ମୟୂରଭଞ୍ଜରେ ନାରୀ ସୁରକ୍ଷା ଉପରେ ଉଠିଲା ପ୍ରଶ୍ନ । ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର । ନଦୀ କୂଳରୁ ମିଳିଲା ମୁର୍ମୂଷ ଝିଅ ।

213

କନକ ବ୍ୟୁରୋ: ମୟୂରଭଞ୍ଜର ଦୁଇଟି କଥା କୋଉଠି ନା କୋଉଠି ସଭ୍ୟ ସମାଜରେ ନାରୀର ସୁରକ୍ଷାକୁ ନେଇ ପ୍ରଶ୍ନ ଛିଡା କରିଛି । କାରଣ ନଦୀ ପୋଲ ତଳୁ ଜଣେ ମହିଳାଙ୍କ ମୃତଦେହ ମିଳୁଛି ଆଉ ଜଣେ ୫ବର୍ଷ ଝିଅର ଶରୀର ମୁର୍ମୂଷ ଅବସ୍ଥାରେ ଉଦ୍ଧାର କରାଯାଉଛି ।

ପୂରା ଘଟଣା ହେଉଛି, ମାର୍ଚ୍ଚ ୩ ତାରିଖରେ ମୟୂରଭଞ୍ଜ-କେନ୍ଦୁଝର ସୀମାନ୍ତ ବୈତରଣୀ ନଦୀ ପୋଲ ତଳୁ ଚେତାଶୁନ୍ୟ ଅବସ୍ଥାରେ ଜଣେ ୫ବର୍ଷର ଝିଅ ପଡିଥିବା ଲୋକମାନେ ଦେଖିଥିଲେ । ଏହାପରେ ଜଣେ ବ୍ୟକ୍ତିଙ୍କ ସହାୟତାରେ କରଂଜିଆ ପୋଲିସ ଏହି କୁନିଝିଅକୁ ଉଦ୍ଧାର କରି ପ୍ରାଥମିକ ଚିକିତ୍ସା କରିବା ପରେ କଟକ ଏସସିବିକୁ ପଠାଇଥିଲା । ଏବେ ଏସସିବିର ସେଂଟ୍ରାଲ ଆଇସିୟୁରେ ଏହି କୁନି ଝିଅର ଚିକିତ୍ସା ଚାଲିଥିଲେ ବିି ହୋସ ଫେରିନି ।

ତେବେ ସେ ଝିଅ କିଏ ଏବଂ ସେଠାକୁ କେମିତି ଆସିଲା ତାହା ଜଣାପଡିନି । ଅନ୍ୟପଟେ ଡାକ୍ତରଙ୍କ କହିବା ହେଲା, କୁନି ଝିଅର ତଂଟିକୁ ଚିପା ଯାଇଛି ଯାହାଫଳରେ ତା ନାକରୁ ପ୍ରବଳ ରକ୍ତସ୍ରାବ ହେଉଛି । ତେଣୁ ଆଶଙ୍କା କରାଯାଉଛି କେହି ମାରିଦେବା ପାଇଁ ତାକୁ ଉଦ୍ୟମ କରିଛି ।

ଅନ୍ୟପଟେ ସମାନ ଦିନ ଆଉ ଜଣେ ମହିଳାଙ୍କ ମୃତଦେହ ମିଳିବା ପରେ ଆଶଙ୍କା ବଢିଯାଇଛି । ମୃତ ମହିଳାଙ୍କ ପରିଚୟ ମିଳିନଥିବା ବେଳେ ସନ୍ଦେହ କରାଯାଉଛି ଚେତାଶୁନ୍ୟ ଅବସ୍ଥାରେ ମିଳିଥିବା ଝିଅ ସହିତ ଏହି ମହିଳାଙ୍କ ସମ୍ପର୍କ ରହିଛି । ଏମାନେ ଗୋଟିଏ ପରିବାରର ହୋଇଥାଇପାରନ୍ତି । ତେବେ ଉଭୟ ଘଟଣାରେ କିଛି ସମ୍ପର୍କ ଅଛି କି ନାହିଁ ତାହା ସ୍ପଷ୍ଟ କରିବା ପାଇଁ ପୋଲିସ ମୃତ ମହିଳା ଏବଂ ୫ବର୍ଷ କୁନି ଝିଅର ଡିଏନଏ ଟେଷ୍ଟ କରିବ ।

ତେବେ ସନ୍ଦେହ କରାଯାଉଛି ପାରିବାରିକ ଶତ୍ରୁତା କାରଣରୁ କେହି ମାକୁ ହତ୍ୟା କରିବା ପରେ ଝିଅକୁ ତଂଟି ଚିପି ମାରିଦେବାକୁ ଉଦ୍ୟମ କରିଛି । ପୋଲିସ ଦୁଇଜଣଙ୍କ ପରିଚୟ ଖୋଜୁଥିବା ବେଳେ ମହିଳା ଜଣଙ୍କ କେମିତି ମଲେ ଏବଂ ୫ବର୍ଷର କୁନି ଝିଅର ଏପରି ଅବସ୍ଥା କିଏ କଲା ସେନେଇ ଖୋଳତାଡ ଜାରି ରଖିଛି ।