୁ ନାମିତ କଲେ ନବୀନ

83

କନକ ବ୍ୟୁରୋ: ମଞ୍ଚ ଉପରୁ ରିମୋଟରେ ବଟନ ଟିପି ରାଉରକେଲା ବିପିୟୁଟି ପରିସରରେ ହେବାକୁ ଥିବା ଦେଶର ସର୍ବବୃହତ ହକି ଷ୍ଟାଡିୟମର ଝଲକ ଦେଖାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଗାମୀ ୨୦୨୩ ହକି ବିଶ୍ୱକପରେ ରାଉରକେଲାର ଏହି ଷ୍ଟାଡିୟମ ଏକ ଭେନ୍ୟୁ ହେବ ବୋଲି କହିଛନ୍ତି ନବୀନ । ରାଉରକେଲାକୁ ଆଶାର ସହର ଏବଂ ସୁନ୍ଦରଗଡ ଜିଲ୍ଲାର ବିକାଶରେ ସହରର ଭୂମିକାକୁ ସେ ପ୍ରଶଂସା କରିଛନ୍ତି । ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ନାଁରେ ଏହାକୁ ନାମିତ କରାଯିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀଙ୍କ ଫୋକସରେ ରହିଛି ପଶ୍ଚିମ ଓଡିଶାର ବିକାଶ । ଆଉ ସେହି କ୍ରମରେ ପ୍ରଥମେ କଳାହାଣ୍ଡି ପରେ ଆଜି ରାଉରକେଲା ଗସ୍ତ ଓ ସୁନ୍ଦରଗଡ ଜିଲ୍ଲାକୁ ପ୍ରାୟ ୫ ହଜାର କୋଟିର ପ୍ୟାକେଜ ।

ସୁନ୍ଦରଗଡ଼କୁ ସରକାରଙ୍କ ପ୍ୟାକେଜ୍
-ମୋଟ୍ ୪ ହଜାର ୯୧୫ କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଇଛନ୍ତି ନବୀନ
-ଏହା ଭିତରେ ରହିଛି ଏକାଧିକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଲୋକାର୍ପଣ
-୧ ହଜାର ୬୨୨ କୋଟିର ପାନୀୟ ଜଳ ଓ ୩୨୦ କୋଟିର ଜଳସେଚନ ପ୍ରକଳ୍ପ
-୧୧୧ କୋଟିର ସ୍ୱାସ୍ଥ୍ୟସେବା, ହଜାରେ ୬୦ କୋଟିର ରାସ୍ତାଘାଟ ବିକାଶ ପ୍ରକଳ୍ପ
-ସ୍ମାର୍ଟ ସିଟି ପ୍ରକଳ୍ପ ପାଇଁ ୪୭୧ କୋଟି ଓ ଶିକ୍ଷା ପ୍ରକଳ୍ପ ପାଇଁ ୩୬୬ କୋଟି ରହିଛି

୨୦୦୦ ମସିହାରେ ରାଜ୍ୟର ଯୋଜନା ବଜେଟ୍ ମାତ୍ର ୨୮ଶହ କୋଟି ଥିବାବେଳେ ଏବେ କେବଳ ସୁନ୍ଦରଗଡ ପାଇଁ ୫ ହଜାର କୋଟିର ପ୍ରକଳ୍ପ ଆରମ୍ଭ କରାଯାଇଥିବା କହିଛନ୍ତି ନବୀନ । ରାଉରକେଲା ଷ୍ଟିଲପ୍ଲାଂଟରୁ ଆରମ୍ଭ କରି ଏନଆଇଟି ଯାଏଁ ବିଜୁ ବାବୁଙ୍କ ସ୍ମୃତି ଭରି ରହିଥିବା ନବୀନ କହିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ସଫଳ କରିବା ସହ ରାଜ୍ୟ ସରକାରଙ୍କ ବିକାଶ କାମକୁ ଗାଁ ଗାଁରେ ପହଂଚାଇବା ପାଇଁ ପ୍ରାୟ ସପ୍ତାହେ ହେଲାଣି ୧୭ ମନ୍ତ୍ରୀ ଓ ୭୦ରୁ ଅଧିକ ବିଧାୟକ ସୁନ୍ଦରଗଡରେ ଡେରା ପକାଇଥିଲେ । ମନ୍ତ୍ରୀମାନଙ୍କୁ ବ୍ଲକ ଓ ବିଧାୟକମାନଙ୍କୁ ପଂଚାୟତ ଦାୟିତ୍ୱ ଦିଆଯାଇଥିଲା । ହେଲେ ସରକାରୀ କାର୍ଯ୍ୟକ୍ରମକୁ ଦଳୀୟ ରୂପଦେଇ ବିଜେଡି କୌଣସି ରାଜନୈତିକ ପରିବର୍ତନ କରିପାରିବ ନାହିଁ ବୋଲି ଦମ୍ଭୋକ୍ତି କରିଛି ବିଜେପି । କଂଗ୍ରେସ ମଧ୍ୟ କଳାବ୍ୟାଚ୍ ପିନ୍ଧି ମୁଖ୍ୟମନ୍ତ୍ରୀଙ୍କ ଗସ୍ତର ପ୍ରତିବାଦ କରିଛି ।

ରାଉରକେଲା ମଂଚରୁ ମୁଖ୍ୟମନ୍ତ୍ରୀ କହିଛନ୍ତି ମହିଳାମାନେ ଓଡିଶା ବିକାଶର ସାରଥୀ । ଏହି ଅବସରରେ ସ୍ୱୟଂ ସହାୟକ ଗୋଷ୍ଠୀର ପରିଚିତ ଚେହେରା ଜୟନ୍ତୀ ଏକ୍କାଙ୍କୁ ପ୍ରଶଂସା କରିଛନ୍ତି ନବୀନ । ଗତକାଲି ରାଉରକେଲା ଗସ୍ତ ପୂର୍ବରୁ ପଶ୍ଚିମ ଓଡିଶା ବିକାଶ ପରିଷଦ ପାଣ୍ଠିକୁ ଦୁଇଗୁଣା କରିଥିଲେ ମୁଖ୍ୟମନ୍ତ୍ରୀ । ଆଉ ଆଜି ସୁନ୍ଦରଗଡରେ ୧୪ଟି ପ୍ରକଳ୍ପର ଶୁଭାରମ୍ଭ କରି ପଶ୍ଚିମାଂଚଳର ବିକାଶ ସରକାରଙ୍କ ପ୍ରାଥମିକତା ବୋଲି ସୂଚାଇ ଦେଇଛନ୍ତି ।