କମୁଥିଲା ଅମ୍ଳଜାନ, ସରୁଥିଲା ଆୟୁଷ… ହସ୍ପିଟାଲ ହାତ ଟେକି ଦେବା ପରେ ସ୍ୱାମୀ ମୁହଁରେ ଜୀବନ ଫୁଙ୍କୁଥିଲା ସ୍ତ୍ରୀ । ଅଟୋ ଭିତରେ ଚାଲିଥିଲା ନିଶ୍ୱାସ-ବିଶ୍ୱାସର ଖେଳ…

1,268

କନକ ବ୍ୟୁରୋ: ତମେ ବଞ୍ଚିବ ନିଶ୍ଚୟ ବଞ୍ଚିବ… ମୋ ନିଶ୍ୱାସ ନେଇ ତମେ ବଞ୍ଚିବ, ମୋ ଜୀବନ ନେଇ ତମେ ଜିଇଁବ… ମୁଁ ଥାଉ ଥାଉ ତମେ ମରି ପାରିବନି, ମତେ ଛାଡି କୁଆଡେ ଯାଇପାରିବନି… ? ହାରିଯିବ ଯମ, ହାରିଯିବ କରୋନା… ତମେ ବଞ୍ଚିବ, ନିଶ୍ଚୟ ବଞ୍ଚିବ…

ସରି ଆସୁଥିଲା ସ୍ୱାମୀଙ୍କ ଆୟୁଷ, କମି ଆସୁଥିଲା ଅକ୍ସିଜେନ । ମୃତ୍ୟୁ ମୁହାଁ ହେଉଥିବା ନିଜର ମଣିଷ, ନିଶ୍ୱାସ ବିନା ଅଟୋରେ ଛଟପଟ ହେଉଥିଲେ । ଆଉ ଏତିକି ବେଳେ ଯମ ମୁହଁରୁ ସ୍ୱାମୀଙ୍କ ଜୀବନ ବଞ୍ଚାଇବାକୁ ନିଜ ମୁହଁକୁ ସ୍ୱାମୀଙ୍କ ମୁହଁରେ ଲଗାଇ ଫୁଙ୍କିବାରେ ଲାଗିଥିଲେ ସ୍ତ୍ରୀ । ପତିଙ୍କ ପ୍ରାଣ ବଞ୍ଚାଇବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ କରିଥିଲେ ପତ୍ନୀ । ସ୍ୱାମୀଙ୍କ ଆୟୁଷ ସରୁଥିଲା, କିନ୍ତୁ ସରୁନଥିଲା ସ୍ତ୍ରୀଙ୍କ ଆପ୍ରାଣ ଚେଷ୍ଟା । ନିଜ ସିନ୍ଦୂରକୁ ବଞ୍ଚାଇବାକୁ ଶହେ ଚେଷ୍ଟା କରି ଶେଷ ବିଫଳ ହେଲେ ସ୍ତ୍ରୀ । ମରିଗଲେ ସ୍ୱାମୀ, ହାରିଗଲେ ସ୍ତ୍ରୀ । ପତ୍ନୀର କୋଳରେ ପ୍ରାଣତ୍ୟାଗ କଲେ ପତି । ଆଉ ଯମ ସହ ଲଢେଇ କରି କରି ସ୍ତ୍ରୀଟିଏ ସାଜିପାରିଲାନି ଏ ଯୁଗର ସାବିତ୍ରୀ…

ଅକ୍ସିଜେନର ଅଭାବର ଏ ଭୟଙ୍କର ଆଁ ଭିତରେ ୟୁପି ଆଗ୍ରାରୁ ଆସିଛି ଏ ଛାତିଥରା କାହାଣୀ । ଯେଉଁଠି ସ୍ତ୍ରୀର ଶତ ଚେଷ୍ଟା ପରେ ସ୍ୱାମୀ ପାଲଟିଗଲା ଶବ । ତେବେ ଆଗ୍ରାର ବିକାଶ କଲୋନୀ ସେକ୍ଟର ୭ରେ ରହୁଥିବା ରେଣୁ ସିଙ୍ଘଲ ନିଜ ପତିଙ୍କୁ ହସ୍ପିଟାଲ ନେଇ ଆସିଥିଲେ । ସ୍ୱାମୀ ରବି ସିଙ୍ଘଲଙ୍କ ହଠାତ ଦେହ ଖରାପ ହେବା ସବ ନିଶ୍ୱାସ ନେବାରେ ଅସୁବିଧା ହେଲା । ଆଉ ତାପରେ ସ୍ୱାମୀଙ୍କୁ ଏକ ଅଟୋରେ ବସାଇ ମେଡିକାଲ ଆଣିଥିଲେ ସ୍ତ୍ରୀ । କିନ୍ତୁ ହସ୍ପିଟାଲରେ ଆଡମିଶନ ପୂର୍ବରୁ ହିଁ ଅଣନିଶ୍ୱାସୀ ହୋଇ ଛଟପଟ ହୋଇଥିଲେ ରବି । ବାସ ତାପରେ ସ୍ୱାମୀଙ୍କର ଏମିତି ଅବସ୍ଥା ଦେଖି ନିଜ ମୁହଁକୁ ସ୍ୱାମୀଙ୍କ ମୁହଁରେ ଲଗାଇ ନିଶ୍ୱାସ ଦେବାକୁ ଚେଷ୍ଟା କରିଥିଲେ ବି ଶେଷରେ ଅକ୍ସିଜେନ ଅଭାବରେ ସ୍ତ୍ରୀ କୋଳରେ ଆଖିବୁଜିଥିଲେ ସ୍ୱାମୀ ।

ଅକ୍ସିଜେନ ପାଇଁ ଏବେ ସବୁଠି ହାହାକାର । ନିଶ୍ୱାସ ନିଅଣ୍ଟ ହେଉଥିବାରୁ ଏବେ ଅଣନିଶ୍ୱାସୀ ଭାରତ । ମହାମାରୀ ଦେଶରେ ମୃତ୍ୟୁର ତାଣ୍ଡବ ରଚୁଥିବା ବେଳେ ଅକ୍ସିଜେନର ଅଭାବ ମୃତ୍ୟୁ ଦୁଆର ଦେଖାଉଛି । ଯାହାର ବଡ ଉଦାହରଣ ଆଗ୍ରାର ଏ ହୃଦୟ ଦୋହଲା କାହାଣୀ । ସ୍ୱାମୀ-ସ୍ତ୍ରୀଙ୍କ ଅସହାୟତାର ଏ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସରକାରଙ୍କ ଅଲ ଇଜ ୱେଲ କଥା ବାହାସ୍ଫୋଟ ବୋଲି ସ୍ପଷ୍ଟ ପ୍ରମାଣିତ ହେଉଛି । ଆଉ ଉତ୍ତରପ୍ରଦେଶର ଛାତି ଉପରେ ଛିଡା ହୋଇଥିବା ଏ ଅଟୋରୁ ଶବ ସରକାରଙ୍କୁ ଉତ୍ତର ମାଗୁଛି…?