ଗୃହିଣୀରୁ ସଫଳ ଉଦ୍ୟୋଗପତି: ପରିବାର ଲୋକଙ୍କ ପ୍ରେରଣାରେ ନିଜ ଘରେ ଆରମ୍ଭ କରିଛନ୍ତି ଧୂପକାଠି ବ୍ୟବସାୟ 

140

କନକ ବ୍ୟୁରୋ: ଗୃହିଣୀରୁ ସଫଳ ଉଦ୍ୟୋଗପତି । ଧୂପକାଠୀ ବ୍ୟବସାୟ ଦେଇଛି ରୋଜଗାର । କିଛି ବର୍ଷ ପୂର୍ବରୁ ଥିଲେ ଜଣେ ସାଧାରଣ ଗୃହିଣୀ  । ଘରେ ବସିବସି ବିରକ୍ତ ଲାଗିବାରୁ କିଛି ଗୋଟେ ଛୋଟମୋଟ ବ୍ୟବସାୟ କରିବାକୁ ମନ ବଳାଇଲେ । ବହୁ ଚିନ୍ତା ପରେ ସ୍ୱାମୀ ଏବଂ ପରିବାର ଲୋକଙ୍କ ପ୍ରେରଣାରେ ନିଜ ଘରେ ଆରମ୍ଭ କଲେ ଧୁପକାଠୀ ତିଆରୀ  । ବାସ ଏହିଠାରୁ ପଦଳିଗଲା ଜିବନର ମୋଡ । ନିଷ୍ଠାର ସହ କାର୍ଯ୍ୟ କରିବାରୁ ମାତ୍ର ଅଳ୍ପ କିଛି ଟଙ୍କାରେ ଆରମ୍ଭ କରିଥିବା ଏହି ବ୍ୟବସାୟ ଏବେ ଜଣେ ସଫଳ ଉଦ୍ୟୋଗପତିର ପରିଚୟ ଦେଇପାରିଛି । ଆସନ୍ତୁ ଦେଖିବା ଏପରି ଜଣେ ସଫଳ ମହିଳା ଅନିତା ମହାନ୍ତିଙ୍କ ପ୍ରେରଣାଦାୟୀ କାହାଣୀ ।

କେନ୍ଦୁଝର କାଶିପୁରର ଅନିତା ମହାନ୍ତି, ଜଣେ ଗୃହିଣୀ । ଘରକାମ ସାରିବା ପରେ ବଳୁଥିବା ଖାଲି ସମୟକୁ ଅପଚୟ ନ କରି କିଛି କାମ କରିବାକୁ ମନ ବଳାଇଲେ । ଆଉ ୨୦୧୭ ମସିହାରେ ଅଳ୍ପ କିଛି ଟଙ୍କା ବିନିଯୋଗରେ ଆରମ୍ଭ କରିଲେ ଧୂପକାଠି ବ୍ୟବସାୟ । ପ୍ରଥମେ ଗୋଟିଏ ମାତ୍ର ମେସିନ ଏବଂ ୩ଜଣ କର୍ମଚାରୀଙ୍କୁ ନେଇ ଆରମ୍ଭ ହେଲା ଏହି ବ୍ୟବସାୟ । କେନ୍ଦୁଝରର ପୁଣ୍ୟତୟା ବୈତରଣୀର ଉତ୍ପତି ସ୍ଥଳ “ଗୁପ୍ତଗଙ୍ଗା’’ ନାମରେ ନାମିତ ହେଲା ଏହି କମ୍ପାନୀ । ପ୍ରାରମ୍ଭିକ ପର୍ଯ୍ୟାୟରେ କେନ୍ଦୁଝର ସହରର କିଛି ଚିହ୍ନା ପରିଚୟ ଦୋକାନରେ ଏହାକୁ ବିକ୍ରି କରାଗଲା । ଧିରେଧିରେ ଧୁପକାଠୀର ଚାହିଦା ବଢିବାକୁ ଲାଗିଲା । ବାସ ସେହି ଦିନରୁ ଅନିତା ଲାଗିଗଲେ କିପରି ଏହା ଅଧିକରୁ ଅଧିକ ଘରେ ପହଂଚି ପାରିବ । ଅଳ୍ପ କେଇବର୍ଷ ମଧ୍ୟରେ ସାରା ଓଡିଶାରେ ଏହାର ବ୍ୟବସାୟ ବଢି ଚାଲିଲା । ମାତ୍ର ୪ ବର୍ଷରେ ଏହା ଏକ ସଫଳ ଉଦ୍ୟୋଗ ହୋଇପାରିଥିବା ବେଳେ ଶତାଧିକ ପରିବାର ପାଇଁ ରୋଜଗାରର ମାଧ୍ୟମ ହୋଇପାରିଛି ।

ଦୃଢ ଇଚ୍ଛାଶକ୍ତି, ମନୋବଳ ଏବଂ ପରିଶ୍ରମ ଫଳରେ ଯେକୌଣସି କାମରେ ସଫଳତା ପାଇହେବ । ଏକଥାକୁ ପ୍ରମାଣିତ କରିଛନ୍ତି ମାତ୍ର ଦଶମ ପାସ୍ କରିଥିବା କେନ୍ଦୁଝରର ଅନିତା ଏବଂ ତାଙ୍କର ଏହି ସଫଳତା ପାଇଁ ତାଙ୍କ ପରିବାର ବର୍ଗ ମଧ୍ୟ ବେଶ୍ ଖୁସି ପ୍ରକାଶ କରିଛନ୍ତି ।  ନିଜେ ନିଜର ପରିଚୟ ସୃଷ୍ଟି କରିବା ସହ ଅନ୍ୟ କିଛି ଲୋକଙ୍କ ପାଇଁ ରୋଜଗାରର ପନ୍ଥା ସୃଷ୍ଟି କରିବାରେ ଅନିତା ଅନ୍ୟ ସମସ୍ତଙ୍କ ପାଇଁ ପାଲଟିଛନ୍ତି ଉଦାହରଣ ।