ଶୁଣ ସରକାର ! ସ୍ୱୀକୃତିଙ୍କ ଆଖିରୁ ଶୁଖୁନି ଲୁହ, ବନ୍ଧବାଡ ମାନୁନି କଷ୍ଟ ଯନ୍ତ୍ରଣାର କୋହ । ଝାଟିମାଟି ଘର ପୋଡି ଯିବା ପରେ ୪ ହାତିଆ ପାଇଖାନା ଘରେ ବିତୁଛି ମାଆ ପୁଅଙ୍କ ଜୀବନ…

482

କନକ ବ୍ୟୁରୋ: ମୁଁ ପାଇଖାନା ଘରେ ରହୁଛି… ଘର ଖଣ୍ଡେ ନାହିଁ ବୋଲି ଏଇ ପାଇଖାନାରେ ଜୀବନ ବିତୁଛି… ୪ ହାତ ପାଇଖାନାରେ ମାଆପୁଅ ମରିମରି ବଞ୍ଚୁଛନ୍ତି । ଆଉ ଦୁହିଁଙ୍କ ଦୁଃଖ କହିବା ବେଳେ ଆଖିରୁ ଝରି ପଡୁଛି ଲୁହର ଧାର, ଥରି ଯାଉଛି କଣ୍ଠ । ଜୀବନର ଅପରାହ୍ଣରେ ମୁଣ୍ଡ ଗୁଂଜିବା ପାଇଁ କେତେ ଯେ ସଂଘର୍ଷ କରିବାକୁ ପଡେ ତାହା ଆଠଗଡର ସ୍ୱୀକୃତି ମଙ୍ଗୁଆଳଙ୍କୁ ଦେଖିଲେ ସ୍ପଷ୍ଟ ବାରି ହୋଇପଡୁଛି ।

ଝାଟି ମାଟିର କୁଡିଆ ପୋଡି ଯିବା ପରେ ଘରଟିଏ ପାଇଁ ସରପଂଚଙ୍କ ଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀଙ୍କ ଯାଏଁ ସମସ୍ତଙ୍କୁ ନେହୁରା ହୋଇଛନ୍ତି ସ୍ୱୀକୃତି । ସମସ୍ତେ ଆସି ସ୍ୱୀକୃତିଙ୍କ ସତ ପରଖିଛନ୍ତି, ହେଲେ କିଛି ଲାଭ ନାହିଁ । ଆଜି ବି ମାନସିକ ବିକାରଗ୍ରସ୍ତ ପୁଅକୁ ଆଶ୍ରା କରି ପାଇଖାନା ଘରେ ଆଶ୍ରୟ ନେଇଛନ୍ତି ସ୍ୱୀକୃତି ।

ତେବେ ସ୍ୱୀକୃତିଙ୍କ କାହାଣୀରୁ ଆଠଗଡ଼ରେ ଆବାସ ଯୋଜନା କେତେ କାର୍ଯ୍ୟକାରୀ ହୋଇଛି ତାର ବାସ୍ତବ ଚିତ୍ର ଏବେ ସାମ୍ମାକୁ ଆସିଛି । ବିକାଶ ପଥରେ ଆଗେଇଥିବା ଆଠଗଡ଼ରେ ବିକାଶର ବାସ୍ତବ ଚିତ୍ର ବୟାନ କରୁଛି ବାଳି ଗାଁ ସ୍ୱୀକୃତି ମଙ୍ଗୁଆଳଙ୍କ ଅଖିର ଲୁହ ।

୨୦୦୮ ମସିହାରେ ସ୍ୱୀକୃତି ଇନ୍ଦିରା ଆବାସ ଯୋଜନାରେ ଘର ପାଇଥିଲେ । ପ୍ରଥମ କିସ୍ତିରେ ମାତ୍ର ୧୦ହଜାର ଟଙ୍କା ପାଇ ଘର ଆରମ୍ଭ କରିଥିଲେ, ହେଲେ ଦ୍ୱିତୀୟ କିସ୍ତି ପାଇଁ ଯିବା ବେଳେ ବ୍ଲକ ଅଧିକାରୀ କହିଲେ ଫାଇଲ ହଜିଯାଇଛି । ସେହି ଦିନଠାରୁ ଅଧାରେ ପଡିରହିଛି ସ୍ୱୀକୃତିଙ୍କ ଇନ୍ଦିରା ଆବସ । ଆଉ ପରିଣତ ବୟସରେ ରାତି କଟୁଛି ପାଇଖାନା ଘରେ । ତେବେ ସ୍ୱୀକୃତିଙ୍କ କଷ୍ଟକୁ ପ୍ରଶାସନ ଅନୁଭବ କରି ଖୁବଶୀଘ୍ର ସମାଧାନ କରୁ ଆଉ ତାଙ୍କୁ ଘରଟିଏ ଯୋଗାଇ ଦେଉ ବୋଲି ଦାବି ହୋଇଛି ।