ମାଟିରେ ରାକ୍ଷୀ ତିଆରି କରି ଚର୍ଚ୍ଚାରେ କେନ୍ଦ୍ରାପଡ଼ା ଡେରଗାଁର ମହିଳା । ଓରମାସ ପକ୍ଷରୁ ମିଳିଛି ସମସ୍ତ ପ୍ରକାର ସହାୟତା

143

କନକ ବ୍ୟୁରୋ : ଆଗକୁ ଆସୁଛି ରାକ୍ଷୀ ପୁନେଇ । ଭାଇ ହାତରେ ଭଉଣୀ ବାନ୍ଧିବ ସମ୍ପର୍କର ଡ଼ୋରୀ । ଆଉ ଏଇଥିପାଇଁ ରାଖି ବଜାର ଏବେ ବେଶ ଚଳଚଂଚଳ ହୋଇପଡ଼ିଲାଣି । ରାକ୍ଷୀ କିଣିବାକୁ ଦୋକାନରେ ଜମୁଛି ଗ୍ରାହକଙ୍କ ଗହଳି । ଚଳିତ ବର୍ଷ ଷ୍ଟୋନ୍ ରାଖି, କଣ୍ଢେଇ ରାଖି ଏବଂ ଛୋଟ ପିଲାଙ୍କୁ ଆକୃଷ୍ଟ କରିବା ପାଇଁ କାର୍ଟୁନ୍ ରାଖୀ ବଜାରକୁ ଆସିଛି । ଗାଁଠୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସବୁଠି ଜମୁଛି ରାଖୀ ବେପାର ।

ଅନ୍ୟପଟେ ବଜାରରେ ଟେରାକୋଟା ରାକ୍ଷୀର ବେଶ ଚାହିଦା ରହିଥିବା ବେଳେ କେନ୍ଦ୍ରାପଡ଼ା ମହାକାଳପଡ଼ା ତେରଗାଁର ଏସଏଚଜି ମହିଳାମାନେ ଏହି ରାକ୍ଷୀ ପ୍ରସ୍ତୁତ କରୁଛନ୍ତି । ପ୍ରଥମେ ଏଥିପାଇଁ ଆବଶ୍ୟକ ହେଉଥିବା କାଦୁଅକୁ ସଂଗ୍ରହ କରି ମହିଳା ମାନେ ଚକଟିବା ପରେ ଛାଞ୍ଚରେ ରଖି ବିଭିନ୍ନ ଆକୃତି ଦେଇଥାଆନ୍ତି । ରାକ୍ଷୀ ତିଆରି କରିବାର ଦୁଇରୁ ତିନି ଦିନ ଖରାରେ ସୁଖାଇବା ପରେ ଏହାକୁ ଭାଟିରେ ପୋଡ଼ି ଥାଆନ୍ତି । ଏହାପରେ ବିଭିନ୍ନ ରଙ୍ଗ, ମାଳି ଦେଇ ପ୍ୟାକେଟିଂ କରି ବଜାରକୁ ବିକ୍ରି ପାଇଁ ପଠାଉଛନ୍ତି । କିଛି ରୋଜଗାର କରି ନିଜେ ଆତ୍ମନିର୍ଭର ହୋଇପାରୁଛନ୍ତି ।

ଖାଲି ମାଟି ରାଖୀ ନୁହେଁ କଣ୍ଢେଇ, ଦୀପ, ହାତୀ, ଘୋଡ଼ା, ଗଣେଶ ଓ ବୋଇତ ତିଆରି କରୁଛନ୍ତି ଏହି ଗ୍ରୁପର ସଦସ୍ୟା । ଜିଲ୍ଲା ଶିଳ୍ପ କେନ୍ଦ୍ରରୁ ସେମାନଙ୍କୁ ତାଲିମ ମିଳିଥିବା ବେଳେ ଓରମାସ୍ ପକ୍ଷରୁ ସେମାନଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯାଇଛି ।