ଅସୁସ୍ଥ ହେବାରୁ ମହିଳା କରାଇଲେ କରୋନା ଟେଷ୍ଟ । ୧୦ଥର ରିପୋର୍ଟ ଆସିଲା ନେଗେଟିଭ୍, ଏହା ପରେ ବି କରୋନାରେ ହେଲା ମହିଳାଙ୍କ ମୃତ୍ୟୁ ।

411

କନକ ବ୍ୟୁରୋ : କରୋନା ସଂକ୍ରମଣର ଟିକା ଆସିବା ପରେ ମହାମାରୀ ସହିତ ଜଡ଼ିତ ଅନେକ ଜଟିଳ ମାମଲା ସାମ୍ନାକୁ ଆସୁଛି । ଏମିତି ଏକ ଘଟଣା ବ୍ରିଟେନରୁ ଆସିଛି । ୫୫ବର୍ଷର ଜଣେ ମହିଳାଙ୍କୁ ନିଶ୍ବାସ ନେବାରେ ଅସୁବିଧା ହେଉଥିଲା ତେଣୁ ସେ ତାଙ୍କର କରୋନା ପରୀକ୍ଷା କରାଇଥିଲେ । ଯେଉଁଥିରେ ତାଙ୍କ ରିପୋର୍ଟ ନେଗେଟିଭ ଆସିଥିଲା ।

ରିପୋର୍ଟ ନେଗେଟିଭ ଆସିବା ସତ୍ତ୍ବେ ବି ତାଙ୍କ ସ୍ବାସ୍ଥାବସ୍ଥାରେ ସୁଧାର ଆସି ନଥିଲା । ତେଣୁ ସେ କରୋନା ପରୀକ୍ଷା ଥରକେ କି ଦୁଇଥର ନୁହେଁ, ୧୦ଥର କରିଥିଲେ । ଏହାପରେ ବି ତାଙ୍କ ରିପୋର୍ଟ ନେଗେଟିଭ ଆସିଥିଲା । ଶେଷରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା । ମୃତ୍ୟୁପରେ ମହିଳାଙ୍କ କରୋନା ପରୀକ୍ଷା କରାଯାଇଥିଲା । ଆଶ୍ଚର୍ଯ୍ୟର କଥା କରୋନାରେ ଆକ୍ରାନ୍ତ ହୋଇ ମହିଳାଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟରୁ ଜଣାପଡ଼ିଥିଲା ।

ସୂଚନାଯୋଗ୍ୟ, ୫୫ବର୍ଷର ଡେବ୍ରା ସାଁ ହର୍ନିଆଙ୍କୁ ଅସ୍ତ୍ରୋପଚାର ପାଇଁ ରୟାଲ ଷ୍ଟକ ୟୁନିଭର୍ସିଟି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଅସ୍ତ୍ରୋପଚାର ପରେ ତାଙ୍କୁ ନିଶ୍ବାସ ନେବାରେ ଅସୁବିଧା ହୋଇଥିଲା। ଏହାପରେ ସେ କୋମାକୁ ଚାଲି ଯାଇଥିଲେ । ଅସ୍ତ୍ରୋପଚାରର ଦୁଇ ସପ୍ତାହ ମଧ୍ୟରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।

ତେବେ ମହିଳାଙ୍କ ମୃତ୍ୟୁ କରୋନାରେ ସଂକ୍ରମିତ ହୋଇ ହୋଇଛି ବୋଲି ଡାକ୍ତର ରିପୋର୍ଟ ଦେବା ପରେ ପରିବାରଲୋକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସେମାନେ ଜାଣିବାକୁ ଚାହିଁଥିଲେ ଯଦି ଡେବ୍ରା କରୋନା ସଂକ୍ରମିତ ଥିଲେ ତେବେ ତାଙ୍କୁ କାହିଁକି କୋଭିଡ ଫ୍ରି ହସ୍ପିଟାଲରେ ରଖାଯାଇଥିଲା ।

ମୃତ ମହିଳାଙ୍କ ପୁଅ କ୍ରିସଙ୍କ କହିବାନୁସାରେ, ମୋର ମା’ଙ୍କୁ ଯେତେବେଳେ ନିଶ୍ବାସ ନେବାରେ ଅସୁବିଧା ହୋଇଥିଲା ତାଙ୍କର କରୋନା ପରୀକ୍ଷା କରାଯାଇଥିଲା । ଥରେ କି ଦୁଇଥର ନୁହେଁ କ୍ରମାଗତ ଭାବେ ୧୦ଥର ତାଙ୍କ କରୋନା ପରୀକ୍ଷା କରାଯାଇଥିଲା । ଏହି ସମସ୍ତ ରିପୋର୍ଟ ମା’ଙ୍କ ନେଗେଟିଭ ଆସିଥିଲା । ମା’ଙ୍କ ଫୁସଫୁସର ବି ପରୀକ୍ଷା କରାଯାଇଥିଲା ସେଥିରେ ବି କରୋନା ସଂକ୍ରମିତ ହେବାର କୌଣସି ଲକ୍ଷଣ ଚିହ୍ନଟ ହୋଇ ନଥିଲା । ଏସବୁ ପରେ ମା’ଙ୍କ ଯେତେବେଳେ ଡେଥ ସାର୍ଟିଫିକେଟ ଦେଖିଥିଲୁ ଆଶ୍ଚର୍ଯ୍ୟ ହୋଇଯାଇଥିଲୁ । ଏଥିରେ ଲେଖାଥିଲା ମା’ଙ୍କ ମୃତ୍ୟୁ କରୋନାରେ ହୋଇଛି ।

ଯଦି ମା’ଙ୍କ କରୋନା ସଂକ୍ରମଣରେ ମୃତ୍ୟୁ ହୋଇଛି ତେବେ ପରିବାର ଅନ୍ୟ ସଦସ୍ୟଙ୍କ ଜୀବନ ପ୍ରତି ବି ବିପଦ ରହିଛି । କାରଣ ମା’ଙ୍କୁ ଭେଟିବାକୁ ଗଲାବେଳେ ହସ୍ପିଟାଲ କର୍ମଚାରୀ ଆମମାନଙ୍କୁ କୋଭିଡର କୌଣସି ନିୟମ ପାଳନ କରିବାକୁ କହି ନଥିଲେ । ବିନା ମାସ୍କରେ ବିନା ସୁରକ୍ଷାରେ ପରିବାର ସଦସ୍ୟ ’ଙ୍କୁ ଭେଟିଥିଲେ ।