ଶୁଣିଲାନି ପ୍ରଶାସନ .. ଶୁଣିଲେ ଡାକ୍ତର । ପୁଣି ଜଣେ ଡାକ୍ତର ଦେବଦୂତ ସାଜିବାର କାହାଣୀ

47

କନକ ବ୍ୟୁରୋ: ମୟୂରଭଂଜ ଜିଲ୍ଲାର ଜଣେ ଡାକ୍ତରଙ୍କ ମାନବିକତାର କାହାଣୀ । ଜଣେ ଅସହାୟ ଆଦିବାସୀ ମହିଳାଙ୍କୁ ଯଦି ଡାକ୍ତର ଜଣକ ଉଦ୍ଧାର କରିନଥାନ୍ତେ, ତେବେ ନବଜାତ ଶିଶୁକନ୍ୟାର ଅବସ୍ଥା ସାଂଘାତିକ ହୋଇଥାନ୍ତା । କିନ୍ତୁ ଠିକ୍ ସମୟରେ ସହାୟତା କରିବାକୁ ବାହାରି ଆସିଲେ ଡାକ୍ତର ଏବଂ ଉଭୟ ମାଆ ଓ ଶିଶୁ ସୁସ୍ଥ ହୋଇଗଲେ । ପଢନ୍ତୁ ଏହି ରିପୋର୍ଟ…

କାହାଣୀ ଆଦିବାସୀ ଅଧ୍ୟୁଷିତ ମୟୁରଭଂଜ ଜିଲ୍ଲା ଶୁକ୍ରୁଳି ବ୍ଲକ୍ ସାରୁବିଲ ଗାଁର । ଘର ପାଖରେ ଥିବା ପୋଲ ତଳେ ଏକ କନ୍ୟାସନ୍ତାନକୁ ଜନ୍ମ ଦିଅନ୍ତି ଶର୍ମିଳା ତିରିଆ । ପ୍ରଥମେ ହାତୀ ଓ ପରେ କାଳବୈଶାଖୀ ତାଙ୍କ ଝାଟିମାଟିର କୁଡ଼ିଆକୁ ଭାଂଗିଦେଇଥିବାରୁ ପୋଲ ତଳେ ହିଁ ହୁଏ ପ୍ରସବ । ନିକଟରେ ଶୁକ୍ରୁଳି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଥିବା ସତ୍ୱେ ପ୍ରସବର ପାଂଚ ଦିନ ପର୍ଯ୍ୟନ୍ତ ମଧ୍ୟ ଆସେନାହିଁ ସହାୟତା । ଖବର ପହଂଚେ ୧୭ କିଲୋମିଟର ଦୁର ରରୁଆଁ ହସ୍ପିଟାଲରେ କାମ କରୁଥିବା ଡାକ୍ତର ଦକ୍ଷିଣାରଂଜନ ଟୁଡ଼ୁଙ୍କ ପାଖରେ । ନିଜ ଗାଡ଼ିରେ ବସାଇ ଏହି ଦେବଦୂତ ଡାକ୍ତର ରରୁଆଁ ହସ୍ପିଟାଲରେ ଭର୍ତି କରିବାକୁ ଉଭୟଙ୍କୁ ଆଣନ୍ତି । ଡାକ୍ତରଙ୍କ ସମୟ ଉପଯୋଗୀ ପଦକ୍ଷେପ ଯୋଗୁ ବଂଚିଯାଏ ଦୁଇ ଅମୂଲ୍ୟ ଜୀବନ ।

ଗର୍ଭବତୀ ମହିଳା ଓ ସନ୍ତାନଙ୍କୁ ପୁଷ୍ଟିକର ଖାଦ୍ୟ, ପ୍ରସବ ପରେ ଶିଶୁକୁ ଟିକା ପ୍ରତିଷେଧକ ଓ ସୁରକ୍ଷିତ ସ୍ଥାନରେ ପ୍ରସବ ପାଇଁ ସରକାର ପ୍ରଚାର ଓ ପ୍ରସାର କରୁଥିବା ବେଳେ ଅପହଂଚ ଇଲାକାରେ ସ୍ୱାସ୍ଥ୍ୟ ସେବାର ସ୍ଥିତି ସମ୍ପୂର୍ଣ୍ଣ ଅଲଗା । ଅନ୍ୟପଟେ ମାଳମାଳ ସରକାରୀ ଯୋଜନା ଭିତରେ ଶର୍ମିଳା ଏକ ପୋଲ ତଳେ ଜୀବନ ବିତାଇବା ଅଙ୍ଗୁଳି ନିର୍ଦ୍ଦେଶ କରୁଛି ରାଜ୍ୟ ସରକାରଙ୍କ ଆଡ଼କୁ ଓ ଶର୍ମିଳାଙ୍କ ପାଇଁ ସରକାରୀ ସହାୟତାର ଉଠିଛି ଦାବି ।