କେନ୍ଦ୍ରାପଡ଼ା ରାଜନଗର ଅଂଚଳରେ ମହିଳାଙ୍କ ନିଆରା ଉଦ୍ୟମ । କ୍ଷୀର ପ୍ରକ୍ରିୟାକରଣ କରି ହୋଇଛନ୍ତି ଆତ୍ମନିର୍ଭର

148

କନକ ବ୍ୟୁରୋ : ମହିଳା ମାନଙ୍କ ଉଦ୍ୟମରେ ଆରମ୍ଭ ହୋଇଛି କ୍ଷୀର ପ୍ରକ୍ରିୟାକରଣ ୟୁନିଟ୍ । କେନ୍ଦ୍ରାପଡ଼ା ରାଜନଗର ବ୍ଲକ ଧାନଦିଆ ଠାରେ ୩୦ଲକ୍ଷ ଟଙ୍କା ବ୍ୟୟରେ ପ୍ରତିଷ୍ଠା ହୋଇଛି ଏହି ପ୍ରକଳ୍ପ । କସ୍ତୁରବା ସ୍ୱୟଂ ସହାୟକ ଗୋଷ୍ଠୀର ୧୮ ଜଣ ମହିଳା ଏଠାରେ କାମ କରି ରୋଜଗାର କରିବାର ଆଶା ରଖିଛନ୍ତି । ଘରକାମ ପରେ ୪ରୁ ୫ଘଂଟା କାମ କରୁଛନ୍ତି ମହିଳା । ରାଜନଗର ବ୍ଲକର ବିଭିନ୍ନ ପଂଚାୟତକୁ ଯାଇ ମହିଳା ମାନେ କ୍ଷୀର ସଂଗ୍ରହ କରି ପ୍ଲାଂଟକୁ ଆଣନ୍ତି । ପ୍ଲାଂଟରେ ଥିବା ଅତ୍ୟାଧୁନିକ ମେସିନରେ କ୍ଷୀରକୁ ଗରମ କରି ପାଉଚ ପ୍ରସ୍ତୁତ କରନ୍ତି । ଏହା ସହ କ୍ଷୀରରୁ ଛେନା, ପନିର, ଦହି, ଘିଅ ପ୍ରସ୍ତୁତ କରି ଏହାକୁ ସ୍ଥାନୀୟ ବଜାରକୁ ବିକ୍ରି ପାଇଁ ପଠାଉଛନ୍ତି ।

ପ୍ରଥମ ଥର ପାଇଁ ରାଜନଗର ଅଂଚଳରେ ମହିଳାଙ୍କ ପକ୍ଷରୁ ଏଭଳି ଏକ ନୂଆ ପ୍ରୟାସ ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ଦିନକୁ ୫୦୦ ଲିଟର କ୍ଷୀର, ୧୦୦ ଲିଟର ଦହି, ଘିଅ ଓ ପନିର ଉତ୍ପାଦନ ହେଉଛି । ଏହାକୁ ରାଜନଗର, କେରଡ଼ାଗଡ଼, ଗୋପାଳପୁର, ଜରିମୂଳ, ଗୁପ୍ତି, ଡାଙ୍ଗମାଳ ସମେତ ରାଜନଗର ବ୍ଲକର ବିଭନ୍ନ ବଜାରକୁ ଯୋଗାଣ କରୁଛନ୍ତି ମହିଳା । ଆଗାମୀ ଦିନରେ ବ୍ୟବସାୟ ବଢ଼ିଲେ ଅଧିକ ମହିଳା ନିଯୁକ୍ତି ପାଇବା ସହିତ ଦୁଗ୍ଧ ଜାତୀୟ ସାମଗ୍ରୀ ଜିଲ୍ଲା ତଥା ଜିଲ୍ଲା ବାହାରକୁ ରପ୍ତାନୀ କରିବାର ଯୋଜନା ରଖିଛନ୍ତି ମହିଳା ।