ଯୁବରାଜଙ୍କ ମା’ଙ୍କୁ ଧମକ ଦେଇ ଟଙ୍କା ମାଗୁଥିଲେ ମହିଳା । ୫ ଲକ୍ଷ ଟଙ୍କା ନେଉଥିବା ବେଳେ ଧରିଲା ପୋଲିସ ।

346

କନକ ବ୍ୟୁରୋ : ପୂର୍ବତନ ଭାରତୀୟ କ୍ରିକେଟର ଯୁବରାଜ ସିଂଙ୍କ ମା’ଙ୍କୁ ଧମକ । ମିଛ ମାମଲାରେ ଫଶାଇବାକୁ ଧମକ ଦେଇ ଯୁବରାଜଙ୍କ ମା’ଙ୍କ ଠାରୁ ୪୦ ଲକ୍ଷ ଟଙ୍କା ଦାବି କରୁଥିଲେ ମହିଳା । ଯାହାଙ୍କୁ ପୋଲିସ ଗିରଫ କରିଛି । ୫ ଲକ୍ଷ ଟଙ୍କା ନେଉଥିବା ବେଳେ ମହିଳାଙ୍କୁ ଗିରଫ କରିଛି ପୋଲିସ । ଏହି ଘଟଣାରେ ଡିଏଲଏଫ ଫେଜ୍-୧ ଥାନାରେ ମାମଲା ରୁଜୁ କରାଯାଇଥିଲା । ଗିରଫ ମହିଳାଙ୍କ ନାଁ ହେମା କୌଶିକ ବୋଲି ଜାଣିବାକୁ ମିଳିଛି ।

ମିଳିଥିବା ସୂଚନା ମୁତାବକ, ଯୁବରାଜଙ୍କ ଛୋଟ ଭାଇ ଜୋରାବର ସିଂଙ୍କ କେୟାରଟେକର ଭାବେ ହେମା କୌଶିକଙ୍କୁ ରଖାଯାଇଥିଲା । କିନ୍ତୁ ତାଙ୍କର ବ୍ୟବହାର ଭଲ ନ ଲାଗିବାରୁ ୨୦ ଦିନରେ ତାଙ୍କୁ କାମରୁ ହଟାଇ ଦିଆଯାଇଥିଲା । କାମରୁ ହଟିବା ପରେ ହେମା ମିଛ ମାମଲାରେ ଜୋରାବର ଓ ତାଙ୍କ ପରିବାରକୁ ଫଶାଇବାକୁ ଧମକ ଦେଇଥିଲେ । ଏପରିକି ଏଥିପାଇଁ ୪୦ ଲକ୍ଷ ଟଙ୍କା ଦେବାକୁ ଧମକ ମଧ୍ୟ ଦେଇଥିଲେ । ଏନେଇ ଥାନାରେ ଅଭିଯୋଗ କରିଥିଲେ ଯୁବରାଜଙ୍କ ମା’ ଶବନମ । ଅଭିଯୋଗପତ୍ରରେ ଶବନମ ଲେଖିଥିଲେ ଯେ, ମେ’ ୨୦୨୩ରେ ହେମା

ହ୍ୱାଟସଆପରେ ମେସେଜ ଓ କଲ କରିବା ଆରମ୍ଭ କରିଥିଲେ । ଏପରିକି ପରିବାରକୁ ମିଛ ମାମଲାରେ ଫଶାଇ ବଦନାମ କରିବାକୁ ଧମକ ଦେବା ସହ ପ୍ରତିବଦଳରେ ୪୦ ଲକ୍ଷ ଟଙ୍କା ମାଗିଥିଲେ । ତେବେ ହେମାଙ୍କୁ ପୋଲିସ ହାତରେ ଧରାଇବାକୁ ଶବନମ ପ୍ରଥମେ ଟଙ୍କା ଯୋଗାଡ ପାଇଁ ସମୟ ମାଗିଥିଲେ । ମଙ୍ଗଳବାର ସୁଦ୍ଧା ୫ ଲକ୍ଷ ଟଙ୍କା ଦେବାକୁ କୁହାଯାଇଥିଲା । ମଙ୍ଗଳବାର ଦିନ ଅଭିଯୁକ୍ତ ହେମା ଟଙ୍କା ନେବାକୁ ପହଞ୍ଚିବା ବେଳେ ତାଙ୍କୁ ପୋଲିସ ଗିରଫ କରିଥିଲା । ପରେ ଅଭିଯୁକ୍ତଙ୍କୁ ଜାମିନରେ ଛଡାଯାଇଥିଲା ।